ଖୋର୍ଦ୍ଧା: ଭୁବନେଶ୍ବର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ, ଦଳୀୟ କର୍ମୀଙ୍କ ବିରୋଧ । ଅପରାଜିତାଙ୍କ ମନ୍ତବ୍ୟକୁ ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖୋର୍ଦ୍ଧା ଉପକଣ୍ଠ ମଲିପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଶୁକ୍ରବାର ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକରେ ଶତାଧିକ କର୍ମୀ ଏକାଠି ହୋଇଥିଲେ । ଅପରାଜିତାଙ୍କ ଦଳ ଓ କର୍ମୀ ବିରୋଧୀ ଏବଂ ମନମୁଖୀ କାର୍ଯ୍ୟକୁ ସେମାନେ ସମାଲୋଚନା କରିଛନ୍ତି ।
ଟାଙ୍ଗୀ ବ୍ଳକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରୁ ବହିଷ୍କୃତ ତଥା ବିଜେପିରେ ଯୋଗ ଦେଇଥିବା ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ଦାୟିତ୍ୱ ଦେବାକୁ ଅପରାଜିତା ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାନ୍ତଙ୍କୁ ଏଠାରୁ ପ୍ରାର୍ଥୀ କରାଗଲେ ହଜାର ହଜାର ବିଜେପି କର୍ମୀ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋର୍ଦ୍ଧା ଉପକଣ୍ଠ ମଳିପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଶହ ଶହ ବିଜେପି କର୍ମୀ ସାମିଲ ହୋଇ ଅପରାଜିତା ଓ ପ୍ରଶାନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ । କର୍ମୀଙ୍କ ସହ ରହିଥିବା ନେତାକୁ ଟିକଟ ଦେବାକୁ ସେମାନେ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇ ଅପରାଜିତା ମନମାନି ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଜୟଦେବରେ ବିଜେପିର ଶକ୍ତି ପ୍ରଦର୍ଶନ; ସାମିଲ ହେଲେ ଅପରାଜିତା
ଗତ ୨୦୧୯ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା କାଳୁଚରଣ ଖଣ୍ଡାୟତରାୟ ୭୪ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଦୀର୍ଘ ୫ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହିତ ଜଡ଼ିତ ରହି ଆସିଥିବା ବେଳେ ସାଂସଦଙ୍କ ଏଭଳି ମନ୍ତବ୍ୟ ସମସ୍ତ କାଳୁପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଥିବା କୁହାଯାଉଛି । ବେଗୁନିଆରେ ସାଂସଦ ଅପରାଜିତା ଏଭଳି କର୍ମୀଙ୍କୁ ଅଣଦେଖା ସହ ମନମାନି ପାଇଁ ଦଳୀୟ କର୍ମକର୍ତ୍ତା ବିରୋଧ କରୁଥିବା ବେଳେ ଏବେ ଖୋର୍ଦ୍ଧାରେ ସମାନ ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି । ସେହିଭଳି ଆଜି ହଜାର ହଜାର ସମର୍ଥକଙ୍କ ସହ କାଳୁ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହା ବିରୋଧରେ ବାହାରିଥିବା ଜଣାପଡିଛି । ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଆଗକୁ କି ମୋଡ ନେଇଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ,ଖୋର୍ଦ୍ଧା