ଭୁବନେଶ୍ବର: ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯାଉ । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ‘ଓବିସି କଲ୍ୟାଣ ସଂସଦୀୟ ଷ୍ଟାଣ୍ଡିଂ କମିଟି’ ନିକଟରେ ଦାବି କରିଛି ବିରୋଧୀ ବିଜେଡି । ଓଡ଼ିଶାର ‘ଏସିବିସି’ ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ କରିବା ପାଇଁ ମଧ୍ୟ ଦଳ ଦାବି କରିଛି । ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ମଧ୍ୟ ସଂସଦୀୟ ପ୍ୟାନେଲକୁ ସାକ୍ଷାତ କରିଛି । କେନ୍ଦ୍ର ସରକାର ଓବିସିଙ୍କ ଉତ୍ଥାନ ପାଇଁ କାର୍ଯ୍ୟରତ । ରାଜ୍ୟ ସରକାର ମଧ୍ୟ ସେହି ଧାରା ଆପଣାଉଛନ୍ତି । ତେଣୁ ବିଜେଡିର ଏହି ଦାବି ନିରର୍ଥକ ବୋଲି କହିଛନ୍ତି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ ।
- କେନ୍ଦ୍ରୀୟ ପ୍ୟାନେଲକୁ ଭେଟିଲା ବିଜେଡି
ଓବିସି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ଗଣେଶ ସିଂ ଓଡିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ ଆଜି ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭେଟିଥିଲା । ଜାତିଭିତ୍ତିକ ଜନଗଣନା ଓ ଓଡ଼ିଶାର ଏସଇବିସିଙ୍କୁ ଜାତୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ଦୃଢ଼ ଦାବି ଜଣାଇଛି ବିଜେଡି । ବିଜେଡିର ଟିମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ, ପ୍ରଦୀପ ସାହୁ, ସାରଦା ଜେନା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଧୃବ ସାହୁ, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ପ୍ରତାପ ଜେନା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ ବିଶ୍ୱ ପ୍ରତାପ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।
- ଜାତିଭିତିକ ଜନଗଣନା ଆବଶ୍ୟକ: ବିଜେଡି
ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । 52 ପ୍ରତିଶତ ପଛୁଆବର୍ଗର ଥିବା ବେଳେ ମାତ୍ର 27 ପ୍ରତିଶତ ପଛୁଆବର୍ଗ ସଂରକ୍ଷଣ ଦିଆଯାଉଛି । ଏହା ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ହେଉନାହିଁ । ତେଣୁ ଓବିସିଙ୍କ ବିକାଶ ପାଇଁ ରାଜ୍ୟରେ ଜାତିଭିତିକ ଜନଗଣନା ଆବଶ୍ୟକ । ଯାହା ପଛୁଆଁବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ଅଧିକ ସହାୟକ ହେବ ବୋଲି ବିଜେଡି କହିଛି । କମିଟିର ଅଧ୍ୟକ୍ଷଙ୍କୁ ବିଜେଡି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଛି ।
ବିଜେଡି ଦେଇଥିବା ସ୍ମାରକପତ୍ରରେ କୁହାଯାଇଛି ଯେ, ‘ଏସଇସିସି’ ବା ସୋସିଓ ଇକୋନୋମିକ କାଷ୍ଟ ସେନସସ-2011 ରେ ଜାତି ସମ୍ୱନ୍ଧରେ ଆବଶକୀୟ ତଥ୍ୟ ସଂଗ୍ରହ ହୋଇ ପାରିନଥିଲା । ଜାତି ସମ୍ୱନ୍ଧରେ ସବିଶେଷ ତଥ୍ୟର ଉପଲବ୍ଧ ନଥିବା ଯୋଗୁଁ, ଅବହେଳିତ ବର୍ଗର ଉତ୍ଥାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ଭବ ହୋଇ ପାରୁ ନାହିଁ । ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ପଛୁଆବର୍ଗର ଲୋକଙ୍କ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପଲବ୍ଧ ହେବ । ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ପଛୁଆବର୍ଗର ଲୋକଙ୍କ ସାମାଜିକ ସ୍ଥିତି, ରୋଜଗାରର ମାଧ୍ୟମ, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପଲବ୍ଧ ହୋଇ ପାରିବ । ଏହି ତଥ୍ୟ ଗୁଡିକ ଉପଲବ୍ଧ ହେଲେ ଅବହେଳିତ ବର୍ଗର ଉତ୍ଥାନ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସହାୟକ ହେବ । ସେହିପରି ଜାତି ଭିତ୍ତିକ ସରଂକ୍ଷଣ ବ୍ୟବସ୍ଥା, ସେମାନଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ଅର୍ଥର ବ୍ୟବସ୍ଥା, ସେମାନଙ୍କ ବିକାଶ ପାଇଁ ନୂତନ ନୀତି ନିର୍ଦ୍ଧାରଣ କରାଯାଇପାରିବ । ଏହା ଛଡା ଓଡ଼ିଶାର ଏସଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ କରିବାକୁ ବିଜେଡି ଦାବି କରିଛି ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ''ଓଡ଼ିଶାରେ ଯେଉଁ ଏସିବିସି ଲାଗୁ ହୋଇଛି ସେହିଥିରେ ଯେତିକି ଜାତି ଅଛନ୍ତି ସମସ୍ତଙ୍କୁପ ଓବିସିରେ ସାମିଲ କରାଯାଉଛି । ବର୍ତ୍ତମାନ ଯେଉଁ ଜନଗଣା ହେବାକୁ ଯାଉଛି, ସେଥିରେ ଜାତିଭିତ୍ତିକ ଜନଗଣନା କରିଦେଲେ ଭଲ । କାହିଁକିନା ଜନଗଣନାରେ ହିନ୍ଦୁ କିଏ, ମୁସଲିମ କିଏ, ଶିଖ କିଏ, ସବୁ ଜଣାପଡୁଛି ଓ ଏସିସିଏସଟି ସଂଖ୍ୟା ମଧ୍ୟ ଜଣାପଡୁଛି । ଏତିରେ ଓବିସିକୁ ସାମିଲ କଲେ କାହାର କେତେ ସଂଖ୍ୟା ଜଣାପଡିବ । ଏନେଇ ଆମେ ସଂସଦୀୟ ଓବିସି କମିଟି ଆଗରେ ଦାବି କରିଛୁ । ଏହାକୁ ବିଚାର କରି ସେ କେନ୍ଦ୍ର ସରକାରଙ୍କୁ ଜଣାଇଲେ କିଛି ଗୋଟେ ପଦକ୍ଷେପ ନିଆଯିବ ବୋଲି ଆମର ଆଶା । ''
ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ''ସାରା ଦେଶରେ ଯେତିକି ପଛୁଆ ବର୍ଗ ଅଛନ୍ତି ସେମାନଙ୍କୁ ଆଗକୁ ନେବା ଏହି କମିଟିର କାମ । ୟୁକୋ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସଂସ୍ଥାକୁ ଏଠାକୁ ଡକାଯାଇଛି । ତାଙ୍କ ପାଖରେ ଯେଉଁ କର୍ମଚାରୀ ଅଛନ୍ତି, ଯେଉଁ ଓବିସି ଲୋକମାନେ ଅଛନ୍ତି ତାଙ୍କର ଓ୍ବେଫେୟାର ପାଇଁ କଣ କରୁଛନ୍ତି , ତାଙ୍କର କଥାକୁ ସେମାନେ କେମିତି ବୁଝୁଛନ୍ତି ସେଗୁଡିକ ବୁଝୁଛୁ । ସାମାଜିତ ନ୍ୟାୟ ଓ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ମେମ୍ବୋରାଣ୍ଡମ ଦିଆଯାଇଛି, ତାଙ୍କର ଯାହା କଥା ଥିଲା ସେମାନେ ଚେୟାରମ୍ୟାନ ପାଖରେ ଉପସ୍ଥାପନ କରିଛନ୍ତି । ପଛୁଆ ବର୍ଗକୁ ଆଗକୁ ନେବା ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାକୁ କେମିତି ଆଗକୁ ନିଆଯିବ, ତାଙ୍କର ଯେଉଁ ଦାବି ରହିଥିଲା ଜାତିଭିତ୍ତିକ ଜନଗଣନା ଛାରୁ ଆରମ୍ଭ କରି ଏସିବିସିକୁ ଜାତୀୟ ସ୍ତରରେ ଓବିସି ସହିତ ଯେଉଁ ମାନ୍ୟତା ମିଳିନାହିଁ ସେବିଷୟରେ ଆଲୋଚନା କରିଥିଲେ । ଆମେ ଆଶା ରଖୁଛୁ ପଛୁଆ ବର୍ଗକୁ ଆଗକୁ ନେବାକୁ କମିଟି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛୁ । ''
- 24 ବର୍ଷ ବିଜେଡି ଶାସନରେ ‘ଓବିସି’ ପ୍ରତାରିତ ହୋଇଥିଲେ : ବିଜେପି
ଓବିସି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ପଛୁଆ ବର୍ଗଙ୍କ ମଙ୍ଗଳ ପାଇଁ ଗଠିତ ସଂସଦୀୟ କମିଟିକୁ ବିଜେପି ଓବିସି ମୋର୍ଚ୍ଚା ପ୍ରତିନିଧି ଦଳ । ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ଵରେ ଏକ ସାତ ଜଣିଆ କମିଟି ସଂସଦୀୟ କମିଟିକୁ ଭେଟିଛନ୍ତି । ଭେଟିବା ପରେ ସୁରଥ ବିଶ୍ଵାଳ କହିଛନ୍ତି, ''ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଭାବେ ସଂରକ୍ଷଣ ବାବଦରେ କମିଟି ସହ ଆଲୋଚନା କରିଛନ୍ତି । ମଣ୍ଡଳ କମିଶନ ସୁପାରିଶର ଦୀର୍ଘ ଦିନ ପରେ ବି ପଛୁଆ ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । 24 ବର୍ଷ ବିଜେଡ଼ି ସରକାରରେ ଓବିସି ବର୍ଗ ସବୁଠୁ ଅଧିକ ପ୍ରତାରିତ ହୋଇଛନ୍ତି । ବ୍ୟବସ୍ଥା ଅନୁଯାୟୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଲେ ନାହିଁ ପୂର୍ବ ସରକାର । ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ବିଜେଡ଼ି ସରକାର ଉଠାଇ ଦେଲେ । ଓବିସି ବର୍ଗ ବାରମ୍ବାର ଦାବି କରିବା ପରେ ବି ପୂର୍ବ ନବୀନ ସରକାର ଏଥିପ୍ରତି କେବେ ବି କର୍ଣ୍ଣପାତ କଲେ ନାହିଁ । ଓବିସି ବର୍ଗଙ୍କ ସ୍ବାର୍ଥ ରକ୍ଷା ପାଇଁ କୋର୍ଟରେ ଓକିଲ ଦେଲେନି ପୂର୍ବ ସରକାର । ମିଛ ସର୍ଭେ କରି ଲୋକଙ୍କୁ କେବଳ ଭୁଆଁ ବୁଲାଇବା ରାଜନୀତି କରିଥିଲା ବିଜେଡ଼ି । ତେଣୁ 24 ବର୍ଷ ଶାସନରେ ରହିବା ପରେ ବି ଓବିସିଙ୍କ ଅଧିକାରୀ ପାଇଁ କିଛି କରିନଥିବାରୁ ବିଜେଡ଼ି ଦାବିର କୌଣସି ଯଥାର୍ଥତା ନାହିଁ । ''
ଓବିସିଙ୍କ ପ୍ରତି ଦାୟିତ୍ବଶୀଳ ମୋଦି ସରକାର: ବିଜେପି
ସେ ଆହୁରି ମଧ୍ୟ କହିଛନ୍ତି ''ପିଏମ୍ ବିଶ୍ଵକର୍ମା ଯୋଜନାରେ ସରପଞ୍ଚ ମାନଙ୍କର ଭୂମିକା ରହୁଥିବାରୁ ଅନେକ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ମଧ୍ୟ କମିଟି ସହ ଆଲୋଚନା ହୋଇଛି । ତେଣୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ କମିଟି ସହମତି ପ୍ରକାଶ କରିଛି । କିନ୍ତୁ ନୂଆ ବିଜେପି ସରକାର ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ସଂରକ୍ଷଣ ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାକି ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମୋଦି ସରକାର ଓବିସିଙ୍କ ପ୍ରତି ନ୍ୟାୟିକ କ୍ଷମତା ଦେଇ କମିଶନ ଗଠନ କଲେ ଏବଂ ନୂଆ କରି ଶିକ୍ଷା କ୍ଷେତ୍ରରେ, ଚାକିରି କ୍ଷେତ୍ରରେ ଓବିସି ଙ୍କର ସଂରକ୍ଷଣ କୁ ସୁନିଶ୍ଚିତ କରାଇଲେ। ଯେଉଁଟା ଓଡ଼ିଶାରେ ମିଳୁନଥିଲା ଏବେ ବି ମିଳିନାହିଁ, ରାଜ୍ଯରେ ନୂଆ ସରକାର ଆସିବା ପରେ ତାର ପ୍ରକ୍ରିୟା ଆରମ୍ଭ ହୋଇଛି। ''
ଇଟିଭି ଭାରତ, ଭୁବନେଶ୍ବର