ବାଲେଶ୍ୱର: କିଛି ନୂଆ କରିବାର ଲକ୍ଷ୍ୟ ନେଇ ଦିନେ ଲକ୍ଷାଧିକ ଟଙ୍କାର ଚାକିରି ଛାଡିଥିଲେ । ଉଦ୍ଦେଶ୍ୟ ଥିଲା ନିଜକୁ ସ୍ୱାବଲମ୍ବୀ କରିବା ସହ ଗାଁ ପିଲାମାନଙ୍କୁ ରୋଜଗାର ଦେବା । ସେଥିପାଇଁ ଚାକିରି ଛାଡ଼ି ନିଜେ ବ୍ୟବସାୟ କରିବା ପାଇଁ ସ୍ଥିର କରିଥିଲେ । ମାତ୍ର ଦୁଇବର୍ଷ ଭିତରେ ନିଜକୁ ବ୍ୟବସାୟୀ ଭାବେ ଗଢି ତୋଳିବା ସହ ଗାଁର ୧୦ରୁ ୧୫ଜଣଙ୍କୁ କରିପାରିଛନ୍ତି ରୋଜଗାରକ୍ଷମ । ଏପରି ଜଣେ ସଫଳ ଯୁବ ଉଦ୍ୟମୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ିରେ ଥିବା ‘ସସ୍ମି ଚା’ କମ୍ପାନୀର ମାଲିକ ଗୟାଧର ପରିଡା । ମାତ୍ର 42ବର୍ଷ ବୟସରେ ଗୟାଧର ସଫଳତାର ସିଡ଼ି ଚଢିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
- ଲକ୍ଷାଧିକ ଟଙ୍କାର ଚାକିରିରୁ ବ୍ୟବସାୟ ପର୍ଯ୍ୟନ୍ତ ରାସ୍ତା:
ଗୟାଧର କଲିକତାର ଏକ ଚା’ କମ୍ପାନୀରେ ମାସକୁ ଲକ୍ଷାଧିକ ଟଙ୍କାର ବେତନରେ ଚାକିରି କରୁଥିଲେ । ସେଠାରେ ତାଙ୍କର ଚାକିରି କାଳ ମଧ୍ୟରେ ସେ ଚା’ ତିଆରି ଏବଂ ଚା’ର ଗୁଣବତ୍ତା ସମ୍ପର୍କରେ ବେଶ ଅଧିକ ଜ୍ଞାନ ଆହରଣ କରିଥିଲେ । ଧୀରେ ଧୀରେ ଚା’ ଏହାର ବ୍ୟବସାୟ ସମ୍ପର୍କରେ ଅଭିଜ୍ଞତାର ଅଧିକାରୀ ହୋଇଥିଲେ ଗୟାଧର । ପରେ ନିଜେ ଚାକାରି ଛାଡି ଚା’ ବ୍ୟବସାୟ କରିବା ପାଇଁ ମନସ୍ଥ କଲେ ।
- ସସ୍ମି ଚା’ କମ୍ପାନୀ:Gayadhar Parida sasmi tea company (ETV Bharat Odisha)
2022 ମସିହା ଅପ୍ରେଲ ମାସରେ ଜାମୁଝାଡ଼ି ଛକଠାରେ ଗୟାଧର ‘ସସ୍ମି’ ନାମରେ ଆରମ୍ଭ କରିଥିଲେ ନିଜର ଚା’ କମ୍ପାନୀ । ଯେଉଁଠି ପ୍ରାୟ 7 ପ୍ରକାରର ଚା’ ପ୍ୟାକିଂ କରାଯାଇ ହୋଲସେଲ୍ ଏବଂ ରିଟେଲରେ ବିକ୍ରି କରାଯାଉଛି । ଆସାମରୁ କଞ୍ଚାମାଲ ଆଣି ସ୍ଥାନୀୟ ବଜାର ତଥା ବାଲେଶ୍ଵର, ଭଦ୍ରକ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । 100 ଟଙ୍କାରୁ ଆରମ୍ଭ କରି 1500 ଟଙ୍କା ପର୍ଯ୍ୟନ୍ତ ଚା’ ପ୍ୟାକିଂ କରି ଗୟାଧରଙ୍କ କମ୍ପାନୀ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନୀ କରୁଛି ।
- ଗାଁ ପିଲାମାନଙ୍କ ପାଇଁ ସାଜିଲେ ପ୍ରେରଣା:Gayadhar Parida sasmi tea company (ETV Bharat Odisha)
ଗୟାଧର ନିଜେ ବ୍ୟବସାୟ କରିବା ସହ ଗାଁର ଅନ୍ୟ ପିଲମାନଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି । ମାଲ ନେବା ଆଣିବା ଏବଂ ମାର୍କେଟିଂ ପାଇଁ 5 ଜଣ ଯୁବକ ନିୟୋଜିତ ହୋଇଛନ୍ତି । ଏହାସହ ପ୍ୟାକିଂ ଠାରୁ ଆରମ୍ଭ କରି ଓଜନ କରିବା ଏବଂ ପେଟିରେ ସଜାଡି ରଖିବା ପାଇଁ ମଧ୍ୟ ନିଯୁକ୍ତ ହୋଇଛନ୍ତି ପାଞ୍ଚରୁ ଅଧିକ ଯୁବକ । ସମୁଦାୟ 10ରୁ 12ଜଣ ଯୁବକ ସସ୍ମି ଚା’ କମ୍ପାନୀରେ ନିୟୋଜିତ ହୋଇ ରୋଜଗାର କ୍ଷମ ହୋଇପାରିଛନ୍ତି । ବାହାର ରାଜ୍ୟକୁ ଖଟିବାକୁ ନ ଯିବା ପାଇଁ ଏମିତି ଉଦ୍ୟମ କରିଥିବା କଥା କହିଛନ୍ତି ଗୟାଧର ।
![Gayadhar Parida sasmi tea company](https://etvbharatimages.akamaized.net/etvbharat/prod-images/04-08-2024/22107843_c.jpg)
ଏହାମଧ୍ୟ ପଢନ୍ତୁ... ମହିଳାଙ୍କୁ କରାଉଛି ସ୍ବାବଲମ୍ବୀ: ମିଶନ ଶକ୍ତି କାଫେ ପ୍ରତି ବଢୁଛି ଲୋକଙ୍କ ଆଦର
ଏହାମଧ୍ୟ ପଢନ୍ତୁ...ଗୁରୁଜୀଙ୍କ ଯାଆଁଳା ଚାଷ, ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ - FISH FARMING
ଗୟାଧର ନିଜେ କଲିକତାରେ ରହୁଥିବା ବେଳେ ଜାମୁଝାଡ଼ିରେ ତାଙ୍କର ବ୍ୟବସାୟ ଚାଲିଛି । ମଝିରେ ମଝିରେ ଗୟାଧର ଜାମୁଝାଡ଼ି ଆସି ବ୍ୟବସାୟ କଥା ବୁଝିବା ସହ ତାଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କ କଥା ବୁଝି ଥାଆନ୍ତି । ନିଜର ଅଭିଜ୍ଞତାକୁ ପାଥେୟ କରି ଆଜି ନିଜେ ଜଣେ ଉଦ୍ୟୋଗୀ ହୋଇ ପାରିଥିବା ଗୟାଧର କୁହନ୍ତି, ବଡ଼ କମ୍ପାନୀରେ ମୋଟା ଅଙ୍କର ଦରମାରେ ଯେତିକି ଶାନ୍ତି ଏବଂ ଆତ୍ମସନ୍ତୋଷ ମିଳୁ ନଥିଲା ତା’ ଠାରୁ ନିଜ ଅଞ୍ଚଳର ଯୁବକମାନଙ୍କୁ ରୋଜଗାରକ୍ଷମ କରାଇ ପାରିବା ଶହେ ଗୁଣର ଆତ୍ମସନ୍ତୋଷ ପ୍ରଦାନ କରୁଛି । ବର୍ଷକୁ 50 ଲକ୍ଷ ଟଙ୍କା ରୋଜଗାର କରୁଥିବା ଗୟାଧର ଆଗାମୀ ଦିନରେ ନିଜର କମ୍ପାନିର କାରବାରକୁ ଆହୁରି ବୃଦ୍ଧି କରାଇବା ସହ ନିଜ ଅଞ୍ଚଳରେ ବେକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ଚା’ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନେ କହିଛନ୍ତି, "ଏଠାରେ ଚା’ କମ୍ପାନୀ ହେବା ଦ୍ୱାରା ବହୁତ ଲୋକ ଚାକିରି ପାଇଛୁ । ବାହାର ଜାଗାକୁ ନଯାଇ ଏଠି କାମ କରି ରୋଜଗାର ପାଇ ପାରୁଛୁ ।"
ଇଟିଭି ଭାରତ, ଭୁବନେଶ୍ୱର