ଭୁବନେଶ୍ବର: ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଉନ୍ନତ ଜିଲ୍ଲାରେ ଝିଅଙ୍କ ସଂଖ୍ୟା କମୁଥିବା ନେଇ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ଉନ୍ନତ କୁହାଯାଉଥିବା ଜିଲ୍ଲା ଗୁଡ଼ିକରେ ପ୍ରତି 1 ହଜାର ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା 900 ବି ଛୁଇଁନାହିଁ । ଓଡ଼ିଶାରେ ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । କିନ୍ତୁ ଉନ୍ନତ ଜିଲ୍ଲା ଭାବରେ ଗଣା ଯାଉଥିବା ଜିଲ୍ଲା ଗୁଡ଼ିକରେ ସ୍ଥିତି ଅତି ଉଦବେଗଜନକ ରହିଛି ।
ତେବେ ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଛି । ଏହା ମଧ୍ୟରେ ପ୍ରଜନନ ସ୍ବାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ, ଟୀକା କରଣ, କିଶୋରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୃଷ୍ଟି ସାଧନ ପାଇଁ ଆରଏମ୍ଏନ୍ସିଏଚଏନ୍ (RMNCAH+N) କାର୍ଯ୍ୟକ୍ରମ ଜାରି ରହିଛି । ଗର୍ଭ ପୂର୍ବରୁ ତଥା ପ୍ରସବ ପୂର୍ବରୁ ଲିଙ୍ଗ ନିରୂପଣକୁ ନିଷେଧ କରିବା ପାଇଁ PC & PNDT 1994 ଆଇନକୁ କଠୋର ରୂପେ କାର୍ଯ୍ୟକାରୀ କରାଯାଉଛି ।
ସେପଟେ PCPNDT ଆଇନର ସଠିକ ପରିଚାଳନା, ଗୋଷ୍ଠୀ ସ୍ତରରେ ସଚେତନତା, ପ୍ରୋତ୍ସାହନ ଭିତ୍ତିକ କାର୍ଯ୍ୟକ୍ରମ (ଇନଫର୍ମ ଇନସେଣ୍ଟଟିଭ୍)କୁ ନିଶ୍ଚିତ କରାଯାଉଛି । ସମାଜର ପୁଅ ଏବଂ ଝିଅ ସଂଖ୍ୟାରେ (SRB) ସନ୍ତୁଳନ ଆଣିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରିରହିଛି । ଲିଙ୍ଗ ଗତ ହିଂସାରେ ପୀଡିତ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ଜିଲ୍ଲା ସଦର ମହକୁମାରେ ସଖୀ କେନ୍ଦ୍ର (one stop Centre) ମାନ ସ୍ଥାପନ କରାଯାଇଅଛି । କନ୍ୟା ସନ୍ତାନ ଜନ୍ମ ଗ୍ରହଣ କଲେ ତାଙ୍କର ପିତାମାତାଙ୍କୁ ସମ୍ବର୍ଦ୍ଧିତ କରି କନ୍ୟା ସନ୍ତାନ ବିଷୟରେ ସଚେତନ କରାଯାଉଛି ।
ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ରାଜ୍ୟରେ କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଅତି ଉଦବେଗଜନକ ହୋଇଛି ।ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା 900 ବି ଛୁଇଁନାହିଁ । ଅପରପକ୍ଷେ ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।
ଏହା ମଧ୍ୟ ପଢ଼ନ୍ତୁ.....ବୋଝ ନୁହେଁ ରତ୍ନ ହେଉଛି କନ୍ୟା
ତେବେ ୨୦୨୨ର ରେକର୍ଡ ଆଧାରରେ ପ୍ରତି 1 ହଜାର ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା ୫ଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ ୯୮୪ ରହିଥିବା ବେଳେ ମାଲକାନଗିରିରେ ଏହା ୯୮୨ ରହିଛି । ସେହିପରି ମୟୂରଭଂଜରେ ୯୮୧, ନବରଙ୍ଗପୁରରେ ୯୬୪ ଓ ସମ୍ବଲପୁରରେ ଏହି ଅନୁପାତ ୯୬୩ ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନ ପଣ୍ଡିତ।
ଇଟିଭି ଭାରତ, ଭୁବନେଶ୍ବର