ପୁରୀ: ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନ ହେବ । ଆସନ୍ତା ୧ ତାରିଖରେ (ଶୁକ୍ରବାର) ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବଡ ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଏଥିସହିତ ନିଜ ପିତୃ ପୁରୁଷଙ୍କୁ ପୟାଶ୍ରାଦ୍ଧ ଦେବେ । ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ସେପଟେ ଆଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା ।
ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି:
ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀମନ୍ଦିର ଭିତର ଏବଂ ଚାରିପାର୍ଶ୍ବ ବୁଲି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ଶ୍ରୀମନ୍ଦିରକୁ ସଧାରଣ ଦିବସରେ କେତେ ଶ୍ରଦ୍ଧାଳୁ ଆସୁଛନ୍ତି । ସିଂହଦ୍ଵାର ଓ ପଶ୍ଚିମ ଦ୍ବାର ଦେଇ କେଉଁଭଳି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ପ୍ରବେଶ ଓ ପ୍ରସ୍ଥାନ କରିବା କିମ୍ବା ଦର୍ଶନ ସମୟରେ କୌଣସି ସମସ୍ୟା ହେଉଛି କି ନାହିଁ ? ଏସବୁର ସ୍ଥିତି ଅନୁଧ୍ୟାନ କରିଥିଲେ ଡିଆଇଜି । ଦୀପାବଳିରେ ପୋଲିସ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ଏସପିଙ୍କ ସହ ଆଲୋଚନା କରିଥିଲେ ।
ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା :
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଦୀପାବଳି ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେଇଛି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ବଡ ବଡୁଆ ଡାକିବା ପରମ୍ପରା ପାଇଁ କାଉଁରିଆ କାଠି ଜାଳିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାକୁ ଶୃଙ୍ଖଳିତ କରିବା ପାଇଁ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ଦୀପାବଳି, ପୟାଶ୍ରାଦ୍ଧ ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ଏମାର ମଠ ଉଚ୍ଛେଦ ପରେ ଯେଉଁ ଖାଲି ସ୍ଥାନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ରହିଛି, ସେଠାରେ ପୟାଶ୍ରାଦ୍ଧ କରିବା ପାଇଁ ଓ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଛି ।"
ଏହା ମଧ୍ୟ ପଢନ୍ତୁ ...ଦୀପାବଳି/କାଳିପୂଜା ଦ୍ୱନ୍ଦ୍ୱ: ୩୧ ନା ୧? କେଉଁ ଦିନ ପାଳିବା ଉଚିତ, ଜାଣନ୍ତୁ ଏହା ମଧ୍ୟ ପଢନ୍ତୁ ...ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସଂଧ୍ୟା ୫ରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ |
ରାତି 10ଟା ପରେ ବାଣ ଫୁଟାଇବା ମନା:
ସେ ଆହୁରିି ମଧ୍ୟ କହିଛନ୍ତି," ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ । କେବଳ ଲାଇସେନ୍ସ ନେଇଥିବା ଦୋକାନୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ । ପୁରୀ ସହର ପାଇଁ ତାଳବଣିଆ ପଡିଆରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ସେଠାରେ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ତେବେ ଆମେ ଅନୁରୋଧ କରୁଛୁ ଲୋକମାନେ ପରିବେଶ ପ୍ରଦୂଷଣ କମ କରୁଥିବା ସବୁଜ ବାଣ କିଣି ଫୁଟାନ୍ତୁ । ରାତି 10ଟା ପରେ ବାଣ ଫୁଟାଇବା ଅନୁମତି ଦିଆଯିବ ନାହିଁ । ପୁରୀ ଜିଲ୍ଲାବାସୀ ସୁରକ୍ଷିତ ଭାବେ ଆନନ୍ଦ ଉଲ୍ଲାସରେ ବାଣ ଫୁଟାଇ ଦୀପାବଳିକୁ ଉପଭୋଗ କରନ୍ତୁ । ତେବେ ସରକାରଙ୍କ ଅନୁମତି ନଥିବା ବେଆଇନ ବାଣ ବିକ୍ରି ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଗତ 5 ଦିନ ଭିତରେ 12 ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ।"
ଇଟିଭି ଭାରତ, ପୁରୀ