ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା । ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆୟୋଜିତ ଏହି ମେଳାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଏହି ମେଳା ଆୟୋଜିତ ହୋଇଛି । ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର ।
ତେବେ ଆଦିବାସୀ ମେଳା ଗତକାଲି(26 ଜାନୁଆରୀ) ଠାରୁ ଆରମ୍ଭ ହୋଇ ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପି ଚାଲିବ । ଚଳିତବର୍ଷ ଏହି ମେଳାରେ ଗାଁ ମାଟିର ବାସ୍ନା ପାଇବେ ରାଜଧାନୀବାସୀ । ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ ରୁ ରାତି ୯ଟା ଯାଏଁ ଖୋଲାରହିବ । ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ ଟା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଆଦିବାସୀ ମେଳାରେ ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ ଜନଜାତି ସମ୍ପ୍ରଦାୟର ୪୪ ଗୋଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲୋକଙ୍କ ମନୋରଞ୍ଜନ କରିବେ । ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ ରହିଛି ।
ଏହି ଉଦଘାଟନୀ ଅବସରରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, "ଆଦିବାସୀମାନଙ୍କର ଜୀବିକା ପାଇଁ ସେମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ, ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଭଳି ବିଭିନ୍ନ ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ସ୍ୱତନ୍ତ୍ର ହାଟ ବା ବଜାର ଖୋଲିବ। ଯେଉଁଠି ୧୦ କି ୧୫ ଦିନ ନୁହେଁ ସବୁଦିନ ସେମାନେ ସେମାନଙ୍କର ସାମଗ୍ରୀର ପସରା ଖୋଲିପାରିବେ ଓ ବିକ୍ରି ମଧ୍ୟ କରିପାରିବେ । ଏନେଇ କେଉଁ ଦିନରୁ ଦାବି ହେଇଆସୁଥିବା ବେଳେ ରାଜ୍ୟ ସରକାର ଏନେଇ ଆଲୋଚନା କରୁଛନ୍ତି । ଖୁବଶୀଘ୍ର ନିଷ୍ପତ୍ତି ହେବା ସହ ଭୁବନେଶ୍ୱରରେ ଚଳିତ ବର୍ଷ ଭିତରେ ଜାଗା ଚିହ୍ନଟ ହେବ । ଆଉ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ.....ଜାତୀୟ ଜନଜାତି ମେଳା 2024 ଉଦଘାଟିତ, 12ଟି ରାଜ୍ୟର କଳାକୃତି ପ୍ରଦର୍ଶନ
ସେପଟେ ଏହି ମେଳାରେ କୁଟିଆ କନ୍ଧ, ସାନ୍ତାଳୀ, ଖଡିଆ ,ମାଙ୍କିଡ଼ିଆ, ଜୁଆଙ୍ଗ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ଚାଲିଚଳଣୀ ସହ ସେମାନଙ୍କ ଘର ସ୍ମାର୍ଟସିଟିବାସୀଙ୍କ ମନୋରଞ୍ଜନ କରୁଛି । ଉଦଘାଟନୀ ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକି ଷ୍ଟଲ୍ ଗୁଡ଼ିକ ବୁଲିବା ସହ ଦାରିଙ୍ଗବାଡିର ହର୍ବାଲ ଟି ପିଇଥିଲେ । କିଛି ବ୍ୟବସାୟୀଙ୍କୁ ଉପହାର ମଧ୍ୟ ଦେଇଛନ୍ତି । ଅନ୍ୟପଟେ ପ୍ରଥମ ଥର ପାଇଁ ବହୁଭାଷୀ ଥିଏଟର ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଯାହା ୩ ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି । ବିଗତବର୍ଷ ଆଦିବାସୀ ମେଳାରୁ ୫ କୋଟି ଆୟ ହୋଇଥିବା ବେଳେ ଚଳିତବର୍ଷ ଏହାଠାରୁ ଅଧିକା ବ୍ୟବସାୟ ପାଇଁ ଲକ୍ଷ୍ୟ ରଖିଛି ବିଭାଗ ବୋଲି କହିଛନ୍ତି ବିଭାଗୀୟ ସଚିବ ରୂପା ରୋଶନ ସାହୁ।
ଇଟିଭି ଭାରତ, ଭୁବନେଶ୍ବର