ଭୁବନେଶ୍ବର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନେକ ବରିଷ୍ଠ ନେତାମାନେ ମଧ୍ୟ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହିତ ବିଧାନସଭାରେ ସୁରେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ତାଙ୍କର ଅନ୍ତିମ ଦର୍ଶନ ଲାଗି ବିଧାନସଭା ଓ ଶଙ୍ଖ ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ଶଙ୍ଖ ଭବନରେ ଆୟୋଜିତ ଶେଷ ଦର୍ଶନ କାର୍ଯ୍ୟକ୍ରମରେ ବିଜେଡ଼ି ସଭାପତି ଓ ଦଳ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁରେନ୍ଦ୍ର ନାୟକଙ୍କର ଆଜି ସକାଳେ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସୁରେନ୍ଦ୍ରଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ବିଧାନସଭା ଓ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବ୍ୟବସ୍ଥା କରାଯାଇଥିଲା । ସାଢ଼େ ୧୦ଟାରେ ସୁରେନ୍ଦ୍ରଙ୍କ ପାର୍ଥିବ ଶରୀର ପ୍ରଥମେ ବିଧାନସଭାକୁ ଅଣାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିରୋଧୀ ଦଳ ପକ୍ଷରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆମର ଶତପଥୀ, ଶଶୀଭୂଷଣ ବେହେରା, ପ୍ରଶାନ୍ତ ମୁଦୁଲି, ସୁରେଶ କୁମାର ରାଉତରାୟ ପ୍ରମୁଖ ପରଲୋକ ଗତ ନେତାଙ୍କ ସ୍ମୃତିଚାରଣ କରିଥିଲେ ।
ଏହାପରେ ସୁରେନ୍ଦ୍ରଙ୍କ ମରଶରୀରକୁ ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନକୁ ଅଣାଯାଇଥିଲା । ସେଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଉପସଭାପତି ଦେବୀ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ସୁଲୋଚନା ଦାସ, ପ୍ରଫୁଲ୍ଲ ଘଡେଇ, ଅଶୋକ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟର ୭ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ହୋଇଛି । ରାଜ୍ୟ ରାଜନୀତିରେ ଏକ ଯୁଗର ଅବସାନ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ । ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ।
ସେହିପରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖିଥିଲେ । ପ୍ରାଥମିକ ଶିକ୍ଷକରୁ ସରପଞ୍ଚ, ସରପଞ୍ଚରୁ ସେ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ଉପବାଚସ୍ପତି ସହ ସେ କିଛି ସମୟ ଲାଗି ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ସୁରେନ୍ଦ୍ର ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ନିକଟତର ସହଯୋଗୀ ଥିଲେ । ବିଜୁ ଓ ନବୀନ ସରକାରରେ ସେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି । ଶିକ୍ଷା, କୃଷି, ପଞ୍ଚାୟତିରାଜ, ଅବକାରୀ ଓ ରାଜସ୍ୱ ବିଭାଗର ମନ୍ତ୍ରୀ ଭାବେ ଛାପ ଛାଡିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର