ଭବାନୀପାଟଣା: କେନାଲରେ ଭାସୁଛି ନିଖୋଜ କାନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କୁସୁମଖୁଣ୍ଟି ଡିଭିଜନରେ ଗତ ୨ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟକରୀ ଆସୁଥିଲେ ଭବାନୀ ଶଙ୍କର ମହନ୍ତ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବା ବେଳେ କୁସୁମ ଖୁଣ୍ଟି ଠାରେ ସରକାରୀ କ୍ଵାଟରରେ ନିଜ ପରିବାର ସହ ରହି ଆସୁଥିଲେ । ହେଲେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଯାହାକୁ ନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କନିଷ୍ଠ ଯନ୍ତ୍ରୀଙ୍କୁ ଖୋଜିବାରେ ଲାଗିଥିଲା ପୋଲିସ । ହେଲେ ତାଙ୍କର କୌଣସି ପତ୍ତା ମିଳୁନଥିଲା ।
ଆଜି ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ସେପଟେ କେନାଲ ନିକଟରେ ବାଇକ୍ ଛିଡା ହୋଇଥିବା ବେଳେ ମୋବାଇଲ ଓ ପର୍ସ ମଧ୍ୟ ପଡ଼ି ରହିଛି । ଓଡ୍ରାଫ ଟିମର ସହାୟତାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା
ଏହା ମଧ୍ୟ ପଢନ୍ତୁ...ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା
ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ସତ୍ୟସତ୍ୟା ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ସରକାରୀ କର୍ମଚାରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେ କେନାଲ ଭିତରକୁ କିପରି ଗଲେ ଏବଂ ଯଦି ତାଙ୍କୁ କେହି ହତ୍ୟା କରିଛି ? ତାହାଲେ କାହିଁକି ହତ୍ୟା କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ କରୁଛି ପୋଲିସ । ଏନେଇ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ , କଳାହାଣ୍ଡି