ଜଗତସିଂହପୁର: ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟରେ 15ଟି ଜିଲ୍ଲାର 73ଟି ରୂପାନ୍ତରିତ ସରକାରୀ ହସ୍ପିଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଜଗତସିଂହପୁର ମଧ୍ୟ ସାମିଲ ହୋଇଛି । ଶନିବାର ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 16.28 କୋଟି ବ୍ୟୟରେ 100 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ 5.63 କୋଟି ବ୍ୟୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 3.19 କୋଟି ବ୍ୟୟରେ ମଣିଜଙ୍ଗା, 3.14 କୋଟି ବ୍ୟୟରେ ରଘୁନାଥପୁର ଓ 3.27 କୋଟି ବ୍ୟୟରେ ବାଲିକୁଦାର ରୂପାନ୍ତରିତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।
ଏହି ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "5T ଅନ୍ତର୍ଗତ ଏହି 'ମୋ ହସ୍ପିଟାଲ' ଯୋଜନା ଧନୀ ଗରିବ ସମସ୍ତ ଶ୍ରେଣୀର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 'ମୋ ହସ୍ପିଟାଲ' ଏକ ନୂତନ ଯୁଗର ଆରମ୍ଭ ।" ସେହିପରି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୱାର୍କ୍ସ ଓ ପରିବହନ ବିଭାଗ ଅଧୀନରେ ଥିବା 5 ଏକର 80 ଡିସିମିଲ ଜମି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଦେବାର ନିଷ୍ପତ୍ତି ନେଇଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ 'ପ୍ରତିଟି ଜୀବନ ମୂଲ୍ୟବାନ'ର ସ୍ଲୋଗାନକୁ ମନେପକାଇବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ରୂପାନ୍ତରିକରଣ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ।
ଆଉ ମଧ୍ୟ ସେ କହିଛନ୍ତି, "ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଜିଲ୍ଲା ତଥା ଉପଖଣ୍ଡ ଚିକିତ୍ସାଳୟଗୁଡିକରେ ଜୀବନ ବିନ୍ଦୁ, ଆହାର କେନ୍ଦ୍ର, ଡାୟାଲିସିସ ସେଣ୍ଟର, ଆଇସିୟୁ ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବାକୁ ନୂତନ ଦିଗନ୍ତ ଦେଇଛି ।''
ଏହାମଧ୍ୟ ପଢନ୍ତୁ... ୧୫ ଜିଲ୍ଲାରେ ୭୩ ଆମ ହସ୍ପିଟାଲ, ୫ ଉପଖଣ୍ଡ ଡାଏଲେସିସ ସେଣ୍ଟର ଉଦଘାଟିତ
ଜିଲ୍ଲାରେ 'ଆମ ହସ୍ପିଟାଲ' ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମଗ୍ର ହସ୍ପିଟାଲ ରଙ୍ଗ କରିବା ସହ ଆଟେଣ୍ଡାଣ୍ଟମାନଙ୍କ ପାଇଁ ବିଶ୍ରାମଗାର, ନିରାମୟ କାଉଣ୍ଟର, ମିଶନ ଶକ୍ତି କାଫେ, ଉନ୍ନତ ଶୌଚାଳୟ, ହାତ ଧୋଇବା ସ୍ଥାନ, ଧାଡ଼ି ପରିଚାଳନା ବ୍ୟବସ୍ଥା, ଅନଲାଇନ ପଞ୍ଜୀକରଣ, ହସ୍ପିଟାଲର ସମସ୍ତ ଅଞ୍ଚଳରେ ସାଇନେଜ, ଆଇଭିଆର୍ ପଦ୍ଧତିରେ ରୋଗୀମାନଙ୍କ ମତାମତ ସଂଗ୍ରହ, କର୍ମଚାରୀମାନଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା ଆଦି କରାଯାଇଛି । ଜିଲ୍ଲାପାଳ ପାରୁଲ ପଟାୱାରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି ।
ଜିଲ୍ଲାରେ ଏହି ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ମୁନିସିପାଲିଟି ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କ୍ଷେତ୍ରବାସୀ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶତ୍ରୁଘ୍ନ ଦାଶ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ବାରିକ, ଏଡିଏମଓ, ଅଜୟ କୁମାର ସ୍ଵାଇଁ, ଜଗତସିଂହପୁର ବିଡିଓ, ଡିପିଏମ ଚକ୍ରଧର ଜେନା, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର୍ ନୀଳମାଧବ ରଥ, ହସ୍ପିଟାଲ ମ୍ୟାନେଜର୍ ସସ୍ମିତା ସଚିନ ସାହୁ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଜଗତସିଂହପୁର