ବାଲେଶ୍ବର: ସରକାରୀ ଚାକିରିଆଙ୍କ ଇଚ୍ଛା ଥାଏ, ଅବସର ପରେ ସମୟକୁ ସଠିକ ଭାବେ କଟାଇବେ । ଜୀବନର ଶେଷ ସମୟ ଯେପରି ଖୁସିରେ ଖୁସିରେ ଅତିବାହିତ ହେବ । ପେନସନ ଟଙ୍କାକୁ ଭରସା କରି, ଏମିତି କିଛି ଯୋଜନା କରିଥାନ୍ତି ସରକାରୀ ଚାକିରି କରୁଥିବା ଅଧିକାଂଶ ଲୋକ । ତେବେ ସତରେ କଣ ଏହା ସାକାର ହୁଏ ? ପେନସନ ଟଙ୍କାକୁ ନେଇ ଏତେ ସବୁ ସ୍ବପ୍ନ ଦେଖିଥିବା ବ୍ୟକ୍ତିଙ୍କ ସଂଘର୍ଷକୁ ଦେଖିଲେ, ରିଟାୟର୍ଡ ପିରିୟଡ ବା ଅବସର ପରବର୍ତ୍ତୀ ସମୟର ନିଚ୍ଛକ ସତ ଛାତି ଥରାଇବା ସଦୃଶ ।
ପେନସନ ପାଇଁ ଟେନସନ:
ବାର୍ଦ୍ଧକ୍ୟରେ ପେନସନ ଗଣ୍ଡାକ ପାଇଁ ସଂଘର୍ଷ । ଗୋଟିଏ ଅଫିସରୁ ଆଉ ଏକ ଅଫିସକୁ ଦୌଡ଼ି ଦୌଡ଼ି ଚପଲ ଛିଡି ଯାଉଛି । ତାହା ପୁଣି ଥରେ କି ଦୁଇ ଥର ନୁହେଁ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ । ମାସେ କିମ୍ବା ଦୁଇ ମାସ ନୁହେଁ । ଦୀର୍ଘ ୧୦ ବର୍ଷ ଧରି ସଂଗ୍ରାମ କରି ଚାଲିଛନ୍ତି । ଏପରିକି ଗୋଟିଏ କାମ ପାଇଁ ଗୋଟିଏ ଅଫିସକୁ ବାରମ୍ବାର ଦୌଡୁଛନ୍ତି । ହେଲେ ତଥାପି ଦୂର ଦେଉନି ପେନସନ ଟେନସନ । କେବେ ମିଳିବ ପେନସନ ଟଙ୍କା ? ମିଳିବ ନାହିଁ ? ଦିନକୁ ଦିନ ବଢ଼ି ଚାଲିଛି ଦ୍ବନ୍ଦ୍ବ ? ଏମିତି ବି ସରକାରୀ କାଇଦା କଟକଣାରେ ଫାଟକୁ ନେଇ ବିଶ୍ବାସ ହରାଇବା ବସିଛନ୍ତି ।
ପେନସନ ପାଇଁ ୧୦ ବର୍ଷ ହେଲା ଦୌଡୁଛନ୍ତି :
୬୨ ବର୍ଷୀୟ ରଜନୀକାନ୍ତ ବେହେରା । ବନ ବିଭାଗରେ କରୁଥିଲେ ଚାକିରି । ୨୦୨୨ ଅଗଷ୍ଟରେ ଅବସର ନେଲେ । ଦୁଇ ବର୍ଷ ହେଲା ପେନସନ ପାଇଁ ଦୌଡୁଛନ୍ତି । ରଜନୀକାନ୍ତଙ୍କ କ୍ଷେତ୍ରରେ କମ୍ଟା ସାଜିଛି ସର୍ଭିସ ଆକାଉଣ୍ଟ ନମ୍ବର । କାରଣ ଏହା ମେଳ ଖାଉନାିହିଁ । ୨୦୧୩ ମସିହାରୁ ସେ ଚେଷ୍ଟା କରି ଚାଲିଥିଲେ । ୧୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଆକାଉଣ୍ଟ ନମ୍ବର ମିଶି ପାରିଲା ନାହିଁ । ଫଳରେ ୨୦୨୨ରେ ଅବସର ଗ୍ରହଣ ପରେ ମଧ୍ୟ ପେନସନ ପାଇ ପାରୁନାହାନ୍ତି । ରଜନୀକାନ୍ତଙ୍କ କହିବା କଥା, " 2022 ଅଗଷ୍ଟ ମାସରେ ମୁଁ ଅବସର ନେଲି । ଏପର୍ଯ୍ୟନ୍ତ ମୋର ଯେଉଁ ଇପିଏଫ ଆକାଉଣ୍ଟ ନମ୍ବର ଅନୁଗୁଳରେ ଥିଲା ସେଇଟା ଆସିକି ମିଶିବା କଥା ଭୁବନେଶ୍ୱରରେ, କିନ୍ତୁ ତାହା ମିଶି ପାରୁନାହିଁ । 2013 ମସିହାରେ ଆବେଦନ କରିଥିଲି । 10 ବର୍ଷ ହେଲା ଲାଗିଛି ଏହି କାମରେ କିନ୍ତୁ ମୋର ଆକାଉଣ୍ଟ ନମ୍ବର ମିଶି ପାରୁନାହିଁ କି ମୁଁ ପେନସନ ପାଇ ପାରୁନାହିଁ।"
ସ୍ବାମୀଙ୍କ ଅବର୍ତ୍ତମାନରେ ମିଳୁନି ପେନସନ, ରୋଗଶଯ୍ୟାରେ ପତ୍ନୀ :
