ଭୁବନେଶ୍ବର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ହେବ ରୂପାନ୍ତରଣ । ଆଜି (ସୋମବାର) ଏହାର ରୂପାନ୍ତରୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଭୀମ ଭୋଇ ପାଠାଗାରକୁ ଭିସି ଯୋଗେ ଲୋକାର୍ପଣ କରିଛନ୍ତି ।
ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଏହି ପ୍ରକଳ୍ପର ପରିକଳ୍ପନା ହୋଇଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମର ମିଳିତ ଉଦ୍ୟମରେ ଗ୍ରନ୍ଥାଗାର ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵରର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ ।
ଅଧିକ ପଢନ୍ତୁ- କଟକରେ ଅତ୍ୟାଧୁନିକ ଲାଇବ୍ରେରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୩୦ କୋଟି ୫୮ଲକ୍ଷ
ଓଡ଼ିଶାର ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା । ଏହି ଗ୍ରନ୍ଥାଗାରର ଉପଲବ୍ଧତା ଏବଂ ଯୁବଗୋଷ୍ଠୀକୁ ପୁସ୍ତକ ପଠନ ପାଇଁ ଅଧିକ ପ୍ରେରଣା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ବ୍ୟାପକ ନବୀକରଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି । ଅତ୍ୟାଧୁନିକ ଭିତ୍ତିଭୂମି ଜରିଆରେ ଏହି ଗ୍ରନ୍ଥାଳୟର ବିକାଶ କରି ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲାଯିବ । ଏପରିକି ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ସେହିପରି ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ ପାଇଁ ମଧ୍ୟ ଯୋଜନା ରହିଛି । ଯାହାଦ୍ଵାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡିକୁ ପଢିପାରିବ । ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ।
ଏଥିସହ ଲାଇବ୍ରେରୀ ସେବାଗୁଡିକର ଉପଲବ୍ଧତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ଖଣି ନିଗମ ଦ୍ଵାରା ରାଜଧାନୀର ବାପୁଜୀ ନଗରରେ ଥିବା ସନ୍ଥକବି ଭୀମଭୋଇ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ପରିଦର୍ଶକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁବିଧା ସହିତ ଏକ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହି ପାଠାଗାରରେ ଦୈନିକ ପ୍ରାୟ ୨୦୦ ଟି ଆସନର ବ୍ୟବସ୍ଥା ରହିଛି, ଯେଉଁଠି ଜନସାଧାରଣ ସୁବିଧାରେ ବସି ଅଧ୍ୟୟନ କରିପାରିବେ । ସେହିଭଳି ଭୁବନେଶ୍ବର ମହାନଗର ନିଗମର ୬ଟି ଜୋନରେ ଅତ୍ୟାଧୁନିକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଦ୍ବାରା ପାଠାଗାରକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ଲକ୍ଷ୍ୟ ହାସଲ ହୋଇପାରିବ । ଅଧିକ ସଂଖ୍ୟାରେ ଜନସାଧାରଣ ବିଶେଷ କରି ଯୁବବର୍ଗ ଏବଂ ଛୋଟ ପିଲା ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯିବ ।
ସେପଟେ ଗ୍ରନ୍ଥାଗାରର ରୂପାନ୍ତରୀକରଣକୁ ଅଧ୍ୟୟନରତ ଛାତ୍ରଛାତ୍ରୀ ସ୍ବାଗତ କରିବା ସହ ଗ୍ରନ୍ଥାଗାରର ସମସ୍ୟା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଦିଆନଯିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ କହିଛନ୍ତି ରାଜ୍ୟ ଗ୍ରନ୍ଥାଗାର ବିଶ୍ବସ୍ତରୀୟ ହୋଇଥିବା ବେଳେ ଏଠାରେ ଅନେକ ମୌଳିକ ସମସ୍ୟା ତ ରହିଛି ତାହା ପୂରଣ ହେବ । ହେଲେ ଆମର ଦାବି ରହୁଛି ଏଠାରେ କେତେକ ଗୁରୁତ୍ବପୂର୍ଣ୍ଣ ଛୁଟିକୁ ଛାଡିଦେଲେ ଅନ୍ୟ ସମୟରେ ଖୋଲା ରହୁ ଆଉ ୨୪ ଘଣ୍ଟା ଖୋଲା ରହିଲେ ଚାକିରୀ କରି ପ୍ରସ୍ତୁତି କରୁଥୁବା ପିଲାମାନଙ୍କୁ ସମୟ ମିଳିବ ପାଠ ପଢିବା ପାଇଁ । ଏହାସହ ପ୍ରଶାସନିକ ଚାକିରୀ ପ୍ରସ୍ତୁତି ପାଇଁ ବ୍ୟବସ୍ଥିତ ସୁବିଧା ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । କାରଣ ଏଠାରେ ପଢ଼ୁଥିବା ପିଲାମାନେ ସାଧାରଣ ପରିବାରରୁ ଆସିଥାନ୍ତି । ଯାହାଙ୍କ ପାଇଁ ପ୍ରଶାସନିକ ଚାକିରୀ ପ୍ରସ୍ତୁତିର ପ୍ରଶିକ୍ଷଣ ପାଇଁ ସ୍ଵଛଳ ନଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେଲେ ଅନେକ ପିଲା ନିଜା ଉତ୍ତମ ଭବିଷ୍ୟତ ଗଢ଼ିପାରିବେ ଆଉ ସ୍ବାବଲମ୍ବୀ ହୋଇ ଦେଶ ଗଠନରେ ସହାୟକ ହେବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆଯାଇଥିଲା। ଏହି କ୍ରମରେ ସାରସ୍ବତ ସମୃଦ୍ଧି ପାଇଁ ଓଡିଶାର ପ୍ରତିବଦ୍ଧତାର ପ୍ରତୀକ ଭାବରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ବାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ଯ୍ୟକ୍ଷମ ହୋଇଥିଲା । ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ, ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଜ୍ଞାନକେନ୍ଦ୍ର ଭାବେ ଏହା ବ୍ୟବହୃତ ହୋଇଆସୁଛି।
ଇଟିଭି ଭାରତ, ଭୁବନେଶ୍ବର