ବାଲେଶ୍ବର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ସମାଜରେ ଅନେକ ଲୋକ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ସେହିପରି ସମାଜସେବାକୁ ଜୀବନର ବ୍ରତ କରିଥିବା ଜଣେ ଯୁବକ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପ୍ରିନ୍ସ ଆର୍ଯ୍ୟନ । ତାଙ୍କ ଘର ବାଲେଶ୍ବର ଜିଲ୍ଲାର ପୁଲବଜାର ଅଞ୍ଚଳରେ । ପେଶାରେ ଜଣେ ସେଫ୍ ବା ରୋଷେୟା ହୋଇଥିବା ବେଳେ ନିଶା ତାଙ୍କର ସମାଜ ସେବା । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେସହାରାମାନଙ୍କ ପାଇଁ ସାହାରା ପାଲଟି ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ପ୍ରିନ୍ସ ଆର୍ଯ୍ୟନ । ପିଲାବେଳୁ ଲୋକମାନଙ୍କ ସେବା କରିବାରେ ପ୍ରିନ୍ସଙ୍କର ରହିଥିଲା ଦୁର୍ବଳତା । ପାଖରେ ସେତିକି ସମ୍ବଳ ନଥିବା ବେଳେ ଇଚ୍ଛା ଥିଲେ ମଧ୍ୟ ଲୋକମାନଙ୍କୁ ସେବା ଯୋଗାଇ ପାରୁ ନଥିଲେ । ସେଥିପାଇଁ ଯେତେବେଳେ ସେ ରୋଜଗାର ଆରମ୍ଭ କରିଥିଲେ ସେତେବେଳେ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଅଣ୍ଟା ଭିଡିଥିଲେ ।
ମହାମାରୀ କୋଭିଡ ସମୟରେ ଅସହାୟ ଲୋକମାନଙ୍କୁ ହୋଟେଲରୁ ରୋଷେଇ କରି ଖାଦ୍ୟ ଯୋଗାଇ ଦେଇଥିଲେ । ପରେ ଏହି କାର୍ଯ୍ୟରେ ସେ ବେଶ ଆନନ୍ଦ ଅନୁଭବ କରିବା ପରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ମନ ବଳାଇଥିଲେ । ନିଜର ସେବା ମନୋବୃତ୍ତି ପାଇଁ ସେ ଜିଲ୍ଲା ମେଡିକାଲରେ ରୋଗୀଙ୍କ ଅସୁବିଧା ବିଷୟରେ ଜାଣିବାକୁ ପାଇଥିଲେ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବେସାହାରା ହୋଇ ଅନେକ ଲୋକ କେଉଁଠି ମେଡିସିନ ମିଳିବ, କେଉଁଠି ଡାକ୍ତର ଦେଖାଇବାକୁ ହେବ ସେସବୁର ସମସ୍ୟା ଭୋଗୁଥିବା ପ୍ରିନ୍ସ ଜାଣି ସେଠାରେ ପହଞ୍ଚି ଲୋକଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ... ରକ୍ତ ପାଇବାକୁ ଆଉ ରହିବନି ଚିନ୍ତା, ଲଞ୍ଚ ହେଲା ଆପ୍
ପ୍ରଥମେ ପ୍ରିନ୍ସ ଦିନକୁ 4ରୁ 5 ଘଣ୍ଟା ରୋଗୀସେବାରେ ନିୟୋଜିତ କରୁଥିବା ବେଳେ ଏବେ ପ୍ରାୟ 20 ଘଣ୍ଟା ମେଡିକାଲ ସେବାରେ ନିଜକୁ ବ୍ୟସ୍ତ ରଖୁଥିବା କଥା ସେ କହିଛନ୍ତି । ସାଧାରଣ ତଥା ଅସହାୟ ଲୋକଙ୍କୁ ମେଡିକାଲରେ ଦେବଦୂତ ସାଜି ଯୋଗାଇ ଦେଉଛନ୍ତି ସେବା । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଅନେକ ରୋଗୀଙ୍କୁ ଉପଯୁକ୍ତ ବିଭାଗରେ ପହଞ୍ଚାଇବାଠାରୁ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବାରେ ସହାୟତା ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ନିଜର ନମ୍ବରକୁ ସେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଯିଏ ଯେମିତି ତାଙ୍କୁ କଲ କରି ସେବା ମାଗୁଛି ସେ ତୁରନ୍ତ ମେଡିକାଲରେ ପହଞ୍ଚି ତାଙ୍କୁ ସେବା ଯୋଗାଇ ଦେଉଛନ୍ତି ।
ସେ ଯେ କୌଣସି ମୁହୂର୍ତ୍ତ ହେଉ ସକାଳ, ସନ୍ଧ୍ୟା କିମ୍ବା ବିଳମ୍ବିତ ରାତି ହେଉ ସବୁବେଳେ ପ୍ରିନ୍ସ ରୋଗୀସେବା ପାଇଁ ତତ୍ପର ଥାଆନ୍ତି । କାହାର ରକ୍ତ ଆବଶ୍ୟକ, କିଏ ଔଷଧ ଆଣିବାରେ ଅସୁବିଧା ଭୋଗୁଛି, କିଏ କୌଣସି ଟେଷ୍ଟ କରିବା ଜାଣି ପାରୁନି ସେ ସବୁ ସହାୟତା ପ୍ରିନ୍ସ ଯୋଗାଇ ଦେଉଛନ୍ତି । ଜୀବନରେ ବାହାନଗା ରେଳ ଦୁର୍ଘଟଣାକୁ ସବୁଠୁ ବଢ ଦୁଃଖ ବୋଲି କହିଛନ୍ତି ପ୍ରିନ୍ସ । ପ୍ରାୟ ୩ ରୁ ୭ ଦିନ ଧରି ଖାଇବା ପିଇବା ଭୁଲି ସେହି ଲୋମଟାଙ୍କୁରା ଦୁର୍ଘଟଣାରେ ଆହତମାନଙ୍କ ସେବା କରିଥିଲେ ପ୍ରିନ୍ସ । ତେବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସହଯୋଗ କରାଗଲେ ସେ ଏ ମହତ ଉଦେଶ୍ୟକୁ ଆହୁରି ଆଗକୁ ଆଗେଇନେବେ ବୋଲି ଆଶା ପ୍ରକଟ କରିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର