ବୌଦ୍ଧ: ଆଜି ପବିତ୍ର ଶୀତଳଷଷ୍ଠୀ ପର୍ବ । ସମଗ୍ର ବିଶ୍ବ ମଣ୍ଡଳ ଦେଖିବାକୁ ଯାଉଛି ଦେବ ଦେବ ମହାଦେବଙ୍କର ହାତ ଧରିବେ ମାତା ଗିରିଜା ନନ୍ଦିନୀ ପାର୍ବତୀ । ମର୍ତ୍ତ୍ୟ ମଣ୍ଡଳରେ ଅନୁଷ୍ଠିତ ହୋଇଛି ଦେବ ଦମ୍ପତିଙ୍କ ସ୍ବର୍ଗୀୟ ବିବାହ ଉତ୍ସବ । ପୌରାଣିକ ଆଖ୍ୟାନ ଅନୁଯାୟୀ ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଅବସରରେ ଅନୁଷ୍ଠିତ ହୋଇଥିଲା । ଆଜି ଏଭଳି ପବିତ୍ର ଦିନରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଆନନ୍ଦ ଉଲ୍ଲାସର ସହିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଳନ କରାଯାଇଛି ।
ମର୍ତ୍ତ୍ୟମଣ୍ଡଳରେ ମଣିଷଙ୍କ ଭଳି ଦେବ ଦମ୍ପତିଙ୍କ ବିଧି ବିଧାନ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ଆଜି ଶିବପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ମାତା ପାର୍ବତୀଙ୍କ ସହିତ ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ସମାପନ ହୋଇଛି ।
ଏହା ମଧ୍ୟ ପଢନ୍ତୁ... ରାତିରେ ବାହାରିବ ଭୋଳାବାବାଙ୍କ ବରଯାତ୍ରୀ, ସରିଲା ହରିଦ୍ରା ଲେପନ ନୀତି - Sambalpur Shitalasasthi
ଦେବ ଦମ୍ପତିଙ୍କ ବିବାହ ପାଇଁ ନିର୍ବନ୍ଧ ଠାରୁ ନେଇ ପତର ପେଣ୍ଡି, ହଳଦୀ ମଖା, ପାଣି ପଲଟା, ଗନ୍ଧଷଣ, ମାଟିପକା ଭଳି ବିଭିନ୍ନ ବିବାହ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ମହାନଦୀ କୂଳରେ ଥିବା ବାବା ମାତଙ୍ଗେଶ୍ବର ମହାଦେବଙ୍କ ବିବାହ ଉତ୍ସବ ଦୀର୍ଘ ବର୍ଷ ହେଲା ଧୁମଧାମରେ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ମଧ୍ୟ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସୋମବାର ଦିନ ତମାମ ବିବାହର ସମସ୍ତ ବିଧି ପାଳନ ପରେ ସନ୍ଧ୍ୟାରେ ବାବା ମାତଙ୍ଗେଶ୍ବର ମହାଦେବଙ୍କ ବରଯାତ୍ରୀ ଦଳ ବିଶାଳ ଶୋଭାଯାତ୍ରାରେ କନ୍ୟାପିତାଙ୍କ ବାସଭବନକୁ ଯାତ୍ରା କରିଥିଲେ । କନ୍ୟାପିତାଙ୍କ ବାସଭବନରେ ସମ୍ପୂର୍ଣ୍ଣ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମର୍ତ୍ତ୍ୟରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ସାମିଲ ହୋଇ ଉଭୟ ଆୟୋଜକ ଓ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