ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର । କହିଲେ ସହରାଞ୍ଚଳରେ ସୁଶାସନ ଦେବାରେ ବିଫଳ ହୋଇଛି ବିଜେଡି । ବିଜେପି ସରକାରକୁ ଆସିଲେ ସହରାଞ୍ଚଳ ବିକାଶ ପାଇଁ ସଂକଳ୍ପ ପତ୍ରରେ ସବୁ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ କହିଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଏନେଇ ଆଜି ସମୀର ଏକ ସାମ୍ବାଦିକ ସମ୍ମିଳନୀ କରି ୨୫ ବର୍ଷରେ ହୋଇନାହିଁ ତାହା ୫ ବର୍ଷରେ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସମୀର ମହାନ୍ତି କହିଛନ୍ତି,"ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ସାରିଛି । ଇସ୍ତାହାର ସବୁ ଲୋକଙ୍କୁ ଛୁଇଁବ । ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ । ଚାଷୀ, ଯୁବକ, ଗରିବ ଏବଂ ମହିଳା ଉପରେ ଫୋକସ୍ ରହିବ । ଏ ନିର୍ବାଚନୀ ଇସ୍ତାହାର ଯାହା ଅଛି ମୋଦି ତାଙ୍କ ଇସ୍ତାହାର ଯାହା କହିଥିଲେ ତାହା ପୁରା କରିଥିଲେ । ଏ ଇସ୍ତାହାର ସରକାର ପରିବର୍ତ୍ତନର ଇସ୍ତାହାର । ସଂକଳ୍ପ ପତ୍ର ୨୧ଟି ସଂକଳ୍ପ ରହିଛି । ଯାହା ୨୫ ବର୍ଷରେ ହୋଇ ନାହିଁ ତାହା ଆମେ ୫ ବର୍ଷରେ କରିବୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରାଞ୍ଚଳରେ ସୁଶାସନ ଦେବାରେ ବିଫଳ ହୋଇଛି ବିଜେଡି । ବିଜେପି ସରକାରକୁ ଆସିଲେ ସହରାଞ୍ଚଳ ବିକାଶ ପାଇଁ ସଂକଳ୍ପ ପତ୍ରରେ ସବୁ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବୁ । ବର୍ଜ୍ୟବସ୍ତୁ ଆଉ ବର୍ଜ୍ୟଜଳ ପରିଚାଳନାରେ ରାଜ୍ୟ ସରକାର ଫେଲ୍ । ବିଜେପି ସରକାରକୁ ଆସିଲେ ସହର ସୂଚାଙ୍କରେ ଟପ୍ ଟ୍ୱେଣ୍ଟି ଭିତରେ ଓଡିଶାକୁ ରଖିବ । କେନ୍ଦ୍ର ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ । ବିଜେପି ସରକାରକୁ ଆସିଲେ ସେ ସମସ୍ୟା ରହିବ ନାହିଁ । ଭୂତଳ ଜଳ ସଂରକ୍ଷଣ,ପାଇପ ଯୋଗେ ପାଣି ବୋର୍ଡରେ ସୀମିତ ଅଛି । ହେଲେ ବିଜେପି ସରକାରକୁ ଆସିଲେ ପ୍ରତି ଘରେ ପାଇପ ପାଣି ପହଞ୍ଚାଇବ ।
ଏହାସହ ବିଜୁଳି ବିଲରୁ ବଞ୍ଚିତ ପାଇଁ ସରକାର ସୌରଘର ଯୋଜନା ମଧ୍ୟ ଲାଗୁ କରିବାକୁ ଯାଉଛନ୍ତି । ଡ୍ରେନେଜ ସିଷ୍ଟମ ସୁଧାରାଯିବ, ସହରାଞ୍ଚଳରେ ଥିବା ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ 5 ଲକ୍ଷ ସ୍ୱାସ୍ଥ୍ୟବୀମା ଏବଂ ଋଣ ପାଇଁ ସବସିଡି ବ୍ୟବସ୍ଥା ଦିଆଯିବ । ଓଡିଶାର ସହରବାସୀ ହୁଅନ୍ତୁ ବା ଗ୍ରାମାଞ୍ଚଳବାସୀ ହୁଅନ୍ତୁ ଶିକ୍ଷା ବା ଚିକିତ୍ସା ପାଇଁ ରାଜ୍ୟ ବାହାର ସହର ଗୁଡିକୁ ଯାଉଛନ୍ତି । ସେଠାରେ ରହିବାକୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟା ଦୂର କରିବାକୁ ପ୍ରତି ମେଟ୍ରୋ ସିଟିରେ ଓଡିଶା ଭବନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।
ସେହିପରି ଓଡିଶାରେ ଦୁଇଟି ସ୍ମାର୍ଟ ସିଟି ଭୁବନେଶ୍ଵର ଏବଂ ରାଉରକେଲା । ଏହି ଦୁଇଟି ସହରର କଥା ନ କହିବା ଭଲ । ଭୁବନେଶ୍ଵରରେ ଅଳିଆ ଗଦା ଉପରେ ରହୁଛନ୍ତି ଲୋକମାନେ । ଦୁର୍ଗନ୍ଧରେ ଫାଟି ପଡୁଛି ସହର । ରାଜଧାନୀରେ ଲୋକମାନେ ପାଣି ପିଇବାକୁ ପାଉନାହାଁନ୍ତି । 24 ବର୍ଷ ହେଲା ବିଜେଡିର ସରକାର କ'ଣ କରିଛି ପ୍ରଶ୍ନ କଲା ବିଜେପି ।
ଇଟିଭି ଭାରତ,ଭୁବନେଶ୍ବର