ଭୁବନେଶ୍ବର: ଦେଶରେ ଇଲେକ୍ଟୋରାଲ ବଣ୍ଡକୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ରାଜ୍ୟ ବିଜେପି ତାର ପ୍ରତିକ୍ରିୟା ରଖିଛି । ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜନୀତିରେ ଭ୍ରଷ୍ଟାଚାର ଶେଷ ହେଉ । ଇଲେକ୍ଟୋରାଲ ବଣ୍ଡ ଦ୍ବାରା ରାଜନୈତିକ ଦଳଗୁଡିକ ପାଖକୁ ଯେଉଁ ଅର୍ଥ ଆସୁଥିଲା ତାର ଗୋଟେ ଆକାଉଣ୍ଟବିଲିଟି ରହୁଥିଲା । ହେଲେ କୋର୍ଟ ଏହା ଉପରେ ଆହୁରି ତର୍ଜମା କରିବାରେ ଅଛି ।
ରାଜନୈତିକ ଦଳଙ୍କୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ । କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଷ୍ଟେଟ ବ୍ୟାଙ୍କ ଜୁନ ଯାଏଁ ସମୟ ମାଗିଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । ଆଗରୁ ଡେଡ୍ ଲାଇନ ରହିଥିଲା ମାର୍ଚ୍ଚ ୧୩ ତାରିଖ ।
ପୃଥୀରାଜ ହରିଚନ୍ଦନ କହିଛନ୍ତି,"ରାଜନୀତିରେ ଭ୍ରଷ୍ଟାଚାର ଶେଷ ହେଉ । ସବୁକଥାକୁ ଠିକ୍ ଭାବେ ବିଚାର କରି ଇଲେକ୍ଟୋରାଲ ବଣ୍ଡ୍ ବାବଦରେ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦେବେ ସୁପ୍ରିମକୋର୍ଟ । ତେବେ ଇଲେକ୍ଟୋରାଲ ବଣ୍ଡ ଦ୍ବାରା ରାଜନୈତିକ ଦଳଗୁଡିକ ପାଖକୁ ଯେଉଁ ଅର୍ଥ ଆସୁଥିଲା ତାର ଗୋଟେ ଆକାଉଣ୍ଟବିଲିଟି ରହୁଥିଲା । ହେଲେ କୋର୍ଟ ଏହା ଉପରେ ଆହୁରି ତର୍ଜମା କରିବାର ଅଛି । ପୂର୍ବରୁ ରାଜନୈତିକ ଦଳମାନେ ଚୋରାରେ ଡୋନେଶନ ନେଉଥିଲେ । କଳା ଧନର ବ୍ୟବହାର ହେଉଥିଲା, ହେଲେ ଇଲେକ୍ଟୋରାଲ ବଣ୍ଡ ଆସିବା ପରେ ବନ୍ଦ ହୋଇଯାଇଥିଲା ।"
ଏହା ମଧ୍ୟ ପଢନ୍ତୁ....୩ ବର୍ଷ ବଢ଼ିଲା କାଳିଆ ଯୋଜନା ଅବଧି; ୪୬ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୩୩ କୋଟିରୁ ଅଧିକ ସହାୟତା
ସୂଚନାଯୋଗ୍ୟଯେ, ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ । ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷଙ୍କ ସମସ୍ତ ତଥ୍ୟ ମାଗିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର