ଭୁବନେଶ୍ବର: ରାଜ୍ୟରେ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀ ସୃଷ୍ଟି ହେବ । ଗତକାଲି(ରବିବାର) ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଉ 20ଟି ସାଇବର ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ଖୋଲିବ ଆଉ 20 ସାଇବର ଥାନା:
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୋଲିସ ଷ୍ଟେସନ । ଆଉ ୨୦ଟି ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହରାଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନା ଗୁଡିକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବା ସହ ଅଧିକାରୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛି।
— Mohan Charan Majhi (@MohanMOdisha) January 19, 2025
ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ହ୍ରାସ, ନ୍ୟାୟ ପ୍ରଦାନକୁ ବିଶେଷ ଗୁରୁତ୍ୱ ଦେବାପାଇଁ… pic.twitter.com/7AjWKfGSZd
ରାଜ୍ୟରେ ୨୧୯୮ ଟ୍ରାଫିକ ପୋଲିସ କାର୍ଯ୍ୟରତ:
ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨ ହଜାର ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
2024ରେ 2633ଟି ସାଇବର ମାମଲା ରୁଜୁ:
ସେହିପରି ରାଜ୍ୟରେ ୨୦୨୪ ବର୍ଷରେ ୨୬୩୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ଥାନା କାର୍ଯ୍ୟରତ ଅଛି । ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ ୨୦ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପାଟ୍ରୋଲିଂ ଓ ଚେକିଂକୁ କଡାକଡି କରିବାକୁ ନିର୍ଦ୍ଦେଶ:
ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱର ଓ କଟକର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହରରେ ରାତ୍ରୀକାଳିନ ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ପୋଲିସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ:
ଏଥିସହିତ ମାଓ ପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ । ବାତ୍ୟା ଦାନାର ମୁକାବିଲା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀ ଠାରେ ନୌସେନା ଦିବସ ଏବଂ ଭୁବନେଶ୍ୱର ଠାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ସଫଳ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପୋଲିସ ବିଭାଗରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ କରାଯାଇ ବିଭାଗକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉକ୍ତବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ।
ଇଟିଭି ଭାରତ, ଭୁବନେଶ୍ବର