ଭୁବନେଶ୍ବର: ବିଜେଡିରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ ପରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ହସ୍ପିଟାଲରୁ ଡିସଚାର୍ଜ ହୋଇ ପ୍ରତିକ୍ରିୟା ରଖିଛନ୍ତି ଦାମ । ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କିଛି ପାଇବାର ନାହିଁ, କେବଳ ବିଜେଡିକୁ ଭଲ ପାଇ ରହିବା ମୋ କାମ ବୋଲି ସେ କହିଛନ୍ତି ।
ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ, ଦଳରୁ ବହିଷ୍କାର ଓ ନିଲମ୍ବନ ଏକ ଗତାନୁଗତିକ କଥା । 6 ବର୍ଷ ତଳେ ବିଜୁ ଜନତା ଦଳରୁ ମୋତେ ସସପେଣ୍ଡ କରାଯାଇଥିଲା । 6 ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋ ମନ କଥା ବୁଝିଲେ । ମୋ ଉପରୁ ବହିଷ୍କାର ଆଦେଶ ଉଠେଇ ଦେଲେ । ମୁଖ୍ୟମନ୍ତ୍ରୀଙ୍କୁ ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀଙ୍କର ମୋ ପ୍ରତି ସହାନଭୂତି ଆଜି ବି ରହିଛି । ବର୍ତ୍ତମାନ ମୋ ଦେହ ଅସୁସ୍ଥ । ବୟସ ମଧ୍ୟ ହୋଇଗଲାଣି । ସକ୍ରିୟ ରାଜନୀତି କରିବାକୁ ଆଉ ଇଚ୍ଛା ନାହିଁ ।
ଅଧିକ ପଢନ୍ତୁ- ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କୁ ନେଇ ରାଜନୀତି ଆରମ୍ଭ କରିଥିଲି । ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେଣୁ ସେ ଦଳକୁ ଭଲ ପାଇବା ହେଉଛି ମୋ କାମ । ମୋର ଆଉ ପାଇବାର କିଛି ନାହିଁ । କିମ୍ବା ହେବାର କିଛି ନାହିଁ । ସେ ଦଳକୁ ଭଲ ପାଇ ରହିବା ମୋ କାମ । ମୁଁ ହସ୍ପିଟାଲରେ ଥିବା ବେଳେ ମୋ ସସପେନ୍ସନ ହଟେଇ ଦିଆଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦାନ୍ୟତା ଦେଖାଇଛନ୍ତି ।
ଓମଫେଡରେ ୩୦ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରି ଦାମୋଦର ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ । ସେହିପରି ସେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଦଳର ସୁପ୍ରିମୋ ୨୦୧୮ ସେପ୍ଟେମ୍ବର ୧୨ରେ ବିଜେଡିରୁ ତାଙ୍କୁ ବହିଷ୍କାର କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ । ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ସହ ସେ ପ୍ରାର୍ଥୀ ହୋଇ ହାରିଥିଲେ । ଏହା ପରେ ଦାମୋଦର ବିଜେପିରୁ ଇସ୍ତଫା ଦେଇଥିଲେ । ନୂଆବର୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମୋଦରଙ୍କ ଉପରୁ ବହିଷ୍କାର ଆଦେଶ ହଟେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର