ବଲାଙ୍ଗୀର: ପୁଣି ବ୍ୟାପିଲା ଝାଡ଼ାବାନ୍ତି, 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବଲାଙ୍ଗୀର କୁରୂଲ ଗାଁରେ ଝାଡ଼ାବାନ୍ତିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବାବେଳେ 54 ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ସହ ସଚେତନ ଜାରି ରଖିଛନ୍ତି । ଦିନକୁ ଦିନ ଜିଲ୍ଲାର ବିଭିନ୍ନ ଗାଁରେ କାୟା ବିସ୍ତାର କରୁଛି ଝାଡ଼ାବାନ୍ତି । ଯାହାକୁ ନେଇ ଆତଙ୍କିତ ଲୋକେ । ଝାଡ଼ାବାନ୍ତି ଆକ୍ରାନ୍ତରେ ଅନେକ ଲୋକଙ୍କ ଜୀବନହାନି ଘଟୁଥିବାବେଳେ ସ୍ଥିତି ଚିନ୍ତାଜନକ ହୋଇପଡିଛି ।
ପୂର୍ବରୁ ମଧ୍ୟ ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଲଖ ପାଳିରେ ଝାଡ଼ାବାନ୍ତି ରୋଗ ବ୍ୟାପି ଥିବାବେଳେ ଏବେ ପୁଣି ଏହି ବ୍ଲକର କୁରୂଲ ଗ୍ରାମରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି । ତେବେ ଗତ 17 ତାରିଖରୁ ଏଠି ଡାଇରିଆ ବ୍ୟାପିଥିବା ଲୋକେ କହିଥିବା ବେଳେ ଏଥିରେ 54 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏଯାବତ୍ 4 ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି । ଯେଉଁଥିରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ମୃତକ ମାନେ ହେଲେ ବେଦମତି ରାଉତ, ସପୁର ପଟେଲ, ଫାଦ୍ରୀ ସେଠ୍ ଓ ଜୟଦେବ ପଟେଲ ।
ଗ୍ରାମବାସୀ ମାନେ ନଳକୂପ ତଥା ଆରଡବ୍ଲୁ ଏସଏସ ଦ୍ୱାରା ଯୋଗାଇ ଦିଆ ଯାଉଥିବା ପାଣି ବ୍ୟବହାର କରନ୍ତି । ସେହିପରି ଗାଁରେ ଥିବା ପୋଖରୀ ପାଣି ମଧ୍ୟ ଅନ୍ୟାନ୍ୟ କାମରେ ବ୍ୟବହାର କରନ୍ତି ବୋଲି କହିଛନ୍ତି । ତେବେ କେଉଁ କାରଣରୁ ଏଭଳି ସ୍ଥିତି ହୋଇଛି ସେମାନେ ଜାଣି ନ ଥିବାବେଳେ ଗାଁର ପ୍ରତ୍ୟେକ ଘରେ ଏହି ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ଜ୍ୱର ହେବା ସହ ଦୁଇ ଦିନ ଝାଡାବାନ୍ତି ହେବା ପରେ କିଛି ରୋଗୀଙ୍କୁ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇ ଜଣ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗ୍ରାମବାସୀ କହିଛନ୍ତି ।
ସେପଟେ ଗାଁରେ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି । ସେମାନେ ଘରକୁ ଘର ବୁଲି ଚିକିତ୍ସା କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି ।ବଲାଙ୍ଗୀର ସିଡିଏମଓ ପ୍ରଦୀପ୍ତ ଗୁରୁ ଫୋନ ଯୋଗେ କହିଛନ୍ତି ଯେ, ମୋଟ 54 ଜଣ ଏଠାରେ ଆକ୍ରାନ୍ତ ହୋଇଥିଲେ । ସେଥିରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କିଛି ଦିନ ହେବ ଏଠି ସ୍ଥିତି ନିୟନ୍ତ୍ରଣଧିନ ଥିବାର ସେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ,ବଲାଙ୍ଗୀର