ଭୁବନେଶ୍ବର: ରାଜଧାନୀରେ ଆଜି ପ୍ରଚାର ମଇଦାନକୁ ଓହ୍ଲେଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ୱର ମଧ୍ୟରେ ବିଶାଳ ରୋଡ଼ ସୋ' ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ନବୀନ । ୟୁନିଟ-6 ଗଙ୍ଗନଗରରୁ ରୋଡ଼ ସୋ' ଆରମ୍ଭ ହୋଇ ଶିଶୁ ଭବନ ଛକରେ ଶେଷ ହେବ । ନବୀନଙ୍କ ରୋଡ଼ ସୋ' ପାଇଁ ଦଳ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି । ସହରରେ ଟ୍ରାଫିକ କଟକଣା ଲାଗୁ ହୋଇଛି ।
![ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ](https://etvbharatimages.akamaized.net/etvbharat/prod-images/16-05-2024/od-bbsr-02-naveen-road-show-7209787_16052024113350_1605f_1715839430_681.jpg)
ଅପରାହ୍ନ 4ଟାରେ ରୋଡ ସୋ':- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ଼ ସୋ' କରିଥିଲେ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା ମୋଦିଙ୍କ ରୋଡ଼ ସୋ' । ଏହାପରେ ଆଜି(ଗୁରୁବାର) ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପ୍ରଚାର ପାଇଁ ଓହ୍ଲାଇଛନ୍ତି । ରୋଡ ସୋ'ରେ ତାଙ୍କ ସହ ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିବେ । ନବୀନଙ୍କୁ ସ୍ୱାଗତ କରିବା ଲାଗି ବିଭିନ୍ନ ସ୍ଥାନରେ ଦଳର ନେତା ଓ କର୍ମୀ ଉପସ୍ଥିତ ରହିବେ ।
![ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ](https://etvbharatimages.akamaized.net/etvbharat/prod-images/16-05-2024/od-bbsr-02-naveen-road-show-7209787_16052024113350_1605f_1715839430_757.jpg)
ଗଙ୍ଗନଗରରୁ ରୋଡ ସୋ' ଆରମ୍ଭ ହୋଇ ଏଲଆଇସି, ଛକ, ଗୋପବନ୍ଧୁ ଛକ, ୟୁନିଟ 8, ୟୁନିଟ 8 ଡିଏଭି ସ୍କୁଲ, ବାଲୁଙ୍କେଶ୍ୱରୀ ମନ୍ଦିର, ମମତାଜଲି ସ୍କୁଲ, ଶ୍ରୀକୃଷ୍ଣ କ୍ଳବ, କଳିଙ୍ଗ ଷ୍ଟାଡିୟମ ଛକ, ନିକୋ ପାର୍କ, ବାଇଆ ବାବା ଛକ, ରୂପଲି ଛକ, ସତ୍ୟନଗର, ଶ୍ରେୟା ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଓ ଶେଷରେ ଶିଶୁ ଭବନ ଛକରେ ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ'କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଲାଗୁ କରାଯାଇଛି ।
ଏହିସବୁ ମାର୍ଗରେ ବନ୍ଦ ରହିବ ଗାଡି ଚଳାଚଳ:-
![ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ](https://etvbharatimages.akamaized.net/etvbharat/prod-images/16-05-2024/od-bbsr-02-naveen-road-show-7209787_16052024113350_1605f_1715839430_295.jpg)
ଆଜି ଅପରାହ୍ନ ସାଢ଼େ ୪ରୁ ରୋଡ ସୋ' ସରିବା ପର୍ଯ୍ୟନ୍ତ ୟୁନିଟ 6 ଗଙ୍ଗନଗର ଛକରୁ ଏଲଆଇସି ଅଫିସ ଛକ ବାମ ପାର୍ଶ୍ଵ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ୟୁନିଟ 8 ଡ଼ିଏଭି ସ୍କୁଲ ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକରୁ ବାମ ପାର୍ଶ୍ବ ରାସ୍ତା ଦେଇ ବାଲୁକେଶ୍ଵର ମନ୍ଦିର ଛକ, ମମତାଜଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି ଛକ, ନିକ୍କୋ ପାର୍କ ଛକ, ବାୟାବାବା ମଠରୁ ବାମ ପାର୍ଶ୍ଵ ରାସ୍ତା ଦେଇ ରୂପାଲୀ ଛକରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବାଆସିବା କରିପାରିବେ ନାହିଁ ।
ଏହି ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର