ଭୁବନେଶ୍ବର: ଟ୍ବିନ୍ ସିଟିବାସୀଙ୍କ ପାଇଁ କଡା ଚେତାବନୀ । ଏଥର ମଦ ପିଇ ଗାଡି ଚଳାଇବା ପଡିବ ମହଙ୍ଗା । ଆଉ କଟିବନି ଚାଲାଣ, ସିଧା ଯିବେ କୋର୍ଟ । ଏପରି ନୂଆ ନିୟମ ଲାଗୁ କରି ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ ଫେବୃଆରୀ 1ରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ 44ଟି କେସ୍ ହୋଇଥିବା ବେଳେ କଟକରେ 29ଟି କେସ୍ ରୁଜୁ କରି ନିୟମ ଉଲଙ୍ଘନକାରୀଙ୍କୁ ଗିରଫ କରିବା ସହ ଗାଡ଼ି ସିଜ୍ କରି କୋର୍ଟକୁ ପଠାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ସ୍ବତନ୍ତ୍ର ଡ୍ରାଇଭ ଜାରି ରଖାଯାଇଛି । ଏନେଇ ବିଭିନ୍ନ ସ୍ଥାନରେ ଚେକିଂ ଓ ରାତି ଅଧିଆ ଚେକିଂ ମଧ୍ୟ ହେଉଛି । ବ୍ରେଥ୍ ଆନାଲାଇଜର ଜରିଆରେ ଚେକିଂ କରାଯାଉଛି । ଯେଉଁଠି ମାତ୍ରାଧିକ ମଦ୍ୟପାନ କରି ଗାଡି ଚଳାଉଥିବା ଲୋକେ ଧରାପଡୁଛନ୍ତି, ସେମାନଙ୍କୁ ଅଟକ ରଖାଯାଉଛି । ସେମାନଙ୍କ ନାଁରେ କେସ ହେଉଛି । ଗାଡି ସିଜ୍ କରାଯିବା ସହିତ ଡିଏଲ୍ ସସ୍ପେନସନ୍ ପାଇଁ ଆରଟିଓଙ୍କୁ ଲେଖାଯାଉଛି । ଖୁବଶୀଘ୍ର ସେହି କେସର ତଦନ୍ତ କରି ଚାର୍ଜସିଟ ଦାଖଲ ପାଇଁ ପ୍ରକ୍ରିୟା ଜାରି କରାଯାଉଛି । ଏଣିକି ଖାଲି ଏମ୍ଭିଆଇ ଆକ୍ଟରେ ପିଆର୍ ବଣ୍ଡ ନଦେଇ ଏଭଳି କରାଯାଉଛି । ଗତ ଫେବୃଆରୀ ୧ ତାରିଖରୁ ଏଭଳି ଡ୍ରାଇଭ ଜାରି ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ବେଶ ବଦଳାଇ ଲୁଟୁଥିଲେ, 4 ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ମଦ୍ୟପାନ କରିଥିବା ବ୍ୟକ୍ତି ଚେକିଂ ବେଳେ ଧରାପଡିଲେ ତାଙ୍କ ନାଁରେ IPC ଧାରା ୨୭୯ରେ କେସ ହେଉଛି । ବେପରୁଆ ଗାଡି ଚାଳନା ମଣିଷ ଜୀବନ ପ୍ରତି ବିପଦ । ଏନେଇ ଆଇନଗତ ଦଣ୍ଡନୀୟ ଅପରାଧରେ ଗାଡି ସିଜ୍ ହେବା ସହ ସିଧା କୋର୍ଟ ଚାଲାଣ କରାଯାଉଛି । ଯେଉଁଠି ଉଲଙ୍ଘନକାରୀ ଚାହିଁଲେ କୋର୍ଟରେ ନିଜ ଭୁଲ୍ ପାଇଁ ଦୋଷ ସ୍ବୀକାର କରି ଫାଇନ ଦେଇ କୋର୍ଟରୁ ବେଲରେ ଆସିପାରିବେ । ହେଲେ ଉଲଙ୍ଘନକାରୀଙ୍କ ନାଁରେ କୋର୍ଟରେ କେସ ଓ ଦୋଷ ସ୍ବୀକାର ନକଲେ ଦୋଷୀ ସାବସ୍ତ୍ୟ ହେବେ । 