ବ୍ରହ୍ମପୁର: ଆଉ ନାହାନ୍ତି 'ଜନନୀ'ର ଜନକ ପ୍ରଫେସର ପ୍ରଦୀପ ମହାପାତ୍ର । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଦୀପ ମହାପାତ୍ର ଗତକାଲି (ଗୁରୁବାର) ରାତ୍ର ୨.୧୦ ମିନିଟ୍ ସମୟରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୋମବାର ଦିନ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୬୯ ବର୍ଷରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।
ପ୍ରଥମ ରଙ୍ଗୀନ ଓଡ଼ିଆ ପତ୍ରିକା 'ଜନନୀ'ର ପ୍ରତିଷ୍ଠାତା:
ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ-ଯୋଗାଯୋଗ ବିଭାଗରେ ଦୀର୍ଘ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡ଼କ୍ଟର ପ୍ରଦୀପ ମହାପାତ୍ର । ସେ ପ୍ରଥମ ରଙ୍ଗୀନ ଓଡ଼ିଆ ପତ୍ରିକା 'ଜନନୀ'ର ପ୍ରତିଷ୍ଠାତା ଥିଲେ । ଏହା 90 ଦଶକରେ ବହୁଳ ପ୍ରସାରିତ ଥିଲା । ତାଙ୍କ ସମୟରେ ସେ ଅନେକ ସାମ୍ବାଦିକ ଗଢିଛନ୍ତି । ବ୍ରହ୍ମପୁରରୁ ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଡକ୍ଟର ମହାପାତ୍ର ସାମ୍ବାଦିକତା ପାଠ ପଢାଉଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ ୨୦୧୪ ମସିହାରେ ଅବସର ନେଇଥିଲେ । ସେ ବ୍ରହ୍ମପୁର ସହରର ବୁଢ଼ୀ ଠାକୁରାଣୀ ଯାତ୍ରା ଠାରୁ ଆରମ୍ଭ କରି ସହରର ଇତିହାସ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ସ୍ତମ୍ଭ ଲେଖା କରି ଏହାକୁ ଗଣମାଧ୍ୟମରେ ପ୍ରକାଶିତ କରି ଆସୁଥିଲେ । ଏପରିକି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁ ଲେଖା ପ୍ରକାଶ ପାଉଥିଲା ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ ।
— Mohan Charan Majhi (@MohanMOdisha) August 2, 2024
ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ସକ୍ରିୟ ରହି ଅନେକ ଲେଖା ଓ ପୁସ୍ତକ ରଚନା କରିଥିଲେ। ତାଙ୍କର ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।… pic.twitter.com/LKDrPGSQly
![Professor Pradip Mohapatra Passes away](https://etvbharatimages.akamaized.net/etvbharat/prod-images/02-08-2024/od-bam-journalism-prof-pradeep-mahapatra-passed-away-7205524_02082024085944_0208f_1722569384_722.jpg)
ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକବ୍ୟକ୍ତ: ପ୍ରଦୀପ ମହାପାତ୍ର ବିୟୋଗରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଏବଂ ସମଗ୍ର ଦକ୍ଷିଣ ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ସହିତ ଜଡ଼ିତ ରହିଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀ, ଶିକ୍ଷାବିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, "ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ସକ୍ରିୟ ରହି ଅନେକ ଲେଖା ଓ ପୁସ୍ତକ ରଚନା କରିଥିଲେ । ତାଙ୍କର ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି ।"
![Professor Pradip Mohapatra Passes away](https://etvbharatimages.akamaized.net/etvbharat/prod-images/02-08-2024/od-bam-journalism-prof-pradeep-mahapatra-passed-away-7205524_02082024085944_0208f_1722569384_424.jpg)
ଆଜି(ଶୁକ୍ରବାର) ପ୍ରଦୀପ ମହାପାତ୍ରଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନକୁ ନିଆଯିବା ପରେ ସେଠାରେ ଅନ୍ତିମ ସଂସ୍କାର କରାଯିବା ସହିତ ସମସ୍ତେ ଶେଷ ଦର୍ଶନ କରିବେ ବୋଲି ଜଣାପଡିଛି ।
![Professor Pradip Mohapatra Passes away](https://etvbharatimages.akamaized.net/etvbharat/prod-images/02-08-2024/od-bam-journalism-prof-pradeep-mahapatra-passed-away-7205524_02082024085944_0208f_1722569384_179.jpg)
ଇଟିଭି ଭାରତ, ବ୍ରହ୍ମପୁର