ଭୁବନେଶ୍ବର: ଭୁବନେଶ୍ବରର ଆଇଟିଇଆର୍ ଠାରେ ଚାଲିଛି ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ପୋଲିଂ ଅଫିସରମାନଙ୍କୁ ସମ୍ବୋଧନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀଙ୍କୁ ସମ୍ବୋଧିତ କରି ସେ ନିର୍ବାଚନର ଗୁରୁଦାୟିତ୍ବକୁ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିବା ପାଇଁ ପ୍ରେରିତ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଫିସରମାନଙ୍କ ସହ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । 'ନିର୍ବାଚନର ପର୍ବ, ଆମ ଦେଶର ଗର୍ବ' ଥିମ ନିର୍ବାଚନ ପରିଚାଳନାର ମୂଳମନ୍ତ୍ର । ଏହାକୁ ଗ୍ରହଣ କରିବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ 'ମତଦାତା' ମାନଙ୍କୁ କେନ୍ଦ୍ରରେ ରଖି ସେମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେବା ପାଇଁ ସେ ମତ ରଖିଛନ୍ତି ।
ସେ କହିଛନ୍ତି, "ନିର୍ବାଚନ ଏହି ଦେଶର ଜାତୀୟ ପର୍ବ । ଏହାକୁ ସମ୍ପୂର୍ଣ୍ଣ ଦାୟିତ୍ବବୋଧତାର ସହ ସଫଳ କରିବା ଆମ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ । ଆପଣମାନେ ତୃଣମୂଳସ୍ତରରେ ନିର୍ବାଚନ କମିଶନଙ୍କ ପ୍ରତିନିଧି । ମୁକ୍ତ, ଅବାଧ, ନିରପେକ୍ଷ, ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ଏକ ନିର୍ବାଚନ ପ୍ରକ୍ରିୟାର ଆପଣମାନେ ସମର୍ଥ ସାରଥୀ । ସେହି ଦାୟିତ୍ବବୋଧ ସହ ଆପଣଙ୍କୁ କାମ କରିବାକୁ ପଡ଼ିବ । ନିର୍ବାଚନ କମିଶନଙ୍କ ସ୍ବଚ୍ଛତା, ନିରପେକ୍ଷତା ଓ ବିଶ୍ବସନୀୟତା ଆପଣମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଏଭଳି ଗୁରୁଦାୟିତ୍ବକୁ ନିର୍ବାହ କରିବା ହିଁ ଆମ ଗଣତନ୍ତ୍ର ପ୍ରତି ଆମର ଉତ୍ତରଦାୟିତ୍ବ ।" ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହିଭଳି ଭାବରେ ପ୍ରେରିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମହିଳା ମତଦାନ ହାର ବଢ଼େଇବ ସଖି ବୁଥ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ସେହିପରି ବିଭିନ୍ନ ବର୍ଗର ମତଦାତାମାନେ କେଉଁଭଳି ଭାବରେ ଭୋଟ ଦେବେ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟର ଆଦିଙ୍କୁ କେଉଁସବୁ ସୁବିଧା ଯୋଗାଇ ଦିଆଯିବ । ମଡେଲ ବୁଥ, ସଖିବୁଥ ବା ସମ୍ପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ, ଯୁବ କର୍ମଚାରୀ ପରିଚାଳିତ ବୁଥ, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ ଆଦିର ଲକ୍ଷ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି । ବୁଥ ସ୍ତରରେ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ୍ ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର