ଜଗତସିଂହପୁର: କମ୍ପାନୀ ବିରୋଧରେ ଗ୍ରାମବାସୀଙ୍କ ମେଳି । ଏକାଠି ହୋଇ ଗଛ କାଟିବାକୁ ବିରୋଧ କରିବା ସହ JSW ଗୋ ବ୍ୟାକ୍ ନାରା ଦେଇଛନ୍ତି ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ, ଗୋବିନ୍ଦପୁର, ନୂଆଗାଁ, ପାଟଣା, ମାହାଳ, ଗଡ଼ କୁଜଙ୍ଗ ଭୁଇଁଆ ପାଳ, ପୋଲାଙ୍ଗ, ଆଦି ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗୋବିନ୍ଦପୁର ଅଞ୍ଚଳର ଗ୍ରାମବାସୀମାନେ ଜେଏସଡବ୍ଲୁକୁ ବିରୋଧ କରିବା ସହିତ ଗାଁ ମନ୍ଦିରରେ ଏକଜୁଟ ହୋଇଥିଲେ । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ଯେଉଁ ପ୍ରତିଶ୍ରୁତି ଦେଇଥିଲା ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପାଳନ କରୁନାହିଁ । ଜଙ୍ଗଲ ଜମି ଅଧିଗ୍ରହଣ କରିବା ପାଇଁ ଯେଉଁ ନିୟମ ରହିଛି ତାହାକୁ କମ୍ପାନୀ ପକ୍ଷରୁ ପାଳନ କରାଯାଉନାହିଁ । ବିସ୍ଥାପିତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଅର୍ଥ ଆଜି ପର୍ଯ୍ୟନ୍ତ ପ୍ରଦାନ କରାଗଲା ନାହିଁ । କ୍ଷତିପୂରଣ ପ୍ରଦାନ ନକରି ଜଙ୍ଗଲ ଜମିରୁ ଗଛ କାଟିବାକୁ ଦୃଢ଼ ବିରୋଧ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିବାବେଳେ ତୀବ୍ର ବିରୋଧ ଯୋଗୁଁ କମ୍ପାନୀ ପକ୍ଷରୁ ଗଛ କଟା ବନ୍ଦ ରହିଛି । 2005 ମସିହାରେ ତତ୍କାଳୀନ ରାଜ୍ୟ ସରକାର ଦକ୍ଷିଣ କୋରିଆର ଷ୍ଟିଲ କମ୍ପାନୀ ପୋସ୍କୋ ଇଣ୍ଡିଆ ସହିତ ଏକ ଚୁକ୍ତି ସ୍ବାକ୍ଷର କରିବ ସହିତ 52 ହଜାର କୋଟି ଟଙ୍କା ବ୍ୟୟରେ 120 କୋଟି ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ରାଜ୍ୟ ସରକାର 27ଶହ ଏକର ଜମି ଅଧିଗ୍ରହଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ ଲୁହା ପଥର ଖଣି ମିଳି ନପାରିବାରୁ ପୋସ୍କୋ କମ୍ପାନୀ ଫେରିଯାଇଥିଲା ।
ଅଧିଗ୍ରହଣ ହୋଇଥିବା ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର 2018ରେ JSW କମ୍ପାନୀ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିବା ପରେ କମ୍ପାନୀ ପକ୍ଷରୁ 53 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ଷ୍ଟିଲ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ ସହ ଜଟାଧାରୀ ମୁହାଁଣରେ ନିଜସ୍ଵ ବନ୍ଦର ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏହାକୁ ନେଇ ଢ଼ିଙ୍କିଆରେ 2019 ଡିସେମ୍ବର 17ରେ ଜନ ଶୁଣାଣି ହୋଇଥିଲା । ପୂର୍ବରୁ 27ଶହ ଏକର ଜମି ଅଧିଗ୍ରହଣ ହୋଇ ରହିଥିବାବେଳେ ଅବଶିଷ୍ଟ 258 ଏକର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଧାନ ପାନ ଓ ମୀନକୁ ନେଇ ଜୀବିକା ନିର୍ବାହ କରୁଥିବା ଲୋକେ ଏହାକୁ ବିରୋଧ କରିବାରୁ ପୋଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ପ୍ରଶାସନ ବଳ ଲଗାଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିଥିବାବେଳେ ଏବେ କ୍ଷତିପୂରଣ ଅର୍ଥକୁ ନେଇ ପୁଣି ବିବାଦ ଦେଖା ଦେଇଛି । ଗ୍ରାମବାସୀମାନେ ଏକାଠି ହୋଇ JSWକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର