ଭୁବନେଶ୍ବର: ଭୁବନେଶ୍ବରରେ ଦିଲ୍ଲୀ ସିବିଆଇ ଟିମ୍ର ରେଡ । ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ ବେଳେ ମାଡି ବସିଲା ସିବିଆଇ । ହୋଟେଲ ବାହାରେ ଥିବା ଦାମୀ କାରରୁ ଜବତ ହେଲା ପୁଳା ପୁଳା ଟଙ୍କା ଓ ସୁନା । ଲାଞ୍ଚ ନେବା ପାଇଁ ଓ ଲାଞ୍ଚ ଦେବା ପାଇଁ ଆସିଥିବା ଦୁଇ ପକ୍ଷର ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ 3 ଜଣଙ୍କୁ ଗିରଫ କରିଛି ସିବିଆଇ ।
ଦେଢ଼ କୋଟି ଟଙ୍କାର ଡିଲ ପାଇଁ 12ଲକ୍ଷର ଲାଞ୍ଚ କାରବାର :
ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଡାକ୍ତରୀ ମାଇନା କରି କୋର୍ଟରେ ହଜାର କରିଥିଲା CBI । ସେମାନେ ହେଲେ ଓଡ଼ିଶା ପଶ୍ଚିମ ବଙ୍ଗ ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ ମଧ୍ୟସ୍ତି ସନ୍ତୋଷ ମହାରଣା । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, 150 କୋଟିର ଟେଣ୍ଡର ପାଇଁ ଭୁବନେଶ୍ୱରରେ ରାତି ଅଧିଆ ହେଉଥିଲା ଡ଼ିଲ । ଦେଢ଼ କୋଟି ଟଙ୍କାର ଡିଲ ପାଇଁ 12ଲକ୍ଷର ଲାଞ୍ଚ କାରବାର ହେଉଥିଲା ।
ତାରକା ହୋଟେଲ ସମ୍ମୁଖରେ ସିବିଆଇ ରେଡ:
ଗତକାଲି ପ୍ରାୟ ସନ୍ଧ୍ୟା ସାତଟା ସମୟରେ ନୟାପଲ୍ଲୀ ଅଞ୍ଚଳରେ ଏକ ତାରକା ହୋଟେଲ ସାମ୍ନାରେ OD 05 BV 9999 ଏସୟୁଭି ଗାଡ଼ିର ବନେଟ ଭିତରୁ ବଣ୍ଡଲ ବଣ୍ଡଲ ଟଙ୍କା ବାହାରୁଥିବା ଦେଖି ଲୁଟ ବା ରେଡ ପଡ଼ିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ବେଳେ ସେମାନେ ଦିଲ୍ଲୀର ସିବିଆଇ ଟିମ୍ ବୋଲି ଜାଣିବାକୁ ପାଇଥିଲେ ।
ଏହା ମଧ୍ୟ ପଢନ୍ତୁ-କୋଲକାତାରୁ ବାରିପଦାକୁ ଆସିଥିଲା 19 କେଜି ସୁନା, ଯାଞ୍ଚ ପରେ ମିଳିଲା ପ୍ରମାଣ
ଲାଞ୍ଚ କାରବାର ଭଣ୍ଡୁର କଲା CBI:
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରୀ ଅଫ ହେବି ଇଣ୍ଡଷ୍ଟ୍ରିଜ ଅଧିନରେ ଆସୁଥିବା ବ୍ରୀଜ ଆଣ୍ଡ ରୁଫ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ପାଇଁ ଗତକାଲି ଭୁବନେଶ୍ବର ଆସିଥିଲେ । ଭୁବନେଶ୍ୱର ଏକ ଠିକା ସଂସ୍ଥାର ଡାଇରେକ୍ଟର ତାଙ୍କୁ ଟଙ୍କା ଦେବା ପାଇଁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ କରୁଥିଲେ । ଏହାକୁ ଟ୍ରାକ କରି ଦିଲ୍ଲୀର ସିବିଆଇ ଟିମ୍ ଭୁବନେଶ୍ବରରେ ପହଞ୍ଚି ଲାଞ୍ଚ ନେଣଦେଣ ବେଳେ ଚଢାଉ କରି 4 ଜଣଙ୍କୁ ଅଟକ ରଖିଛି । ହୋଟେଲ ବାହାରେ ଥିବା ଠିକା ସଂସ୍ଥାର ଡାଇରେକ୍ଟରଙ୍କ ଏକ ଦାମୀ କାରରୁ ସିବିଆଇ ପାଖାପାଖି 10ରୁ 20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିବା ବେଳେ100 ଗ୍ରାମରୁ ଉର୍ଦ୍ଧ୍ବ ସୁନା ଜବତ କରିଛି । ଏହି ଘଟଣାରେ ଭୁବନେଶ୍ୱର, କଟକ ଓ କଲିକତା ସମେତ ଦିଲ୍ଲୀରେ ପ୍ରାୟ 8 ଟି ସ୍ଥାନରେ ଦିଲ୍ଲୀ ସିବିଆଇ ଟିମ୍ ରେଡ ଜାରି ରଖିଛି। କେନ୍ଦ୍ର ସରକାର ବା ସରକାରୀ ପରିଚାଳିତ ସଂସ୍ଥାର କର୍ମଚାରୀ କିଛି ଟଙ୍କା କାରବାର କରୁଥିଲେ ବା ଲାଞ୍ଚ ନେଉଥିଲେ ସିବିଆଇ ଏନେଇ ଖବର ସଂଗ୍ରହ କରି ରେଡ କରିଥାଏ। ପୂର୍ବରୁ ଜଣେ ଏଫସିଆଇ ଅଧିକାରୀଙ୍କୁ ମଧ୍ୟ ଟ୍ରାପ କରାଯାଇଥିଲା ।
ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ କମ୍ପାନୀ ଉପରେ ରେଡ:
ଲାଞ୍ଚ କାରବାର ଘଟଣାରେ ସିବିଆଇ ଆଜି ଦିଲ୍ଲୀ, କଲିକତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଓଡ଼ିଶାର ଭୁବନେଶ୍ୱର ସମେତ 5ଟି ସ୍ଥାନରେ ରେଡ ହୋଇଛି । ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ କମ୍ପାନୀ ଉପରେ ରେଡ କରିଛି ସିବିଆଇ । ରାମ ମନ୍ଦିର ପାଖରେ ଥିବା ବ୍ରାଞ୍ଚ ଅଫିସରରେ ତନାଘନ ଚାଲିଛି। ଭୁବନେଶ୍ୱର, କଟକ, ଛାତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହୋଇଛି। ଭୁବନେଶ୍ୱର ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ ଜୋନାଲ ଅଫିସ, ନୟାପଲ୍ଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବ ଦତ୍ତ ମହାପାତ୍ରଙ୍କ ଘର ଉପରେ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି।
ସିବିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକସିଙ୍ଗ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଛି । ଯାହା ଫଳରେ ଦିଲ୍ଲୀ, କଲିକତା ଓ ଓଡ଼ିଶାରେ ରେଡ଼ ଜାରି ରହିଛି।
ଇଟିଭି ଭାରତ, ଭୁବନେଶ୍ବର