ଭୁବନେଶ୍ବର: ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ସରକାର ନୂଆଓ କାର୍ଡ ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ସେହିପରି ପଇସା ଓ ବଳ ଦେଖାଇ ଶାସନକୁ ଆସିବାକୁ ପ୍ରୟାସ କରୁଛି ବିଜେଡି । ମହିଳାଙ୍କୁ ଦଳରେ ମିଶାଇ ଶାଢ଼ୀ ବାଣ୍ଟୁଛନ୍ତି ବିଜେଡି ବିଧାୟାକ ନୃସିଂହ ସାହୁ । ଏନେଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।
ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ନୂଆଓ କାର୍ଡ ବାଣ୍ଟୁଛନ୍ତି ସରକାର । ସେଥିରେ ବିଜେଡିର ଶଙ୍ଖ ଲୋଗୋ ରହିଛି । ବିଜୁ ଛାତ୍ର ଜନତା ଦଳ ସବୁ କଲେଜରେ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସେହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ବି ରହୁଛନ୍ତି । ଯାହା ଆଦର୍ଶ ଆଚରଣବିଧିର ଖୋଲା ଖୋଲି ଉଲ୍ଲଙ୍ଘନ । ତେଣୁ ଏହି 2ଟି ପ୍ରସଙ୍ଗରେ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି ଯେ,ବିଜୁ ଜନତା ଦଳ ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପାଖରେ କେବଳ ଅର୍ଥ ବଳ ହିଁ ରହିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଟଙ୍କା ବଳ ଓ କ୍ଷମତା ବଳକୁ ପ୍ରୟୋଗ କରି ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ଭଳି ବେଆଇନ୍ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।
ତେବେ ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ । ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର