ମାଲକାନଗିରି: ଲଗାଣ ବର୍ଷାରେ ଜଳବନ୍ଦୀରେ ରହି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମାଲକାନଗିରିବାସୀ । ଯଦିଓ ସକାଳେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା କିନ୍ତୁ ଏବେ ପୁଣିଥରେ ଅନେକ ସ୍ଥାନରେ ଜଳ ସ୍ଥର ବୃଦ୍ଧି ପାଇଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ମଧ୍ୟରେ ଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।
ଗତ 3 ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯ରୁ ୨୦ ତାରିଖ ମଧ୍ୟରେ ୧୯୦ ମିଲିମିଟର ବର୍ଷା ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ପ୍ରଭାବରେ ଜିଲ୍ଲାର ୩୨୬ ଜାତୀୟ ରାଜପଥ ଉପରେ ରହିଥିବା ସମସ୍ତ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବର୍ତ୍ତମାନ ଜିଲ୍ଲାର ପଟୋରୁ ନଦୀ ଉପରେ 2ରୁ 3 ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ କାଙ୍ଗରୁକୋଣ୍ଡା ପୋଲ ଉପରେ 5 ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଉଛି । ଫଳରେ ମାଲକାନଗିରି, କାଲିମାେଳା ମୋଟୁ ଓ ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସକାଳ ଜଳ ସ୍ତର କମିଥିବା ବେଳେ ଏବେ ପୁଣିଥରେ ବୃଦ୍ଧି ପାଇଛି । 326 ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ସେହିପରି ମାଲକାନଗିରିରୁ ଛତିଶଗଡ଼ ସୁକମା ରାସ୍ତାର ସୁକମାର ସାବେରୀ ନଦୀ ପୋଲ ଉପରେ 5 ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଛତିଶଗଡକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।
ମାଲଗକାନଗିରି ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏବେ ସୁଦ୍ଧା ୧୨୧ ପରିବାରକୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ନିଆଯାଇଛି ।ମାଲକାନଗିରିରେ ୧୦୦ ପରିବାର ଏବଂ କାଲିମେଳାରେ ୨୧ ପରିବାରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଯୋଗାଯୋଗ ବିଚ୍ଛିନ୍ନ ଥିବା ସ୍ଥାନ ଗୁଡିକରେ ଏସଆରସିଙ୍କ ଗାଇଡଲାଇନ ହିସାବରେ କାହାରିକୁ ଏହି ରାସ୍ତାରେ ଛଡାଯାଉନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣ ଘଟିନାହିଁ । ପୁଣି ବର୍ଷା ବଢୁଥିବାରୁ ସବୁ ବ୍ଲକ ଉପରେ ନଜର ରଖାଯାଇଛି । ସମସ୍ତ ବ୍ଲକର ବିଡିଓ, ତହସିଲଦାର ଓ ଆରଆଇମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।କାହାର ଯଦି ଘର ଭାଙ୍ଗେ ତେବେ ତୁରନ୍ତ ପୋଲିଥିନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
ସେହିପରି ସାପ କାମୁଡା ଔଷଧ ମଧ୍ୟ ସମସ୍ତ ମେଡିକାଲରେ ରଖାଯାଇଛି । ଯେପରି କୌଣସି ଲୋକଙ୍କର ଜୀବନ ନଯାଏ ସେଥିପ୍ରତି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶକୀୟ ଜିନିଷଗୁଡିକ ସମସ୍ତ ବ୍ଲକଗୁଡିକରେ ରଖାଯାଇଛି । ଜିଲ୍ଲାପାଳ ଜିଲ୍ଲାବାସୀ ଭୟ ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କୌଣସି ମୁହର୍ତ୍ତରେ ମଧ୍ୟ ଅସୁବିଧା ହେଲେ ତୁରନ୍ତ ବ୍ଲକ କିମ୍ବା ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ କହିଛନ୍ତି । ଜିଲ୍ଲାପାଳଙ୍କ ନମ୍ବର ୯୪୩୭୦୩୦୨୨୩ରେ ଫୋନ କରି ନିଜର ସମସ୍ୟା ଜଣାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି