ବ୍ରହ୍ମପୁର: ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀପ୍ରତି ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚିକିଟି(135) ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏକ ବିରାଟ ଶୋଭାଯାତ୍ରାରେ ମନୋରଞ୍ଜନ ନିଜର ଦଳୀୟ ସମର୍ଥକ, କର୍ମୀ ଓ କର୍ମକର୍ତ୍ତା ସହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରଥମେ ସହର ପରିକ୍ରମା କରିଥିଲେ । ଏହାପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହିତ ଯାଇ ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମନୋରଞ୍ଜନଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ ସମୟରେ ବ୍ରହ୍ମପୁର ଲୋକସଭାର ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ ପାଣିଗ୍ରାହୀ - Election 2024
ପ୍ରାର୍ଥୀପତ୍ର ଦାଖଲ ପରେ ମନୋରଞ୍ଜନ କହିଛନ୍ତି, "ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଦୁର୍ନୀତିକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇଛନ୍ତି । ତେଣୁ ଏଥିର ପରିବର୍ତ୍ତନ ଆସିବ । ଦଳ ପକ୍ଷରୁ ଚଳିତ ନିର୍ବାଚନରେ ଉଭୟ ଚିକିଟି ଓ ପାତ୍ରପୁରରେ ଦଳ ଭଲ କରିବ । ସେପଟେ ନିର୍ବାଚନ ମଣ୍ଡଳୀର ସୋନପୁର ଅଞ୍ଚଳରେ ମତ୍ସ୍ୟଜୀବିମାନଙ୍କ ପାଇଁ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ହୋଇପାରିନାହିଁ । ଚିଲିକା ଖନନ ନାମରେ ହରିଲୁଟ, ପୂର୍ବରୁ ଆଦାୟ ହୋଇଆସୁଥିବା ଲୁଣ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ସାଙ୍ଗକୁ ସୋରଳ, ସୁମାଣ୍ଡି, ସୁନପୁର ଅଞ୍ଚଳର ସମସ୍ୟାକୁ ନେଇ ସେଠାକାର ମତ୍ସଜୀବି ପରିବାର ଏକପ୍ରକାର ଅତିଷ୍ଠ ହୋଇପଡିଛନ୍ତି । ସାତ କିଲୋମିଟର ଯାଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପାନୀୟ ଜଳ ଆଣୁଥିବାରୁ ଏହାର ପ୍ରଭାବ ଲୋକଙ୍କ ଉପରେ ରହିଛି ।"
ପ୍ରଥମ ପର୍ଯ୍ୟାୟର ମତଦାନ ମେ 13 ତାରିଖ ରହିଥିବା ବେଳେ ଆସନ୍ତା ୨୫ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । 26 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏପ୍ରିଲ 29 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତେବେ ପ୍ରଥମେ ଦିନରେ ହିଁ ମନୋରଞ୍ଜନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପ୍ରାର୍ଥୀଙ୍କ ଆକଳନ କେତେ ଦୂର ସତ ହେବ ତାହା ସମୟ ହିଁ କହିବ ।
ଇଟିଭି ଭାରତ, ବ୍ରହ୍ମପୁର