ଭୁବନେଶ୍ବର: ‘ଇଟିଭି ଭାରତ’ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମାତ୍ର 49 ବର୍ଷ ବୟସରେ ମନୋରଞ୍ଜନଙ୍କ ଅକାଳ ବିୟୋଗ ଘଟିଛି । ସେ 2020 ସେପ୍ଟେମ୍ବର 20 ତାରିଖରୁ ଇଟିଭି ଭାରତରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେପଟେ ମନୋରଞ୍ଜନଙ୍କ ବିୟୋଗ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବିଗତ ଦୁଇଦିନ ହେବ ଶରୀର ଅସୁସ୍ଥ ଥିବା ଅନୁଭବ କରିଥିଲେ ମନୋରଞ୍ଜନ । ଆଜି ହଠାତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ଅପରାହ୍ନ ପ୍ରାୟ 2ଟା 30 ମିନିଟ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା । ମନୋରଞ୍ଜନ ସାହୁଙ୍କ ଅକାଳ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପରିବାର ବର୍ଗ । ତାଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଏପଟେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧର୍ଯ୍ୟ ଧରିବାକୁ ସମସ୍ତେ ନିବେଦନ କରିଛନ୍ତି । ତାଙ୍କର ଅବର୍ତ୍ତମାନରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।
ଏହା ମଧ୍ୟ ପଢ଼ନ୍ତୁ...ପୂର୍ବତନ ASG ଫଲି ଏସ ନରିମନଙ୍କ ପରଲୋକ, 95 ବର୍ଷ ବୟସରେ ବୁଜିଲେ ଆଖି
ମନୋରଞ୍ଜନ ସାହୁ ଜଣେ ମିଷ୍ଟଭାଷୀ ମେଳାପୀ ସ୍ବଭାବର ବ୍ୟକ୍ତିତ୍ବ ଥିଲେ । 2004ରୁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟ କରି ଆସୁଥିଲେ ମନୋରଞ୍ଜନ । ପ୍ରାୟ 20 ବର୍ଷରୁ ଅଧିକ ସମୟ ହେବ ଓଡିଶାର ଗଣମାଧ୍ୟମ ଜଗତରେ ଜଣେ ଦକ୍ଷ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବରେ କାର୍ଯ୍ୟ କରି ସେ ବେଶ ପରିଚୟ ସାଉଁଟିଥିଲେ । ତାଙ୍କ ବିୟୋଗରେ ସୋସିଆଲ ମିଡିଆରେ ପୋଷ୍ଟ କରି ସାମ୍ବାଦିକମାନେ ଶୋକ ବ୍ୟକ୍ତ କରିଛନ୍ତି । ସେପଟେ ମନୋରଞ୍ଜନ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମନମୋହନ ସାମଲ ସ୍ବର୍ଗତଃ ମନୋରଞ୍ଜନ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର