ଭୁବନେଶ୍ୱର: ରାଜ୍ୟରେ ଡିପଥେରିଆ ସଂକ୍ରମଣ ଭୟ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡିରେ ମଧ୍ୟ ବଢୁଛି ଡିପଥେରିଆ ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ଏହି ୩ ଜିଲ୍ଲାରେ ୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହେଲାଣି । ଅନେକ ରୋଗୀ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଆଜି (ବୁଧବାର)ଠାରୁ ଏନେଇ ଦିଆଯିବ ବୁଷ୍ଟର ଡୋଜ ଟୀକା । ରାୟଗଡା କାଶୀପୁରରେ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟୀକା । ୧ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବା ସହ 5ରୁ 15 ବର୍ଷ ବୟସ୍କ ଙ୍କୁ ଟିଡି ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଂଚଳରେ ବୁଷ୍ଟର ଡୋଜ ଦିଆଯିବ । ଏପଟେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଉଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ଆଗକୁ ସର୍ଭେଲାନ୍ସ କରାଯିବ ବୋଲି ଜଣାପଡିଛି । ତେବେ ଏହି ରୋଗ କ'ଣ, ଲକ୍ଷଣ ଏବଂ ନିରାକରଣ କ'ଣ? ଜାଣନ୍ତୁ,
ରାଜ୍ୟରେ ଡିପଥେରିଆର ସ୍ଥିତି :-
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣର ରୂପ ନେଇଛି ଡିପଥେରିଆ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪-୫ ଜଣ ସନ୍ଦିଗ୍ଧ ଡିପ ଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୂନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି । କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତାଙ୍କୁ MKCGକୁ ପଠାଯାଇଛି । ଏକ ସ୍ବତନ୍ତ୍ର ଟିମ ମନିଟର କରୁଛି । କଳାହାଣ୍ଡି ରୋଗୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଗ୍ରା, ହାଇଦ୍ରାବାଦରୁ ଆଣ୍ଟି ଡିପଥେରିଆଲ ସିରମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ WHO ଟିମ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଡିପଥେରିଆ କ’ଣ ?
ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ମେଡିସିନ ଡାକ୍ତର ଲମ୍ବୋଦର ପଣ୍ଡା କହିଛନ୍ତି ଯେ, ଡିପ୍ଥେରିଆ ହେଉଛି ଜୀବାଣୁଜନିତ ରୋଗ । ଏହି ଜୀବାଣୁ ଶ୍ଵାସନଳୀରେ ପ୍ରବେଶ କରି ସଂକ୍ରମଣ କରିଥାଏ । ଗଳା, ନାକ ଓ ଫୁସ୍ଫୁସ୍ ପର୍ଯ୍ୟନ୍ତ ସଂକ୍ରମିତ କରିଥାଏ । ଜୀବାଣୁମାନେ ଏହି ସ୍ଥାନଗୁଡ଼ିକରେ ଏକ ଧଳା ଆକାରର ଏକ ପରଦା ସୃଷ୍ଟି କରିଥାନ୍ତି । ଯାହା ଫଳରେ ରୋଗୀ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥାଏ । ଏଥିସହ ବେକ ଫୁଲିବା ସହ ଦୀର୍ଘ ଦିନ ଧରି ଜ୍ଵର ଶରୀରରେ ରହିଥାଏ । ସାଧାରଣତଃ ନାକରେ ସଂକ୍ରମଣ ହେଲେ ସ୍ବଳ୍ପ ବିପଦ ଥାଏ । କିନ୍ତୁ ଯଦି ଗଳା ବା ଶ୍ଵାସନଳୀରେ ସଂକ୍ରମଣ ହେଲା, ରୋଗୀଙ୍କ ପାଇଁ ଅଧିକ ବିପଦ ବଢିବାର ସମ୍ଭାବନା ରହିଥାଏ । ଏହା ରୋଗୀଙ୍କ ହାର୍ଟକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ । ତେଣୁ ଏହି ରୋଗରେ ପିଲାଙ୍କ ବଞ୍ଚିବା ସମ୍ଭାବନା କମ ରହିଥାଏ । ସଂକ୍ରମଣ ରୋକିବାକୁ ଆଣ୍ଟିବାୟୋଟିକ୍ ରହିଛି । ହେଲେ ଏହା ସମ୍ପୂର୍ଣ୍ଣ ଫଳପ୍ରଦ ହେବାର ଆଶା କମ୍ ଥାଏ । ଟୀକା ଦ୍ବାରା ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ । ସରକାରଙ୍କ ପକ୍ଷରୁ ଟୀକା ଦିଆଯିବ । ସମସ୍ତେ ଟୀକା ନେବା ଆବଶ୍ୟକ । ହେଲେ ସରକାରଙ୍କ ଚେଷ୍ଟା ସତ୍ତ୍ୱେ ୫ରୁ୧୦ ପ୍ରତିଶତ ପିଲା ଟୀକା ନେଉନାହାନ୍ତି । ଯାହାଫଳରେ ସେମାନେ ସଂକ୍ରମିତ ହେଲେ ଅନ୍ୟମାନଙ୍କୁ ସଂକ୍ରମଣ କରୁଛି । ପରିବାରର ଜଣେ ସଂକ୍ରମିତ ହେଲେ ପରିବାର ଲୋକଙ୍କୁ ବି ଔଷଧ ଖାଇବାକୁ ପଡ଼ିବ ।
ଡିପଥେରିଆର ଲକ୍ଷଣ:-
ଡିଫଥେରିଆ ଲକ୍ଷଣ ସାଧାରଣତ ଜୀବାଣୁଜନିତ । ବିଶେଷ ଭାବରେ ଏହା 2ରୁ 5 ଦିନ ପରେ ଅଳ୍ପ ମାତ୍ରାରେ ଜ୍ଵର ଆରମ୍ଭ ହୋଇଥାଏ । ଏହାର ଅନ୍ୟ ଲକ୍ଷଣ ଗୁଡ଼ିକ ହେଲା,
- ଉଚ୍ଚ ଜ୍ୱର ହେବା
- ବେକ ବା ଗଳାରେ ଦରଜ ହେବା
- ଦୁର୍ବଳ ଅନୁଭବ ଲାଗିବା
- ସଂକ୍ରମଣର ପ୍ରାୟ 5 ରୁ 7 ଦିନ ପରେ ନିଃଶ୍ୱାସ ପ୍ରଶ୍ୱାସରେ ଥିବା ନଳୀ ମଧ୍ୟରେ ଏକ ମୋଟା ଧଳା ଆବରଣ ଦେଖାଯିବା
- ନାକ ଓ ଗଳା ଉପରେ ଏହା ବିଶେଷ ଭାବରେ ବ୍ୟାପିଥାଏ
- ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
ଡିପଥେରିଆ କିପରି ବିସ୍ତାର ହୁଏ ?
ସଂକ୍ରମିତ ଲୋକମାନେ ପାଟିରେ, ନାକରେ, ଗଳା କିମ୍ବା ଚର୍ମରେ ସାଧାରଣ ଭାବରେ ସଂକ୍ରମିତ ବ୍ୟକ୍ତିର କାଶ କିମ୍ବା ଛିଙ୍କିବା ଦ୍ବାରା ଏହି ରୋଗ ବ୍ୟାପିଥାଏ । ଅନେକ ସମୟରେ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ଘା’ରୁ ବାହାରୁଥିବା ଖରାପ ରକ୍ତ କିମ୍ବା ପାଣି ଏହି ରୋଗ ସଂକ୍ରମଣ ବିସ୍ତାର କରିପାରେ ।
ଏହାର ଚିକିତ୍ସା କ'ଣ ?
ଯଦି ଡିପଥେରିଆ ଚିହ୍ନଟ ହୁଏ ବା ଜାଣିବାକୁ ମିଳେ ତେବେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ । ସାଧାରଣ ଭାବରେ ଲ୍ୟାବ ପରୀକ୍ଷଣର ଫଳାଫଳ ନିଶ୍ଚିତ ହେବା ପୂର୍ବରୁ ଚିକିତ୍ସା କରିବା ଆବଶ୍ୟକ । ଯାହା ଉକ୍ତ କ୍ଷତିକୁ ରୋକିବା ପାଇଁ ଡାକ୍ତର ମାନେ ଡିପଥେରିଆ ଆଣ୍ଟିଟୋକ୍ସିନ୍ ଦିଆଯାଇପାରେ । ତେବେ ସଂକ୍ରମଣର ମୁକାବିଲା ପାଇଁ ଆଣ୍ଟିବାୟୋଟିକ୍, ଏରିଥ୍ରୋମାଇସିନ୍ କିମ୍ବା ପେନିସିଲିନ ନେବା ଆବଶ୍ୟକ । ଯେଉଁମାନଙ୍କର ଡିପଥେରିଆ ଅଛି ସେମାନଙ୍କୁ ଏକ ଘରେ ଅଲଗା ରଖିବାର ବ୍ୟବସ୍ଥା କରାଯିବା ଆବଶ୍ୟକ । ଆଣ୍ଟିବାୟୋଟିକ୍ ଆରମ୍ଭ କରିବାର ପ୍ରାୟ 48 ଘଣ୍ଟା ପରେ ସଂକ୍ରମିତ ବ୍ୟକ୍ତି ଆଉ ସଂକ୍ରମିତ କିଛି ମାତ୍ରାରେ କମିଯାଇଥାଏ ।
ଏହାର ପ୍ରତିରୋଧ :-ଡିପଥେରିଆ ବିରୋଧରେ ସଂଘର୍ଷ ପାଇଁ ଟୀକା ଉପଲବ୍ଧ ରହିଛି । ଯେଉଁ ଟୀକା ଆମ ରାଜ୍ୟରେ ମଧ୍ୟ ଗଚ୍ଛିତ ଭାବରେ ରହିଛି । ଦୀର୍ଘକାଳୀନ ଜୀବନ ସୁରକ୍ଷା ପ୍ରଦାନ କରିବାକୁ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ୍ମର କିଛି ମାସରୁ ଆରମ୍ଭ ହୋଇ 15 ବର୍ଷ ମଧ୍ୟରେ ଟୀକା ଦେଇପାରିବେ । ଏହାସହ ଆଜିକାଲି ମଧ୍ୟ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରୁଛି ଏହି ଡିପଥେରିଆ । ଦୀର୍ଘକାଳୀନ ସୁରକ୍ଷା ପାଇଁ ସମସ୍ତ ପିଲାମାନେ ତିନୋଟି ବୁଷ୍ଟର୍ ଡୋଜ ସହିତ ଡିପଥେରିଆ ବିରୋଧରେ ଏକ ସମ୍ପୂର୍ଣ୍ଣ ପ୍ରାଥମିକ ସିରିଜ୍ ଟୀକାକରଣ ଗ୍ରହଣ କରିବା ଆବଶ୍ୟକ । ଟୀକାକରଣକୁ ମିଶାଇ ଅନ୍ୟ ପିଲାଦିନର ରୋଗରୁ ରକ୍ଷା କରିବାର ଲାଭ ମିଳିଥାଏ । ଯାହା ଟିଟାନସ୍, ପେର୍ଟୁସିସ୍, ମେନିଞ୍ଜାଇଟିସ୍ ଏବଂ ପୋଲିଓ ହୋଇପାରେ । 2022 ମସିହାରେ 84 ପ୍ରତିଶତ ପିଲା ଡିପଥେରିଆ ଟୀକାକରଣର ପ୍ରଥମ ସିରିଜର ସମସ୍ତ ତିନୋଟି ଡୋଜ ଗ୍ରହଣ କରିଥିଲେ ।
ଡିପଥେରିଆ ସହ ଜଡିତ ଜଟିଳତା :-
ଡିପଥେରିଆର ଦୀର୍ଘକାଳୀନ ପ୍ରଭାବ ରହିଛି । ଜଣେ ବ୍ୟକ୍ତିର ବାୟୁପଥଗୁଡିକର ଅବରୋଧ କରିବା । ହାର୍ଟର ମାଂସପେଶୀରେ ଆଘାତ ଦେବା ସହ ସ୍ନାୟୁରେ ମଧ୍ୟ ଆଘାତ ଦେବାର ସମ୍ଭାବନା ରହିଛି । ଅଳସୁଆ ବା ପକ୍ଷାଘାତ ଫୁସଫୁସ ସଂକ୍ରମଣ କିମ୍ବା ଫୁସଫୁସ କାର୍ଯ୍ୟ ହରାଇବାର ମଧ୍ୟ ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ: ୨୦୪୭ ସୁଦ୍ଧା ସିକଲ୍ ସେଲ୍ ମୁକ୍ତ ହେବ ଓଡ଼ିଶା ! ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ
ଇଟିଭି ଭାରତ, ଭୁବନେଶ୍ୱର