ବରଗଡ଼: ଗତ 2015ରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଗବ୍ବର ଇଜ୍ ବ୍ୟାକ୍’ (Gabbar is Back) ନାମକ ଏକ ଫିଲ୍ମ ଆସିଥିଲା । ଘରୋଇ ହସ୍ପିଟାଲରେ ଟଙ୍କା ଲୋଭରେ କିପରି ମୃତଦେହକୁ ଚିକିତ୍ସା କରାଯାଉଥିଲା ଓ ପରିବାର ଲୋକଙ୍କୁ ଆର୍ଥିକ ଶୋଷଣ କରାଯାଉଥିଲା ତାହାର ଏକ କାହାଣୀ ଫିଲ୍ମରେ ଦେଖା ଯାଇଥିଲା । ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳିଛି । ଏଠି ଅଭିଯୋଗ ଆସିଛି ଅଧିକ ଟଙ୍କା ଲୋଭରେ ମୃତଦେହକୁ ଆଇସିୟୁରେ ଚିକିତ୍ସା କରୁଥିଲା ଘରୋଇ ହସ୍ପିଟାଲ । ଘଟଣା ପ୍ରଘଟ ହେବା ପରେ ଏବେ ଦେଖା ଦେଇଛି ଉତ୍ତେଜନା ।
କେଉଁଠି ଘଟିଛି ଘଟଣା: ବରଗଡ଼ ଜିଲ୍ଲା ବରାହଗୁଡା ଠାରେ 53 ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତାରୋକ କରି ଆନ୍ଦୋଳନ କଲେ ଶତାଧିକ ଲୋକେ । ରୋଗୀଙ୍କ ମୃତ୍ୟୁ ୨ ଦିନ ଆଗରୁ ହୋଇସାରିଥିବା ବେଳେ ଅଧିକ ବିଲ କରିବା ଉଦ୍ଦେଶ୍ୟରେ ରୋଗୀଙ୍କୁ ICUରେ ରଖାଯାଇଥିଲା । ସମ୍ପର୍କୀୟମାନଙ୍କୁ ICU ଭିତରକୁ ଯିବାକୁ ମନା କରାଯାଉଥିଲା ଓ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସୂଚନା ଅନୁଯାୟୀ, ବରଗଡ଼ ବରଗାଁ ଗ୍ରାମର 42 ବର୍ଷୀୟ ଜୟକୁମାର ବିଶ୍ଵାଳଙ୍କର ଲିଭର ଜନିତ ସମସ୍ୟା ରହିଥିବା ବେଳେ ସେ ବରାହଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିଗତ 5 ଦିନ ହେଲା ଚିକିତ୍ସିତ ହେଉଥିଲେ । ମାତ୍ର 5 ଦିନ ପରେ ଜୟକୁମାରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ କୁହାଯାଇଥିଲା । ତେବେ ମୃତ ଜୟକୁମାରଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ୨ ଦିନ ତଳେ ଜୟକୁମାରଙ୍କ ଅବସ୍ଥା ସଂକଟାପନ୍ନ ଥିବା କହି ତାଙ୍କୁ ICUରେ ଭର୍ତ୍ତି କରଯାଇଥିଲା ଓ ପରିବାର ଲୋକଙ୍କୁ ରୋଗୀଙ୍କୁ ଦେଖା କରିବା ପାଇଁ ICU ଭିତରକୁ ଯିବାକୁ ଦିଆଯାଉନଥିଲା । ଆଜି ରୋଗୀଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ ।
ମୃତଦେହର ଚାଲିଥିଲା ଚିକିତ୍ସା !
ସେପଟେ ମୃତଦେହ ଫୁଲିଯାଇଥିବା ଓ ଦୁର୍ଗନ୍ଧ ଆସୁଥିବା ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା । ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ଜୟକୁମାରଙ୍କ ୨ ଦିନ ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା । ସେଥିପାଇଁ ICU ଭିତରକୁ ଯିବାକୁ ମନା କରାଯାଉଥିଲା ଏବଂ ମୃତଦେହକୁ ICU ରଖି ଅଧିକ ଟଙ୍କାର ବିଲ କରାଯାଇଛି । ତେବେ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ସହ ଶତାଧିକ ଲୋକ ବରାହଗୁଡା ଠାରେ 53 ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ ।
ସଫେଇ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ
ଅନ୍ୟପକ୍ଷେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଜୟକୁମାରଙ୍କର ଲିଭର 80 ପ୍ରତିଶତରୁ ଅଧିକ ନଷ୍ଟ ହୋଇଯାଇଥିଲା ଓ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ୨ ଦିନ ତଳେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରଯାଇଥିଲା । ICUରେ ୨ ଦିନ ରଖିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା । ହସ୍ପିଟାଲ ବିଲ ପଇଠ କରି ମୃତଦେହ ନେବାକୁ କୁହାଯାଇଥିଲା । ମାତ୍ର ରୋଗୀଙ୍କ ସମ୍ପର୍କୀୟମାନେ କିଛି ଅର୍ଥ ରିହାତି ପାଇଁ କହିଥିଲେ ଯାହା ହସ୍ପିଟାଲ ପକ୍ଷରୁ କରାଯାଇଥିଲା । ଏହାପରେ ମଧ୍ୟ ରୋଗୀଙ୍କ ଅନେକ ସମ୍ପର୍କୀୟ ଆସି ହସ୍ପିଟାଲ ଭିତରେ ଗଣ୍ଡଗୋଳ କରିଥିଲେ ଓ ମୃତଦେହକୁ ହସ୍ତାନ୍ତର କରାଗଲା ପରେ ମୃତଦେହକୁ ନେଇ ରାଜରାସ୍ତାରେ ରଖି ଆନ୍ଦୋଳନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନିଆଳିରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ତେବେ ମୃତଦେହ ବ୍ୟବଚ୍ଛେଦ କରାଗଲେ ରୋଗୀଙ୍କ ମୃତ୍ୟୁର ସଠିକ ସମୟ ଉଜାଗର ହୋଇପାରିବ ତେଣୁ ମୃତଦେହ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାଇ ଆନ୍ଦୋଳନ ବନ୍ଦ ହୋଇଥିଲା ।
ଇଟିଭି ଭାରତ, ବରଗଡ଼