ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଶୃଙ୍ଖଳାକୁ ଶ୍ରୀମନ୍ଦିର ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଛି । ଫଳରେ ସବୁ ଦିନ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେଉଥିବା ବେଳେ ବିଭିନ୍ନ ବିଭ୍ରାଟ ଘଟୁଛି । ଗତ ରବିବାର ମହାପ୍ରଭୁ ନୀତିରେ ବିଶୃଙ୍ଖଳା ସୀମା ଟପିଥିଲା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେବାରୁ ରବିବାର ଦ୍ବିତୀୟ ଭୋଗ ମଣ୍ଡପ ପୂଜା ନୀତି ରାତି 11ଟା ଶେଷ ହୋଇଥିଲା । ଫଳରେ ମହାପ୍ରସାଦ ବରାଦ ଦେଇଥିବା ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ନିରାଶରେ ଫେରିଥିଲେ । ତେବେ ଏଭଳି ନୀତି ବିଶୃଙ୍ଖଳା ହେବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ । ନୀତିରେ ଅହେତୁକ ବିଳମ୍ବ ଓ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବା ଘଟଣାରେ ଦାୟୀ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ଭକ୍ତ ।
କେବଳ ସେବାୟତ ନୁହେଁ ଯେଉଁ ପ୍ରଶାସନିକ ଅଧିକାରୀ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଭକ୍ତ । ସରକାର କଠୋର ନିଷ୍ପତ୍ତି ନ ନେଲେ ଆଗାମୀ ଦିନରେ ଆହୁରି ନୀତିରେ ବିଶୃଙ୍ଖଳା ସହ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦରୁ ବଞ୍ଚିତ ହେବେ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ କରିବା ପାଇଁ ମାଳ ମାଳ ଅଫିସର ଥିବା ବେଳେ ସେମାନଙ୍କ ଭୂମିକା ଉପରେ ଭକ୍ତ ପ୍ରଶ୍ନ କରିଛନ୍ତି । ନୀତି ବିଶୃଙ୍ଖଳା ପାଇଁ ଗତ 2019ରେ ସେବାୟତଙ୍କ ପାଳିଆ ପୁରସ୍କାର କଟିବାର ନିୟମ ହୋଇଥଲା । ତେବେ ଏହି ନିୟମ ଏବେ ଶୀତଳ ଭଣ୍ଡାରରେ ପଡ଼ି ରହିଛି ।
ଏହା ମଧ୍ୟ ପଢନ୍ତୁ ... ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ; ପରିକ୍ରମା ପ୍ରକଳ୍ପରେ ଭକ୍ତ ଦେଖିବେ କାଳିଆର ୨୫ ବେଶ
ଗତ ପହିଲି ଭୋଗ ସମୟରେ ଦ୍ଵାର ଫିଟା ନୀତି ରାତି 2ଟା ଥିବା ବେଳେ କେବଳ ନବ ବର୍ଷ ଦିନକୁ ଛାଡି ସବୁଦିନ ବିଳମ୍ବ ହୋଇଥଲା । ସେହିପରି ଦୈନନ୍ଦିନ ନୀତି ଅନୁଯାୟୀ ଭୋର୍ 4ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସ୍ଥିର ହୋଇଥିବା ବେଳେ ଏହାକୁ ବିଳମ୍ବ କରାଯାଇ 5 ଟା 50 ରୁ 6ଟା ମଧ୍ୟରେ ଦ୍ବାର ଫିଟା ନୀତି ହେଉଛି । ଫଳରେ ଦୈନନ୍ଦିନ ନୀତିରେ ବିଳମ୍ବ ହେଉଛି । ତେବେ ଶ୍ରୀମନ୍ଦିର ନୀତି ବିଳମ୍ବକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ଜଗନ୍ନାଥ ପ୍ରେମୀ ।
ଶ୍ରୀମନ୍ଦିର ଏବେ କିଛି ମୁଷ୍ଟିମେୟ ସେବାୟତଙ୍କ ଖେଳଘର ହୋଇଯାଇଛି । ନିଜ ସ୍ବାର୍ଥ ଅନୁଯାୟୀ ମହାପ୍ରଭୁଙ୍କ ନୀତି ଅନୁଷ୍ଠିତ କରାଯାଉଛି । ଶ୍ରୀମନ୍ଦିର ପରିଚାଳନା କମିଟି ନିଜ ଦାୟିତ୍ବ ଭୁଲି ରାଜନୀତିରେ ମାତିଛି । ବହୁ ଦୂରରୁ ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇଁ ଧାଇଁ ଆସୁଛି । ହେଲେ କେତେକ ସେବାୟତଙ୍କ ଯୋଗୁ ନୀତି ବିଶୃଙ୍ଖଳା ହୋଇ ଭକ୍ତ କଷ୍ଟ ପାଉଛନ୍ତି । ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଭକ୍ତ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ଇଟିଭି ଭାରତ, ପୁରୀ