ନିଆଳି: ସରିଲା ଅରିଲୋ ମେଳଣ । କଟକ ଜିଲ୍ଲାର ଫୁଲନଖରାରେ ଗତ ଶୁକ୍ରବାର ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ଅନୁଷ୍ଠିତ 'ଅରିଲୋ ମେଳଣ' ଗତକାଲି(ଶନିବାର) ରାତିରେ ଉଦଯାପିତ ହୋଇଛି । ଦୀର୍ଘ 300ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ୍ନ ଭାବରେ ଏହି ମେଳଣ ଅନୁଷ୍ଠିତ ହୋଇଆସୁଛି । ଏହି ମେଳଣର ବିଶେଷତ୍ଵ ହେଉଛି ଦୋଳ ବିମାନମାନଙ୍କୁ ମେଳଣରେ ଭାଗ ନେବା ପାଇଁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ଦେବାର ବିଧି ନାହିଁ । ଏହି ମେଳଣରେ ଆଖପାଖ ପ୍ରାୟ 50ଖଣ୍ଡ ଗ୍ରାମର ଦୋଳ ବିମାନଗୁଡିକ ସୁସଜ୍ଜିତ ହୋଇ ଅଂଶ ଗ୍ରହଣ କରିଥିଲେ ।
ଅରିଲୋ ଗ୍ରାମର ଯୁଗଳ କିଶୋର ଦେବ ରାତି ସମୟରେ ଜନାର୍ଦ୍ଧନ ଦେବଙ୍କୁ ନିମନ୍ତ୍ରଣ କରି କରିଥିଲେ । ଏହା ପରେ ବିଭିନ୍ନ ଗ୍ରାମର ସୁସଜ୍ଜିତ ଦୋଳ ବିମାନଗୁଡିକ ପରମ୍ପରିକ ବାଦ୍ୟ ଯନ୍ତ୍ର ସହ ଆସି ନିଜ ନିଜ ଆସନ ଗ୍ରହଣ କରିଥିଲେ । ରାତି ପ୍ରାୟ ଗୋଟାଏ ସମୟରେ ପଡୋଶୀ ଗ୍ରାମର ଠାକୁର ନାରାୟଣ ଦେବ ଓ ରାଧାମାଧବ ଦେବ, ମୈଧରପଡ଼ା ଗ୍ରାମର ଗୋପୀନାଥ ଦେବଙ୍କ ସହ ଲଳିତାଗାଡିଆ ଠାରେ ପହଞ୍ଚିବା ପରେ ଜନାର୍ଦ୍ଦନ ଦେବାଙ୍କ ନିକଟରୁ ସ୍ବତନ୍ତ୍ର ନିମନ୍ତ୍ରଣ ପଠାଯାଇଥିଲା ।
ଏହା ପରେ ନିଜର ପାରମ୍ପରିକ ବାଦ୍ୟଯନ୍ତ୍ର ସହ ତିନି ଠାକୁର ଭକ୍ତମାନଙ୍କ ସହ ଝୁଲିଝୁଲି ଜନାର୍ଦ୍ଦନ ଦେବଙ୍କ ନିକଟକୁ ଆସିବା ପରେ "ହରିହରି ଭେଟ" ଅନୁଷ୍ଠିତ ହୋଇଥିଲା । ଏହି ପରମ୍ପରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହାସହ ଶ୍ରଦ୍ଧାଳୁମାନଙ୍କ ହରିବୋଲ ଓ ହୁଳହୁଳି ଧ୍ଵନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଭାଇଚାରାର ଏହି ମେଳଣରେ 'ହରିହରି ଭେଟ' ଅନୁଷ୍ଠିତ ହେବା ପରେ ଦୋଳ 45 ଗୋଟି ବିମାନ ଗାଁ ଶେଷ ମୁଣ୍ଡରେ ଥିବା ମେଳଣ ପଡ଼ିଆକୁ ଯାଇଥିଲେ । ବିମାନରେ ବସିଥିବା ଦିଅଁଙ୍କର ଯାତ୍ରା ବେଶ ଆକର୍ଷଣୀୟ ଓ ମନମୁଗ୍ଧକର ଥିଲା ।
ଏହା ମଧ୍ୟ ପଢନ୍ତୁ .....ମହାକାଳ ବେଶରେ ଦର୍ଶନ ଦେଲେ ହଟକେଶ୍ୱର, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
ପରେ ବନ୍ଧୁମାନଙ୍କ ଦର୍ଶନ ପାଇଁ ବଉଳମୂଳ ପିଣ୍ଡି ଉପରେ ଅପେକ୍ଷା କରି ବସିଥିବା ଯୁଗଳକିଶୋର ଦେବଙ୍କ ତରଫରୁ ମେଳଣକୁ ଆସିଥିବା ସବୁ ଠାକୁରଙ୍କୁ ସମ୍ମାନ ସୂଚକ ଅବିର ଓ କେତକୀ ଫୁଲର ପାଖୁଡ଼ା ପ୍ରଦାନ କରାଯାଇଥିଲା । ସିନ୍ଦୁରା ଫାଟିବା ପରେ ବିମାନଗୁଡିକ ମେଳଣ ପଡିଆରେ ପ୍ରବେଶ କରିଥିଲେ । ପରେ ମହାଖଳା ଭୋଗ ଲାଗି ହେବା ପରେ ମେଳଣର ସମାପ୍ତି ଘଟିଥିଲା । ଭାଇଚାରାର ପ୍ରତୀକ ଏହି ମେଳଣଟି ଶାନ୍ତି କମିଟି ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥିଲା । ଏହି ମେଳନ ଦେଖିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ସେହିପରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ 6 ପ୍ଲାଟୁନ ପୋଲିସ ଫୋର୍ସ 24 ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା ।
ଇଟିଭି ଭାରତ, ନିଆଳି