ଏ ତ ଗଲା ଜଣେ ପୁରୁଷ ବୃଦ୍ଧଙ୍କ ଦୁଃଖ । ରଜନୀକାନ୍ତଙ୍କ ଦୁଃଖକୁ ବଳିଯାଇଛି ସ୍ବର୍ଗତ ହରେନ୍ଦ୍ର ବିନ୍ଧାଣୀଙ୍କ ପତ୍ନୀଙ୍କ କଷଣ । ସ୍ବାମୀଙ୍କ ପରଲୋକ ପରେ ପରିବାର ପେନସନ ପାଇଁ କଷ୍ଟ ଭୋଗୁଛନ୍ତି ହରେନ୍ଦ୍ରଙ୍କ ପ୍ତନୀ ଚାନ୍ଦ । ବାଲେଶ୍ବର ଜିଲ୍ଲା ଜଳେଶ୍ବରର ହରେନ୍ଦ୍ର ବିନ୍ଧାଣୀ ଚୌକିଦାର ଭାବେ ଚାକିରି କରୁଥିଲେ । ଅବସର ପରେ 1985 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ପେନସନ ପାଇବାକୁ ନେଇ କୋର୍ଟରେ ମାମଲା ଚାଲିଲା । କୋର୍ଟଙ୍କ ରାୟ ପରେ ସବୁ କାଗଜପତ୍ର ଯୋଗାଡ଼ କରିଥିଲେ ସ୍ତ୍ରୀ ଚାନ୍ଦ। ଏହା ସତ୍ତ୍ବେ ଦୁଇଟି ବିଭାଗର ସମନ୍ବୟ ଅଭାବରୁ ପେନସନ ଅଟକି ରହିଛି । ପେନସନ ପାଇବାରୁ ବଞ୍ଚିତ ହୋଇ ସ୍ତ୍ରୀ ଚାନ୍ଦ ଏବେ ରୋଗ ଶଯ୍ୟାରେ ।
ବିଧବା ମହିଳାଙ୍କ ପାଇଁ ପେନସନ ଯୋଗାଡ଼ କାମରେ ଲାଗିଥିବା ଶ୍ୟାମସୁନ୍ଦର ଦାସ ମହାପାତ୍ର କହିଛନ୍ତି,"ହରେନ୍ଦ୍ର ବିନ୍ଧାଣୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ପେନସନ ପାଇବା କଥା । କାଗଜପତ୍ରରେ କିଛି ଅସୁବିଧା ରହିଥିଲା ଯାହା କୋର୍ଟରେ ମଧ୍ୟ ଫଇସଲା ହୋଇ ସାରିଲାଣି । ଆଜିକୁ ୬ ବର୍ଷ ହେଲା କାଗଜ ପତ୍ର ଦାଖଲ ହୋଇସାରିଥିବା ବେଳେ, ପେନସନ ମିଳିନାହିଁ ।"
ଅବସରପ୍ରାପ୍ତ ଜେଇଙ୍କୁ ମିଳୁନାହିଁ ପେନସନ :
ପେନସନ ପାଇଁ ଅହରହ ସଂଗ୍ରାମ କରୁଥିବା ଆଉ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହେଉଛନ୍ତି ରାଧାରଞ୍ଜନ ଦାସ । ରାଧାରଞ୍ଜନ ହେଉଛନ୍ତି ପୂର୍ବତନ ଜୁନିଅର ଇଞ୍ଜିନିୟର (Retired JE । ତାଙ୍କ ଘର ହଳଦୀପଦା । ରାଧାରଞ୍ଜନ ଦାସଙ୍କ କହିବା ହେଲା, "ମୁଁ ମାର୍ଚ୍ଚ ମାସ 2017ରେ ବାହାନଗା ବ୍ଲକରୁ ଜେଇ(JE) ହିସାବରେ ଅବସର ନେଲି । ଆଜି ପର୍ଯ୍ୟନ୍ତ ମୋର କୌଣସି ପେନସନ ସହାୟତା ମିଳି ପାରିନାହିଁ । ସରକାରଙ୍କ ନିର୍ଦ୍ଦେଶ ଅଛି ଗ୍ରାଚ୍ୟୁଟି ଦେବାପାଇଁ ହେଲେ ଏମାନେ ଚିଠି ପଢି ବୁଝି ପାରୁନାହାନ୍ତି ବୋଧେ । ବାହାନଗା ବ୍ଲକରେ ତାଙ୍କର କ୍ଳାରିଫିକେସନ ମାଗୁଛନ୍ତି । ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ସେମାନେ ଗୋଟେ କ'ଣ ଲେଖିକି ଦେଉଛନ୍ତି । ଯାହାଦ୍ୱାରା ସେମାନଙ୍କ ମଧ୍ୟରେ କିଛି ତାଳମେଳ ରହୁନାହିଁ । ଯାହାଫଳରେ ମୋତେ ପେନସନ ମିଳିପାରୁ ନାହିଁ ।
ଏହି ତିନିଟି ଉଦାହରଣ ମାତ୍ର । ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ପରେ ପେନସନ ଗଣ୍ଡାକ ପାଇଁ ସଂଘର୍ଷ କରୁଛନ୍ତି । ଏସବୁ ସତ କଥା ପଦାକୁ ଆସିଥିଲା, ଯେତେବେଳେ ବାଲେଶ୍ବରରେ ଆୟୋଜିତ ହୋଇଥିଲା ପେନସନ ଅଦାଲତ । ସମସ୍ୟାର ସମାଧାନ ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ପେନସନ ଅଦାଲତ ।
ପେନସନ ଅଦାଲତ:
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ପେନସନ ଅଦାଲତରେ ଏଜି କାର୍ଯ୍ୟାଳୟର ଡିଏଜି (ପେନସନ) ସଞ୍ଜୟ କୁମାର, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟ୍ ସେବା ଟ୍ରେନି ଭାର୍ଗଭ ରାମ ଖ୍ୟାତି, ହେମେନ୍ଦ୍ର ସିଂ, ସୁଶ୍ରୀ ଅଭିରୁଚି, ବରିଷ୍ଠ ଆକାଉଣ୍ଟସ ଅଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, ସହକାରୀ ଆକାଉଣ୍ଟସ ଅଧିକାରୀ ଶରତ କୁମାର ମହାପାତ୍ର ଯୋଗଦେଇ ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ । ପେନସନ ଅଦାଲତରେ ବାଲେଶ୍ୱର ଜିଲ୍ଲାର ମୋଟ ୨୮୦ଟି ଅଭିଯୋଗ ମଧ୍ୟରୁ ବିଭିନ୍ନ ବିଭାଗର ଏଜି କାର୍ଯ୍ୟାଳୟରେ ଅଟକି ଥିବା କିମ୍ବା ଫେରସ୍ତ ଆସିଥିବା ୧୨୭ ପେନସନ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ୧୦ଜଣ ପେନସନଭୋଗୀଙ୍କୁ ମଞ୍ଚରେ ପେନସନ କାଗଜ ପ୍ରଦାନ କରାଯାଇଥିଲା ।
ଏମତି କହିଲେ ଜିଲ୍ଲାପାଳ:
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି,"ଏହା ଏକ ବହୁତ ଭଲ ସୁଯୋଗ ଆମର ଜିଲ୍ଲାରେ ଯଦି କାହାର ପେନସନ ପାଇଁ ଅସୁବିଧା ଅଛି ଆଜି ତାହା ସମାଧାନ ହେବ । ଯେଉଁମାନଙ୍କୁ ପେନସନ ଦେବା ପାଇଁ କିଛି ଅସୁବିଧା ରହିଛି ସେଇଟା ସେମାନେ ସିଧାସଳଖ କଥା ହୋଇ ପାରିବେ । ଆଗରୁ ଏହି ଅଦାଲତ କେବେ ହୋଇଥିଲା ତାର ସୂଚନା ଆମେ ଦେବୁ ।"
ହରେନ୍ଦ୍ର ବିନ୍ଧାଣୀଙ୍କ ପତ୍ନୀ ଚାନ୍ଦ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରଜନୀକାନ୍ତ ବେହେରା ଏବଂ ଅବସରପ୍ରାପ୍ତ ଜେଉ ରାଧାରଞ୍ଜନ ଦାସ । ବାଲେଶ୍ବର ପେନସନ ଅଦାଲତରେ ପେନସନ ପାଇନଥିବା ଏହି ବ୍ୟକ୍ତିମାନଙ୍କ ସହ କଥା ହୋଇଥିଲେ ଇଟିଭି ଭାରତ ବାଲେଶ୍ବର ପ୍ରତିନିଧି ଜୀବନ ନାୟକ । କିଏ ୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ତ ଆଉ କିଏ ୧୦ ବର୍ଷରୁ ଅଧିକ ସମୟ । ପୁଣି କିଏ ଫ୍ୟାମିଲ ପେନସନ ପାଇଁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି । କେବଳ ଏହି ତିନି ଜଣ ନୁହନ୍ତି, ଏଭଳି ଅନେକ ବୟସ୍କ ବ୍ୟକ୍ତି ଅଛନ୍ତି, ଯେଉଁ ମାନେ ବୟସର ଅପରାହ୍ନରେ ପେନସନ ଗଣ୍ଡାକ ପାଇଁ ସଂଗର୍ଷ କରି ଚାଲିଛନ୍ତି । କେବେ ସରିବ ପେନସନଭୋଗୀଙ୍କ କଷଣ !!!
ଇଟିଭି ଭାରତ, ବାଲେଶ୍ବର