କଟକ: ବହୁଚର୍ଚ୍ଚିତ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ରେଳ କର୍ମଚାରୀଙ୍କୁ ମିଳିଲା ବଡ ଆଶ୍ବସ୍ତି । ଏହି ତିନି କର୍ମଚାରୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ ଓ ଟେକ୍ନିସିଆନ ପପୁ ଯାଦବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ଏହି ମାମଲାର ତଦନ୍ତ କରି ୩ ରେଳ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇ ଗିରଫ କରିଥିଲା ।
- ତଳକୋର୍ଟରେ ଆବେଦନ ଖାରଜ ପରେ ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ:
ତଳକୋର୍ଟରେ ଏମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ୩ କର୍ମଚାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ମାମଲାର ସାକ୍ଷ୍ୟମାନଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ଜାମିନ ସର୍ତ୍ତାବଳିରେ ସ୍ପଷ୍ଟ କରିଛନ୍ତି ।
- ତ୍ରିକୋଣୀୟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ 3ଶହ ଯାତ୍ରୀ:-
ସୂଚନାଯୋଗ୍ୟ ଯେ, ଗତବର୍ଷ (2023) ଜୁନ 23 ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିଲା ଏହି ଭୟଙ୍କର ତ୍ରିକୋଣୀୟ ରେଳ ଦୁର୍ଘଟଣା । ହାଓ୍ବଡା-ଚେନ୍ନାଇ ‘କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ’ ଦ୍ରୁତଗତିରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ବେଳେ ମେନ-ଲାଇନରୁ ଲୁପ-ଲାଇନରେ ପ୍ରବେଶ କରି ଛିଡା ହୋଇଥିବା ଏକ ମାଲଗାଡିକୁ ଧକ୍କା ଦେଇଥିଲା । ପରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ‘ଯଶୋବନ୍ତପୁର- ହାଓ୍ବଡା ହମସଫର ଏସପ୍ରେସ୍’ ମଧ୍ୟ ଲାଇନଚ୍ୟୁତ ବଗିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ତ୍ରିକୋଣୀୟ ଦୁର୍ଘଟଣାରେ ପ୍ରାୟ 3ଶହ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
- ଦେଶକୁ ଦୋହଲାଇ ଦେଇଥିଲା ଏହି ଦୁର୍ଘଟଣା:-
ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ରେଳ ବିଭାଗ ସୁରକ୍ଷା ଆୟୁକ୍ତଙ୍କ ନେତୃତ୍ବରେ ଏକ ବିଭାଗୀୟ ତଦନ୍ତ ଆରମ୍ଭ କରିଥିବା ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । କେବଳ ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ଆତଙ୍କୀ ଷଡଯନ୍ତ୍ର, ସିଗ୍ନାଲ ହ୍ୟାକିଂ ଓ ଟ୍ୟାମ୍ପରିଂ ପରି ଦିଗ ମଧ୍ୟ ସନ୍ଦେହଘେରକୁ ଆସିଥିଲା । ଉକ୍ତ ଦିନ ଦାୟିତ୍ବରେ ଥିବା ରେଳବାଇର ଏକାଧିକ ବୈଷୟିକ ଅଧିକାରୀ ଗିରଫ ହୋଇଥିଲେ । ବାହାନଗା ରେଳ ଷ୍ଟେସନକୁ ସିଜ୍ କରାଯାଇଥିଲା । ଏକ ମାସରୁ ଅଧିକ ତଦନ୍ତରେ ଏହା ଏକ ସିଗ୍ନାଲିଂଜନିତ ମାନବୀୟ ତ୍ରଟି କାରଣରୁ ଘଟିଥିବା ଜଣାପଡିଥିଲା । ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ, ଟେକ୍ନିସିଆନ ପପୁ ଯାଦବଙ୍କୁ ସିବିଆଇ ଗିରଫ କରିଥିଲା ।
ଇଟିଭି ଭାରତ, କଟକ