ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ ପ୍ରସଙ୍ଗ, କଳା ତାଲିକାଭୁକ୍ତ ହେଲା ଟେଣ୍ଟ ହାଉସ - ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବୋନ୍ଦାର
Disrespect to Lord Jagannath idol in Bhadrak: ଭଦ୍ରକ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯିବା ପ୍ରସଙ୍ଗ । ଏନେଇ ଭଦ୍ରକ ଜିଲ୍ଲାପାଳ ଓ ସମ୍ପୃକ୍ତ ଟେଣ୍ଟ୍ ମାଲିକ ଉଭୟ ସ୍ପଷ୍ଟୀକରଣ ରଖିଛନ୍ତି ।


Published : Feb 4, 2024, 9:21 AM IST
ଭଦ୍ରକ: ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରଦର୍ଶନ ପ୍ରସଙ୍ଗ । ବିରୋଧ ତେଜିବା ପରେ ଏ ପ୍ରସଙ୍ଗରେ ସମ୍ପୃକ୍ତ ଟେଣ୍ଟ୍ ମାଲିକ ଓ ଭଦ୍ରକ ଜିଲ୍ଲପାଳ ପ୍ରତିକ୍ରିୟା ରଖିଛନ୍ତି । ଟେଣ୍ଟ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଏକ ବଡ ଗୁରୁତର ତ୍ରୁଟି । ଯେଉଁଥିପାଇଁ ତାକୁ ବ୍ଲାକ ଲିଷ୍ଟେଡ ଘୋଷଣା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର । ଅନ୍ୟପଟେ ଟେଣ୍ଟ୍ ମାଲିକ ନିଜ ଭୁଲ ସ୍ୱୀକାର କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି ।
ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଅବସରରେ ମଞ୍ଚରେ ପୂଜା ପାଉଥିବା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସବ ପରେ ଅସମ୍ମାନ ପ୍ରଦର୍ଶନ କରାଯିବା ପ୍ରସଙ୍ଗରେ ଭଦ୍ରକ ଜିଲ୍ଲା ବିଜେପି ସରକାରଙ୍କୁ ଘେରିବା ପରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଏନେଇ ମୁହଁ ଖୋଲିଛନ୍ତି । ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ଏହା ଟେଣ୍ଟ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଏକ ବଡ ଗୁରୁତର ତ୍ରୁଟି । ଯାହାକୁ ଆଦୌ କ୍ଷମା କରାଯାଇ ପାରିବ ନାହିଁ। ଏଥିପାଇଁ ତାକୁ ବ୍ଲାକ ଲିଷ୍ଟେଡ ଘୋଷଣା କରାଯାଇଛି । ତେଣୁ ଆଗକୁ ଏହି ଟେଣ୍ଟ ହାଉସକୁ କୌଣସି ସରକାରୀ କାମ ଦିଆଯିବ ନାହିଁ ।"
ସେ ଆଉ ମଧ୍ୟ କହିଛନ୍ତି, "ଉଚ୍ଚ ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତର ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ମୁନ୍ନା ଟେଣ୍ଟ ହାଉସ ମାଲିକ ବିରୂପାକ୍ଷ ମିଶ୍ର ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ଜାଣିଶୁଣି ଏଭଳି ଭୁଲ କରାଯାଇନଥିବା କହିବା ସହ ଏନେଇ ସେ କ୍ଷମାପ୍ରାର୍ଥନା କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ମହୋତ୍ସବ ପରେ ମହାପ୍ରଭୁ ଅଲୋଡ଼ା, ଜଗନ୍ନାଥଙ୍କ ପ୍ରତି ଗଭୀର ଅସମ୍ମାନ ନେଇ ବିଜେପିର ପ୍ରତିବାଦ
ପ୍ରକାଶ ଥାଉ କି, ଭଦ୍ରକର ନେହେରୁ ଷ୍ଟାଡିୟମ ଠାରେ ଜାନୁଆରୀ ମାସ 25 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଭଦ୍ରାୟଣୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ପାଇଁ ଭୁବନେଶ୍ବର ଅନ୍ତର୍ଗତ ଭରତପୁର ଅଞ୍ଚଳର ମୁନ୍ନା ଟେଣ୍ଟ ହାଉସକୁ ମଞ୍ଚ ସହ ଅନ୍ୟାନ୍ୟ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଥିଲା । ଏହି ମହୋତ୍ସବରେ ବିଭିନ୍ନ କିସମର ଆମିଷ ଏବଂ ନିରାମିଷ ଖାଦ୍ୟ ଦୋକାନ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କାର କାରବାର ମଧ୍ୟ ହୋଇଥିଲା ।
ତେବେ ମେଳା ସରିଯିବା ସେଠାରେ ପଡ଼ିଥିବା ସମସ୍ତ ଦୋକାନ ବଜାର ଉଠିଯାଇଥିଲା । ଟେଣ୍ଟ ଏବଂ ଲାଇଟ ମଧ୍ୟ ଖୋଲି ନିଆଯାଇଥିଲା । ହେଲେ ପ୍ରତିଦିନ ମଞ୍ଚରେ ପୂଜିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡିଆରେ ଅତ୍ୟନ୍ତ ପରିତ୍ୟକ୍ତ ଭାବେ ଦୀର୍ଘ 3 ଦିନ ଧରି ଫିଙ୍ଗି ଦେଇ ଚାଲି ଯାଇଥିଲେ ଆୟୋଜକ । ଯାହାର ଭିଜୁଆଲ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ରାଜରାସ୍ତାରେ ଜୋରଦାର ଆନ୍ଦୋଳନ ମଧ୍ୟ କରିଥିଲା ।
ଇଟିଭି ଭାରତ, ଭଦ୍ରକ