ଭୁବନେଶ୍ବର: ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ । ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଛି । ବିଧାନସଭା ପରିସରରେ ଆଜି ରାଜ୍ୟସ୍ତରୀୟ ଶହୀଦ ଦିବସ ମହାସମାରୋହରେ ପାଳିତ ହୋଇଛି ।
ଶହୀଦ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ସାଲୁଜା ପ୍ରଧାନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସେହିପରି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
ଅଧିକ ପଢନ୍ତୁ- ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପାଳିଲା ମାହାତ୍ମା ଗାନ୍ଧୀ ଶ୍ରାଦ୍ଧ ଦିବସ
ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଶାଶ୍ବତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ । ପୋଲିସ ବାହିନୀ ଦ୍ବାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପଧ୍ବନି, ଦୁଇ ମିନିଟ ନୀରବ ପ୍ରାର୍ଥନା, ନୀରବ ପ୍ରାର୍ଥନା ସମାପ୍ତିର ସଙ୍କେତ ସ୍ବରୂପ ଦ୍ବିତୀୟବାର ତୋପଧ୍ବନି କରାଯାଇଛି । ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ବାରା ରାମଧୂନ ପରିବେଷଣ ଓ ଜାତୀୟ ସଂଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଛି । ରାଜ୍ୟପାଳ ରଘୁବର ଦାସଙ୍କ ସମେତ ସମସ୍ତ ଅତିଥି ବିଧାନସଭା ପରିସରରୁ ପ୍ରସ୍ଥାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ଅନ୍ୟ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର