ବ୍ରହ୍ମପୁର: ଶିକ୍ଷକଙ୍କ ଘରେ ବୋମାମାଡ଼ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କରିଲା ପୋଲିସ । ଏଥିସହ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଖଣ୍ଡା, ତିନୋଟି ମୋବାଇଲ ଫୋନ ଓ ଗୋଟିଏ ବୋମା ଜବତ କରାଯାଇଛି । ଏହି ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ଗାୟତ୍ରୀ ବିହାର ଅଞ୍ଚଳର ସୁଦର୍ଶନ ପାଢୀ, କାଳୁଆ ସାହିର ସୁମନ ପଟ୍ଟନାୟକ, ଅଟୋନଗର ଅଞ୍ଚଳର ଦୀପକ ଓରଫ ଦୀପୁ ସାହୁ ଏବଂ ତେଲିମଶାଣି ଆପାର୍ଟମେଣ୍ଟ ଅଞ୍ଚଳର କାଳିଆ ସାହୁ ।
ସୂଚନା ଅନୁସାରେ, ଗତ ୧୪ ତାରିଖ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଦ୍ଵିତୀୟ ଲାଇନରେ ରହୁଥିବା ସିଆରସିସି ଶିକ୍ଷକ ଟୁକୁନା ଭୂୟାଁ ନିଜ ଘରେ ବସିଥିଲେ । ସେହି ସମୟରେ ହଠାତ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ବୋମାମାଡ କରିଥିଲେ । ବୋମାମାଡ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବୋମାମାଡରେ ଟୁକୁନାଙ୍କ ଛାତି ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସେପଟେ ବୋମାମାଡ଼ରେ ଶିକ୍ଷକ ଟୁକୁନା ଗୁରୁତର ହେବା ପରେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ପୁରୀରେ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ତେବେ ପୋଲିସ ଘଟଣାର ତଦନ୍ତ କରିବା ସହିତ କିଏ ଏବଂ କାହିଁକି ଏପରି ବୋମାମାଡ କରିଥିଲା ତାହାକୁ ନେଇ ଖୋଳତାଡ କରିଥିଲା । ଏହି ସମୟରେ ଶିକ୍ଷକଙ୍କ ସହିତ ଦୁଇ ଜଣଙ୍କ ଶତ୍ରୁତା ରହିଥିବା ପୋଲିସ ଜାଣି ପାରିଥିଲା । ଉକ୍ତ ଦୁଇ ଜଣ ଘଟଣା ଦିନ ନିଜର ଅନ୍ୟ ଦୁଇ ସହଯୋଗୀଙ୍କୁ ଆଣି ଶିକ୍ଷକଙ୍କୁ ମାରିଦେବା ପାଇଁ ଏଭଳି ବୋମାମାଡ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।
ମୁଖ୍ୟତଃ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଶିକ୍ଷକଙ୍କ ଘରେ ପଶି ଗିରଫ ଅଭିଯୁକ୍ତ ସୁଦର୍ଶନ ପାଢୀ ବୋମା ଫିଙ୍ଗିଥିବା ବେଳେ ଅନ୍ୟ ତିନି ଗିରଫ ଅଭିଯୁକ୍ତମାନେ ତାଙ୍କୁ ସହଯୋଗ କରିଥିଲେ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । ଗିରଫମାନଙ୍କ ମଧ୍ୟରେ ଦୀପକ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ତାରି ନିକଟରେ ବୋମା ପ୍ରସ୍ତୁତି ସରଞ୍ଜାମ ରହିଥିବା ଜଣାପଡିଛି । ଏପରିକି ଏହି ଘଟଣାରେ ଖଣ୍ଡା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ଉପରେ ପୋଲିସ ପକ୍ଷରୁ ନଜର ରଖାଯାଇଥିବା କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର