ଦେବଗଡ଼: ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ଜଳିପୋଡି ପାଉଁଶ ହୋଇଯାଉଛି ମୂଲ୍ୟବାନ ବୃକ୍ଷରାଜି । ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାନ୍ତି ବନ୍ୟଜନ୍ତୁ ଓ ସରୀସୃପ । ବର୍ତ୍ତମାନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଦେବଗଡ ଜିଲ୍ଲାର ତାପମାତ୍ରା । ବିଶେଷକରି ବନାଗ୍ନି ପାଇଁ ତାପମାତ୍ରା ବଢୁଛି । ସେପଟେ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହେଉଛି ବନବିଭାଗ ।
ସବୁଜ ବଣ ଜଙ୍ଗଲରେ ପରିବେଷ୍ଟିତ ଦେବଗଡ଼ ଜିଲ୍ଲା । ଜଙ୍ଗଲ ସମ୍ପଦ ହିଁ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଦେବଗଡ଼ ବନଖଣ୍ଡ ଅଧିନ ବାରକୋଟ, ରିଆମାଳ ଓ ଦେବଗଡ଼ ଆଦି ତିନୋଟି ରେଞ୍ଜର ହଦମୁଣ୍ଡା, ରମ୍ଭାଦେବୀ, ମୋହିନୀପୁର, କଂସର, ପ୍ରଭାସୁଣି, ନୂଆଁଡ଼ିହି, ମହାସିନ୍ଧୁ, କଡମ୍ବଦରହ, ରାଇତାବାହାଳ, ଚାରିମଞ୍ଚା, କଦଳିପାଳ ଆଦି ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଦ୍ରୁତଗତିରେ ଆଖପାଖ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏହି ନିଆଁରେ ବହୁ ମୂଲ୍ୟବାନ ବୃକ୍ଷରାଜି ଜଳିପୋଡ଼ି ନଷ୍ଟ ହୋଇଯାଉଛି ।
ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାନ୍ତି ବନ୍ୟଜନ୍ତୁ ଓ ସରୀସୃପ । ବହୁ ବନ୍ୟଜନ୍ତୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଉଛନ୍ତି । ସେପଟେ ଜଙ୍ଗଲ ନିଆଁ ପାଇଁ ଦେବଗଡ଼ ଜିଲ୍ଲାରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ପରିବେଶକୁ ପ୍ରଦୂଷିତ କରୁଛି । ତେବେ ଜଙ୍ଗଲରେ କେନ୍ଦୁପତ୍ର ତୋଳାଳି ଓ ମହୁଲ ସଂଗ୍ରହକାରୀମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ସ୍ଥାନୀୟ ବନ ବିଭାଗ ଯଥାସାଧ୍ୟ ଉଦ୍ୟମ କରି ସୁଦ୍ଧା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ । ସ୍ଥାନୀୟ ଲୋକଙ୍କ ସଚେତନତା ଅଭାବରୁ ଜଙ୍ଗଲ ନିଆଁକୁ ରୋକାଯାଇ ପାରୁନଥିବା ପରିବେଶବିତଙ୍କ ମହଲରେ ମତପ୍ରକାଶ ପାଇଛି ।
ପ୍ରତିବର୍ଷ ଜଙ୍ଗଲ ପୋଡି ଯୋଗୁଁ ଜିଲ୍ଲାର 40 ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ସବୁଜ ବଣ ପରିବେଷ୍ଟିତ ଦେବଗଡ଼ ଜିଲ୍ଲା ଟାଙ୍ଗରା ଭୂଇଁରେ ପରିଣତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ଇଟିଭି ଭାରତ, ଦେବଗଡ଼