ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସଂସ୍କୃତି ପ୍ରକାଶନୀ ପକ୍ଷରୁ 35ତମ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଶ୍ରୋତାମାନେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ବଲିଉଡ଼ର ଖ୍ୟାତିନାମା କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ନିଜ ଗୀତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ମହାଦେବଙ୍କ ସୁନ୍ଦର ସୁନ୍ଦର ଭଜନ ଗାଇ ମଞ୍ଚରେ ଭକ୍ତିମୟ ମାହୋଲ ସୃଷ୍ଟି କରିଥିଲେ ।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ଶ୍ରଦ୍ଧାଳୁ ମନସ୍କାମନା କରି ଉଜାଗର ରହି ଦୀପ ଜାଳି ଜାଗର ପାଳିଥିଲେ । ସେହି ଭକ୍ତର କଷ୍ଟକୁ ଲାଘବ ପାଇଁ ଆଉ ତା ମନକୁ ଭଜନ ମାଧ୍ୟମରେ ପ୍ରଭୁଙ୍କ ପ୍ରୀତିରେ ହଜେଇବା ପାଇଁ ପ୍ରତିବର୍ଷ ପରି ଏଥର ଲିଙ୍ଗରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା । ଚଳିତ ଥର ବଲିଉଡ଼ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ତାଙ୍କର ଭଜନ ମାଧ୍ୟମରେ ଶ୍ରଦ୍ଧାଳୁ ଭକ୍ତିରେ ରସରେ ଭିଜିଥିଲେ । ଏଥିରେ ମୁମ୍ବାଇର ଖ୍ୟାତନାମା କଳାକାର ହେମନ୍ତ ବ୍ରୀଜୱାସି, ହୋସିୟାର ସିଂ, ଚେତନ ବ୍ରୀଜୱାସି, ପୁନମ୍ ଭାଟିଆ, ଲୋପିତା ମିଶ୍ର ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଯୋଗ ଦେଇଥିଲେ । ଭଜନ ସାଙ୍ଗକୁ ଶିବଙ୍କ ଜୟଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ ।
ଏହା ମଧ୍ୟ ପଢନ୍ତୁ- ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଭଜନରେ ପ୍ରକମ୍ପିତ ହୋଇଥିଲା ପୁରା ଏକାମ୍ର କ୍ଷେତ୍ର । ଓଲିଉଡ଼ ଓ ବଲିଉଡର ଯୁଗଳ ବନ୍ଦୀରେ ପରିବେଷଣ ହୋଇଥିବା ଭଜନରେ ଉପସ୍ଥିତ ଦର୍ଶକ ବିଭୋରିତ ହୋଇଥିଲେ । ପ୍ରତିଟି ଭକ୍ତ ଭଜନର ତାଳେ ତାଳେ ଝୁମିଥିଲେ ଆଉ ଭଜନର ସେହି ଶ୍ରୁତିମଧୁର ପାନକୁ ଆସ୍ଵାଦନ କରିଥିଲେ । ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଭଜନ ସମାରୋହ ହୋଇଥିଲା । ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଂଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ପୁରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବେଶ ଶୃଙ୍ଖଳିତ ଭାବେ ଏହି ଉତ୍ସବ ସମ୍ପନ୍ନ ହୋଇଛି । ତେବେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଗତକାଲି(ଶୁକ୍ରବାର) ରାତି ୧୦ଟା୧୫ ମିନିଟରେ ମହାଦୀପ ଉଠିବା ପରେ ମହାଦୀପ ଦର୍ଶନ କରି ଦିନସାରା ଉପବାସ କରିଥିବା ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର