ପାରଳାଖେମୁଣ୍ଡି: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ହଙ୍ଗାମା । ଟଙ୍କା ନମିଳିବାରୁ ଅଙ୍ଗନବାଡ଼ି ଦିଦିକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଫଳରେ ପାରଳାଖେମୁଣ୍ଡି ଓ ମୋହନାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା ।
କାହିଁକି ତେଜିଲା ଅସନ୍ତୋଷ?
ଏନେଇ ଆବେଦନକାରୀ କହିଛନ୍ତି, 'ସୁଭଦ୍ରା ଯୋଜନା' ପାଇଁ ବ୍ଲକ ଅଫିସ ବାରମ୍ବାର ଗଲେ ଟଙ୍କା ନମିଳିବାରୁ ସରକାରଙ୍କ ଟୋଲ-ଫ୍ରି ହେଲ୍ପଲାଇନ ନମ୍ୱରକୁ ଫୋନ କରିଲୁ । ହେଲେ ସନ୍ତୋଷଜନକ ଉତ୍ତର ମିଳିନଥିଲା ।" ଫଳରେ ସେମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିବା କହିଛନ୍ତି ହିତାଧିକାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁମୁଳସିଂ ପଞ୍ଚାୟତ ଅନ୍ତର୍ଗତ ହାତୀବାଡ଼ି ଗ୍ରାମରେ। ସେହି ଗାଁର ୩୫ ଜଣ ମହିଳା ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଫଳରେ ଅଙ୍ଗନବାଡି କର୍ମୀଙ୍କୁ ମହିଳାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଗତକାଲି(ଗୁରୁବାର) ମହିଳାମାନେ ଅଙ୍ଗନବାଡି କର୍ମୀ ଜମ୍ବୁବତି ଦେବୀଙ୍କୁ ଅଙ୍ଗନବାଡି କେନ୍ଦ୍ର ଗୃହରୁ ଟାଣି ଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି ଓ ମୋହନାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ ୩୨୬(A)ରେ ଗମନାଗମନ ଠପ ହୋଇଯାଇଥିଲା। ଖବର ପାଇ ରାୟଗଡ ଥାନା ପୋଲିସ, ସିଡିପିଓ, ବିଡିଓ, ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ସହ ଯୋଜନାର ଅର୍ଥରାଶି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।
ଏହା ବି ପଢନ୍ତୁ...ଏହି କାରଣରୁ ଆସିପାରିନି ସୁଭଦ୍ରା ଟଙ୍କା, ଏପରି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ
ବିଡିଓଙ୍କ ପ୍ରତିଶ୍ରୁତି:
ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, "ଅନ୍ୟ ଗ୍ରାମର ମହିଳାମାନେ ପାଇଥିବା ଜାଣିପାରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ପାଇନଥିବା ଜଣାଇଥିଲେ । ସେଠାରେ ସେମାନଙ୍କୁ ଏକ ଟୋଲ ଫ୍ରି ନମ୍ବର ଦେଇ ବୁଝିବାକୁ ପରାମର୍ଶ ଦିଆଯାଇଥିଲା। ସେମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରି ବୁଝିବାରୁ ଅତ୍ୟଧିକ ଜମି ଥିବା ଯୋଗୁଁ ତାଲିକାରୁ ବାଦ୍ ଦିଆଯାଇଥିବା ଉତ୍ତର ମିଳିଥିଲା। ହେଲେ ସେପରି ଆଖିଦୃଶିଆ ଜମିନଥିବାବେଳେ ଏପରି କାହିଁକି କୁହାଗଲା ବୋଲି ପ୍ରଶ୍ନ କରି ରାଜରାସ୍ତାକୁ ଓହ୍ଲାଇଥିଲେ ମହିଳା ହିତାଧିକାରୀ । ବିଡିଓ ସୁଧୀର କୁମାର ସିଂ କହିଛନ୍ତି, "ଯେଉଁ ହିତାଧିକାରୀମାନେ ଏହି ଯୋଜନାରୁ ବାଦ୍ ପଡିଛନ୍ତି ସେମାନଙ୍କ ପୁନଃ ଯାଞ୍ଚ ହେବ । ଏହି ଯୋଜନା ପାଇଁ ଯେଉଁ ସବୁ ନିୟମ ରହିଛି ସେହି ଅନୁସାରେ ପ୍ରକୃତରେ ଯୋଗ୍ୟ ହିତାଧିକାରୀଙ୍କୁ ଅତିଶୀଘ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।"
ଇଟିଭି ଭାରତ, ଗଜପତି