6 ମାସ ପର୍ଯନ୍ତ ଜେଲ ଦଣ୍ଡ ସହ ୧ ହଜାର ଟଙ୍କା ଫାଇନ ଦେବେ । ନଚେତ ଜେଲ ଦଣ୍ଡ ପାଇଁ ଫାଇନ ଦେଇ ମଧ୍ୟ ଜାମିନରେ ମୁକୁଳି ପାରିବେ । ଫଳରେ କ୍ରାଇମ କ୍ରିମିନାଲ ରେକର୍ଡରେ ଆପଣଙ୍କ ନାଁରେ ପୋଲିସ କେସ୍ ଗଡିବ । ଫଳରେ ଚାହିଁଲେ ଆପଣ ନିଯୁକ୍ତି କ୍ଷେତ୍ରରେ ପୋଲିସ କେସ୍ ପାଇଁ ଭିନ୍ନ ସମସ୍ୟା ସାମ୍ନା କରିବେ । ନଚେତ ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ ପଡିଲେ ବି ଭେରିଫିକେସନ୍ ବେଳେ ପୋଲିସ କେସ୍ ଯୋଗୁଁ ସମସ୍ୟାର ସାମ୍ନା କରିବେ ।
ଏଭଳି ନିୟମ ଦ୍ବାରା ମଦ୍ୟପାନ କରି ଗାଡି ଚଳାଉଥିବା ଲୋକଙ୍କ ମନରେ ଭୟ ରହିବ । ମଦ୍ୟପାନ କରି ଗାଡି ଚଳାଉଥିବା ବେପରୁଆ ଭାବେ ମଦ ନିଶାରେ ଗାଡି ଚଳାଇବେ ନାହିଁ । ଯାତାୟତ ବେଳେ ଲୋକଙ୍କ ପାଇଁ ସମସ୍ୟା ବା ଦୁର୍ଘଟଣା ଘଟାଇବାର ଭୟ ରହିବ ନାହିଁ । କାରଣ ଅନେକ ସମୟରେ ଦେଖାଯାଏ, ମଦ୍ୟପାନ ଯୋଗୁଁ ଗାଡି ଚାଳନା ସମୟରେ ଦୁର୍ଘଟଣା ଘଟାଇ ଅନେକ ଜୀବନହାନି ହେବା ସହ ନୀରିହ ଜୀବନକୁ ବିପଦରେ ପକାଇଥାନ୍ତି । ଏଭଳି ପୋଲିସର କଡା ନିୟମ ଭୟରେ କେହି ମଦ୍ୟପାନ କରି ଗାଡି ଚାଳନା ନକରନ୍ତୁ ଓ କାହାର ସଂସାର ଅକାଳରେ ଉଜୁଡ଼ି ନଯାଉ, ଏନେଇ ଏକ ସୁସ୍ଥ ବାତାବରଣ ବଜାୟ ରଖିବା ପାଇଁ ଏଭଳି ପ୍ରୟାସକୁ ଅନେକ ମହଲରେ ପ୍ରଶଂସା କରାଯାଇଛି ।
ତେବେ ଆଗରୁ ମଦ ପିଇ ଗାଡି ଚଳାଉଥିଲେ ପୋଲିସ ଓଡିଶା ଅର୍ବାନ ଆକ୍ଟ୍ରେ ୫୦୦ ଟଙ୍କା ନଚେତ ଏମ୍ଭିଆଇ ଆକ୍ଟରେ ୧୦୦୦ ଟଙ୍କାର ଫାଇନ କାଟୁଥିଲା । ପରେ ଏନେଇ ସ୍ବତନ୍ତ୍ର ଡ୍ରାଇଭ କରି ଏମ୍ଭି ପିଆର ବଣ୍ଡ ଜରିଆରେ ଗାଡିକୁ କୋର୍ଟକୁ ପଠାଉଥିଲେ । ହେଲେ ବର୍ତ୍ତମାନ ପୋଲିସ କମିଶନର ଯୋଗଦେବା ପରେ ପ୍ରଥମ ଥର ପାଇଁ ଟ୍ବିନ୍ ସିଟିରେ ଏଭଳି କଡା ନିୟମ ଦେଖିବାକୁ ମିଳୁଛି । ଯାହକି ସହରରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ଏକ ପ୍ରକାର ଅଙ୍କୁଶ ଲାଗିପାରିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର