ଅନୁଗୋଳ: ଏବେବି ଡିବିରି ଆଲୁଅ ଭରସା । ବିଜୁଳି ଆଲୁଅ ସେମାନଙ୍କ ପାଇଁ ସାତସପନ । ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ବଣୁଆ ହାତୀ ଓ ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଭୟ ଆତଙ୍କରେ ଅନ୍ଧାରୀ ଜୀବନ ବିତାଉଛନ୍ତି ଲୋକେ । ପ୍ରାୟ ୫ବର୍ଷ ହେଲା ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ଯାଇଛି, ତାର ଲାଗିଛି । ହେଲେ ବିଦ୍ୟୁତ ସଂଯୋଗ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଥିବା ବାଘୁଆପାଟ ଗ୍ରାମରେ ।
ଅନୁଗୋଳ-ଟିକରପଡା ପୂର୍ତ୍ତ ବିଭାଗ ରାସ୍ତାର ଚନ୍ଦନପୁର ଠାରୁ ଘଞ୍ଚ ଜଙ୍ଗଲ ଭିତରେ ଅଣଓସାରିଆ ମାଟି ରାସ୍ତାରେ ପ୍ରାୟ ୫କିମି ଗଲେ ପଡେ ବାଘୁଆପାଟ ଗାଁ । ଚାରିପଟେ ଜଙ୍ଗଲରେ ପରିପୂର୍ଣ୍ଣ ପାହାଡ଼ା ଦିନ ଦ୍ବିପହରେ ବଣୁଆ ହାତୀଙ୍କ ବିଚରଣ ଦେଖିବାକୁ ମିଳେ । ଏଭଳି ଏକ ଗାଁରେ କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି ପ୍ରାୟ ୫୦ଟି ପରିବାର । ସମସ୍ତେ ଝାଟିମାଟି ଘରେ ରୁହନ୍ତି । ବାହାରେ ମୂଲ ମଜୁରୀ କଲେ ପରିବାର ଚାଲେ । କାରଣ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁ ଦୌରାତ୍ମ୍ୟ ପାଇଁ କୌଣସି ଫସଲ ହୁଏ ନାହିଁ । ଏସବୁ ଭିତରେ ଅନ୍ଧାର ସେମାନଙ୍କ ଜୀବନରେ ସବୁଠାରୁ ଅଧିକ ବାଧକ ସାଜିଛି ।
ପ୍ରାୟ ୨୦/୨୫ବର୍ଷ ପୂର୍ବରୁ ବିଜୁଳି ଆଲୁଅ ଥିଲା । କିନ୍ତୁ ହୁକ ପକାଇ ଜନ୍ତୁ ଶିକାର ହେବାରୁ ବନ ବିଭାଗର କଟକଣା ଲାଗିଲା । ମାତ୍ର କିଛି ମାସ ବିଜୁଳି ଆଲୁଅ ଜଳିବା ପରେ ପୁଣି ବନ୍ଦ ହୋଇଗଲା । ସେପଟେ ତାର ଓ ଖୁଣ୍ଟି ସବୁ ଚୋରି ହୋଇଗଲା । ଏହାର କିଛି ବର୍ଷ ପରେ ଅର୍ଥାତ ୫ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଯୋଜନାରେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ହୋଇ ତାର ଟଣା ଗଲା । ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର ମଧ୍ୟ ବସା ଗଲା । ଏପରିକି ଘରେ ଘରେ ମିଟର, ସୁଇଚ ବୋର୍ଡ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରାଗଲା । ହେଲେ ଏଯାଏଁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଏବେ ଖୁଣ୍ଟରେ ଗଛ ଲତା ମାଡି ଗଲାଣି । ଟ୍ରାନ୍ସଫର୍ମର ନଷ୍ଟ ହେବାକୁ ବସିଲାଣି । ଘରେ ଘରେ ଲାଗିଥିବା ମିଟର ଓ ସୁଇଚ ବୋର୍ଡ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ ସଂଯୋଗ ହୋଇ ନପାରିବା କାରଣ ମଧ୍ୟ ନା ବିଦ୍ୟୁତ ବିଭାଗ କହୁଛି ନା ଲୋକେ ଜାଣି ପାରୁଛନ୍ତି । ଏମିତି ଅନ୍ଧାରୀ ମୂଳକରେ ଅନ୍ଧାରୀ ଜୀବନ ଅତିବାହିତ କରୁଛନ୍ତି ବାଘୁଆପାଟ ଗ୍ରାମବାସୀ ।
ସେପଟେ ଲୋକେ ଚାତକ ପରି ଚାହିଁ ବସିଛନ୍ତି କେବେ ବିଜୁଳି ଆଲୁଅ ଦେଖିବେ । ସନ୍ଧ୍ୟା ହେଲେ ଗାଁରେ ଭୟର ବାତାବରଣ ଖେଳି ଯାଉଛି । ହାତୀ ପଲ ପଶି ଯାଉଥିବାରୁ ଘର ଭିତରେ ତାଟି କବାଟ ପକାଇ ରହୁଛନ୍ତି । ଗାଁ ଦାଣ୍ଡରେ ହାତୀ ବୁଲୁଥିଲେ ମଧ୍ୟ ଅନ୍ଧାରରେ ଲୋକେ ଦେଖି ପାରୁନାହାନ୍ତି । କିରୋସିନୀ ଅଭାବ ଯୋଗୁଁ ଘର ଭିତରେ କାଠ ଜାଳି ଆଲୁଅ କରି ଖାଉଛନ୍ତି । କେହି କେହି ଡିବିରି ଜଳାଇ ରହୁଛନ୍ତି । ବାହାରକୁ କାମଧନ୍ଦା କରିବାକୁ ଯାଇଥିବା ଲୋକେ ଅପରାହ୍ନ ୪ଟା ସୁଦ୍ଧା ଘରେ ପହଞ୍ଚି ଯାଉଛନ୍ତି । ଗାଁରେ ସ୍କୁଲ କି ଅଙ୍ଗନବାଡି କେନ୍ଦ୍ର ନଥିବାରୁ ପିଲାମାନଙ୍କୁ ଜଙ୍ଗଲ ରାସ୍ତାରେ ୫ କିମି କରତପଟା ଯିବାକୁ ପଡୁଛି । ଭୟରେ ନିଜ ପିଲାଙ୍କୁ ଛାଡୁ ନାହାନ୍ତି ଲୋକେ।
ଏହା ମଧ୍ୟ ପଢ଼ନ୍ତୁ...ହାତୀ ପାଇଁ ଲଗାଇଥିବା ସୋଲାର ଫେନ୍ସିଂ ତାର ଲାଗି ଚାଲିଗଲା ଚାଷୀଙ୍କ ଜୀବନ
ଅନ୍ୟପକ୍ଷେ କେହି କେହି ନିଜ ଖର୍ଚ୍ଚରେ ଘରେ ସୋଲାର ଲାଇଟ ଲଗାଇଛନ୍ତି । କିନ୍ତୁ ବ୍ୟାଟେରୀ ନଷ୍ଟ ହେଲେ ଆଉ କିଣି ପାରୁ ନାହାନ୍ତି । ଏମିତି ବହୁ କଷ୍ଟରେ ଜୀବନ କାଟୁଛନ୍ତି ଏହି ଗ୍ରାମବାସୀ । ତେବେ ଏନେଇ ଅନୁଗୋଳ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ସଂରକ୍ଷିତ ଜଙ୍ଗଲ ଭିତର ଦେଇ ତାର ଯାଉଥିବାରୁ ଜଙ୍ଗଲ ବିଭାଗ ଅନୁମତି ମିଳୁ ନାହିଁ । କେବଳ କେବୁଲ ଜରିଆରେ ବିଦ୍ୟୁତ ସଂଯୋଗକୁ ଅନୁମତି ଅଛି । କିନ୍ତୁ ଯେତେବେକେ ଦୀନ ଦୟାଲ ସ୍କିମରେ ଏହା କରାଯାଇଥିଲା ସେତେବେଳେ ଅଟକଳରେ କେବୁଲ ବ୍ୟବସ୍ଥା ନଥିଲା । ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆ ଯାଇଛି । ଯାହା ସରକାର କରିବେ । ଏନେଇ କ୍ୟାମେରା ସମ୍ନାରେ କିଛି କହିବାକୁ ମନା କରିଛନ୍ତି ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ । ତେବେ ବାଘୁଆପାଟ ଗ୍ରାମବାସୀ କେବେ ବିଜୁଳି ଆଲୁଅ ଦେଖିବେ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଅନୁଗୋଳ