ସମ୍ବଲପୁର: କୁହାଯାଏ ରଖେ ହରି ତ ମାରେ କିଏ । ଏପରି ଏକ ଘଟଣା ଘଟିଛି ସମ୍ବଲପୁରରେ । ଗତ ରାତିରେ ପୁରୀରୁ ଅହମ୍ମଦାବାଦ ଯାଉଥିବା ଏକ୍ସପ୍ରେସ ଟ୍ରେନରୁ ଜଣେ ୭୬ ବର୍ଷୀୟା ମହିଳା ଟ୍ରେନ ଟ୍ରାକକୁ ଖସିପଡ଼ିଥିଲେ । ହେଲେ ଚଳନ୍ତା ଟ୍ରେନରୁ ପଡ଼ି ବୃଦ୍ଧ ଜଣଙ୍କ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ତାଙ୍କୁ ସାମାନ୍ୟ ଆହତ ଲାଗିଥିବା ବେଳେ ରେଢ଼ାଖୋଲ ଆରପିଏଫର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ବୃଦ୍ଧା:

ସମ୍ବଲପୁର ରେଢ଼ାଖୋଲ ଆରପିଏଫ ଅଧିକାରୀ ASI ମନୋଜ କୁମାର ସାମଲଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ, ପୋଇପଟର ପ୍ରଦ୍ୟୁମ୍ନ ଦାସ ନିଜ ପତ୍ନୀ, ଝିଅ ଓ ମାଆ (ପାର୍ବତୀ ଦାସ)ଙ୍କ ସହ ଭୁବନେଶ୍ୱରରୁ ଅହମ୍ମଦାବାଦକୁ, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଯାଉଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପରିବାରର ସମସ୍ତେ ଟ୍ରେନରେ ଶୋଇ ଯାଇଥିବା ବେଳେ ସମ୍ବଲପୁର ହାତିବାରୀ ଷ୍ଟେସନ ପାଖରେ ପାର୍ବତୀ ଦାସ ନିଜ ସିଟରୁ ଉଠି ଟ୍ରେନର ଦ୍ଵାର ଆଡକୁ ଯାଇ କୌଣସି କାରଣବଶତଃ ରେଳ ଟ୍ରାକରେ ପଡି ଯାଇଥିଲେ । ତେବେ ହାତିବାରୀ ଅଞ୍ଚଳରେ ହାତୀଙ୍କ ଚଲାପଥ ଓ ଗତିବିଧି ଥିବାରୁ ଟ୍ରେନର ଗତି ଅପେକ୍ଷାକୃତ କମ ଥିଲା । ପାର୍ବତୀ ଟ୍ରେନରୁ ଖସିଯାଇଥିବା ବେଳେ ଟ୍ରେନଟି ଆଗେଇ ଚାଲିଥିଲା । ପରିବାର ଲୋକ ଏନେଇ ଜାଣିବା ବେଳକୁ ଟ୍ରେନଟି ପ୍ରାୟ ୭୦ କିମି ଦୂର ବରଗଡ଼ ଷ୍ଟେସନ ପାଖରେ ପହଞ୍ଚି ସାରିଥିଲା ।
ଦେବଦୂତ ସାଜିଲେ ଟ୍ରାକ ମ୍ୟାନ:
ଏପଟେ ୭୬ ବର୍ଷୀୟ ପାର୍ବତୀ ଦାସ କ'ଣ କରିବେ ଭାବି ଭାବି ହୋଇ ଟ୍ରେନ ଲାଇନରେ ଛିଡା ହୋଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଜଣେ ଟ୍ରାକ ମ୍ୟାନ ଦେବଦୂତ ସାଜି ସେଠାରେ ପହଞ୍ଚିଥିଲେ । ଅଧ ରାତିରେ ଜଣେ ବୃଦ୍ଧା ମହିଳାଙ୍କୁ ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ସେ ବୃଦ୍ଧା ମହିଳାଙ୍କୁ ଟ୍ରାକରୁ ଉଦ୍ଧାର କରି ହାତିବାରୀରେ କାର୍ଯ୍ୟରତ ଆରପିଏଫ ଅଧିକାରୀଙ୍କୁ ଫୋନ କରି ଏନେଇ ସୂଚନା ଦେଇଥିଲେ । ଏହା ଶୁଣି ଆରପିଏଫ ଅଧିକାରୀ ସେଠାକୁ ପହଞ୍ଚି ପାର୍ବତୀଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ଟ୍ରେନରୁ ଖସିପଡ଼ିବା କାରଣରୁ ପାର୍ବତୀଙ୍କ ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିଲା । ଏହି ସମୟ ମଧ୍ୟରେ ବରଗଡ ଷ୍ଟେସନରେ ପାର୍ବତୀଙ୍କ ପୁଅ ପ୍ରଦ୍ୟୁମ୍ନ ଅଟକି ଯାଇ ଆରପିଏଫ ବରଗଡ଼କୁ ତାଙ୍କ ମାଆଙ୍କ ନିଖୋଜ ଥିବା ଘଟଣା ଜଣାଇ ସାରିଥିଲେ । ବରଗଡ଼ ଆରପିଏଫ ଏନେଇ ରେଢ଼ାଖୋଲ ଆରପିଏଫ ସହ ଯୋଗାଯୋଗ କରିଥିଲେ ।
ମାଆକୁ ଫେରି ପାଇଲା ପୁଅ:
ସେପଟେ ରେଢ଼ାଖୋଲ ଆରପିଏଫ ହାତିବାରୀରୁ ଉଦ୍ଧାର ହୋଇଥିବା ପାର୍ବତୀଙ୍କୁ ଭିଡିଓ କଲ ଜରିଆରେ ବରଗଡ଼ ଆରପିଏଫଙ୍କୁ ଦେଖାଇଥିଲେ । ସେଠାରେ ଥିବା ପାର୍ବତୀଙ୍କୁ ତାଙ୍କ ପୁଅ ପ୍ରଦ୍ୟୁମ୍ନ ଚିହ୍ନିବା ପରେ ରେଢ଼ାଖୋଲ ଆରପିଏଫ ବୃଦ୍ଧା ମହିଳା ପାର୍ବତୀଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ଓ ପ୍ରାଥମିକ ଚିକିତ୍ସା କରାଇଥିଲେ । ଏହାସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାର୍ବତୀଙ୍କ ପୁଅ ପ୍ରଦ୍ୟୁମ୍ନଙ୍କୁ ବରଗଡ଼ରୁ ଡକାଯାଇ ସେଠାରେ ଆଧାର କାର୍ଡ ଯାଞ୍ଚ କରିବା ସହ ପାର୍ବତୀଙ୍କୁ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ମାଆ ପୁଅ ଏକ ପେସେଞ୍ଜର ଟ୍ରେନ ଯୋଗେ ଭୁବନେଶ୍ୱର ଫେରି ଯାଇଥିବା ଜଣାପଡ଼ିଛି
ଏହା ମଧ୍ୟ ପଢ଼ନ୍ତୁ...ସପ୍ତାହକ ପରେ ହୋଇଥାନ୍ତା ବାହାଘର, କଲର ଟ୍ରେଡିଂ ହେଲା କାଳ, ଜୀବନ ହାରିଲେ ଯୁବକ ଏହା ମଧ୍ୟ ପଢ଼ନ୍ତୁ...ନିୟମିତ ଯାତ୍ରୀଙ୍କୁ ନେଇ ରେଳବାଇର ପ୍ରଥମ ସର୍ଭେ, 50 ଲକ୍ଷ ଯାତ୍ରୀଙ୍କୁ ଗଲା ମେସେଜ୍ |
ମାନସୀକ ରୋଗୀ ଥିଲେ ବୃଦ୍ଧା:
ଏନେଇ ରେଢ଼ାଖୋଲ ଆରପିଏଫ ଅଧିକାରୀ ASI ମନୋଜ କୁମାର ସାମଲ କହିଛନ୍ତି," ବୃଦ୍ଧା ପାର୍ବତୀ ଜଣେ ମାନସିକ ରୋଗୀ । ଏଥିପାଇଁ ଗତ ୬ ବର୍ଷ ଧରି ସେ ମେଡ଼ିସିନ ଖାଉଛନ୍ତି । ସେ ତାଙ୍କ ପୁଅଙ୍କ ସହ ଟ୍ରେନରେ ଯାଉଥିଲେ । ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ B-4 ବଗିରେ ତାଙ୍କ ସିଟ୍ ଥିଲା । କନଫର୍ମ ଟିକେଟ ଥିଲା । ସେମାନେ ଯାଉଥିବା ସମୟରେ ଟ୍ରେନର ଗତି କମ୍ ଥିଲା । ବୃଦ୍ଧା ପାର୍ବତୀ ସେ ସମୟରେ ଟ୍ରେନରୁ ଓହ୍ଲେଇବା ପାଇଁ ଚେଷ୍ଟା କରୁଥିଲେ । ଫଳରେ ସେ ଟ୍ରେନରୁ ପଡିଗଲେ । ହାତୀବାରିରେ ହାତୀମାନଙ୍କ ପାଇଁ ଟ୍ରେନର ଗତି କମ ରୁହେ । ଗତି କମ ଥିବାରୁ ବୃଦ୍ଧା ପଡ଼ିଯିବା ପରେ ତାଙ୍କର କିଛି ହୋଇନାହିଁ । ଯାହା ସେ ସାମାନ୍ୟ ଆହତ ହୋଇଛନ୍ତି ।"
ଇଟିଭି ଭାରତ, ସମ୍ବଲପୁର