କେନ୍ଦ୍ରାପଡ଼ା: ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ଅଛି । ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ କେତେ ବିକାଶ ହୋଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୯୭ନମ୍ବର ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା । ଗତ ୨୦୦୯ ମସିହାରୁ ଅନୁସୂଚିତ ଜାତି ପାଇଁ ଏହି ଆସନ ସଂରକ୍ଷିତ ହୋଇଛି । ଏଠାରୁ ୨୦୦୯ରେ ଯଥାକ୍ରମେ ସିପ୍ରା ମଲ୍ଲିକ, ୨୦୧୪ ରେ କିଶୋର ଚନ୍ଦ୍ର ତରାଇ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସୁଦୂର ଜୟଦେବ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଶଶୀଭୂଷଣଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଆଉ ଶ୍ୱଶୁର ଘର ଅଞ୍ଚଳରେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଥିଲେ ଶଶୀ ।
କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ୬ ହଜାର ୩୨୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଆଉ ମାତ୍ର କିଛି ମାସ ପରେ ଶଶୀଭୂଷଣଙ୍କ ନେତୃତ୍ୱ ଶେଷ ହେବାକୁ ବସିଥିବାବେଳେ ତାଙ୍କ ପ୍ରତିନିଧିତ୍ୱ କାଳରେ ଦେଖାଯାଇଥିବା ପ୍ରତିଶ୍ରୁତି ଧୂଆଁବାଣ ସାଜିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପୁରାତନ କେନାଲ କାମ ଅଧାରେ ରହିଥିବାବେଳେ ଏହାକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଅଞ୍ଚଳବାସୀ । ସହରରେ ବ୍ୟାନର ପୋଷ୍ଟର ମାରି ଖୋଦ ଶଶୀଭୂଷଣ କେନ୍ଦ୍ରାପଡ଼ା କେନାଲର ଉନ୍ନତିକରଣ କଥା କହିଥିଲେ। ଗଣ୍ଡାକିଆଠାରେ ଗୋବରୀ ନଦୀକୁ ସଂଯୋଗ କରୁଛି ଏହି ଗୋବରୀ କେନାଲ ବା କେନ୍ଦ୍ରାପଡ଼ା କେନାଲ। ଚକ୍ରୋଡାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ 25 କିଲୋମିଟର ଲମ୍ବ ଏହି କେନାଲର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 2019ରେ 26 କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ହେଲେ ପୁନଉଦ୍ଧାର ତ ଦୂରର କଥା କେନାଲରୁ ଦଳ ବି ସଫା କରାଯାଇନାହିଁ।
2021 ମସିହାରେ ଏହି କେନାଲର ମାତ୍ର 3 କିଲୋମିଟର ସୌନ୍ଦର୍ଯ୍ୟକରଣ ପାଇଁ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଧାୟକ ଶଶିଭୂଷଣଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କିନ୍ତୁ ଶୁଭ ଶିଳାନ୍ୟାସକୁ 3 ବର୍ଷ ପୁରିବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣର ନାଁ ଗନ୍ଧ ନାହିଁ । ଅନ୍ୟପଟେ ଏହି ଅଧପନ୍ତରିଆ କେନାଲ ପାଲଟିଛି ଲୋକମାନଙ୍କ ପାଇଁ ବିପଦ। ପୂର୍ବରୁ 30 ଫୁଟରୁ ଅଧିକ ପ୍ରସ୍ଥ ଥିବା ଏହି କେନାଲକୁ ସଙ୍କୁଚିତ କରାଯାଇ କେଉଁଠି 18 ଫୁଟ ତ ଆଉ କେଉଁଠି 12 ଫୁଟ କରାଯାଉଛି । ଫଳରେ ଅଣଓସାରିଆ କେନାଲରେ ମଣିଷ କିମ୍ବା ଗାଈଗୋରୁ ପଡ଼ିଯିବାର ଭୟ ରହିଛି । ଏଭଳି ତମାମ ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏହା ମଧ୍ୟ ପଢନ୍ତୁ...ବିଜ୍ଞାପିତ ଅଞ୍ଚଳ ଘୋଷଣା ପରେ ନିଆଳିର ଭାଗ୍ୟ ବଦଳିବ ତ ?
ସହରର ଭିଡ଼ କମାଇବାକୁ ତଥା ସାଆନ୍ତସାହି ସେତୁର ବିକଳ୍ପ ଭାବେ ନିକଟରେ ଆଉ ଏକ ସେତୁ ନିର୍ମାଣ କାମ ହାତକୁ ନେଇଥିଲେ ବିଧାୟକ । ହେଲେ ଏହି ସେତୁର କାର୍ଯ୍ୟ ସମାପ୍ତ ହୋଇନଥିବାବେଳେ ଉଭୟ ପାର୍ଶ୍ଵର ଆପ୍ରୋଚ ରୋଡ଼ ହୋଇନଥିବାରୁ ଯାତାୟାତରେ ବାଧା ଉପୁଜୁଛି । କେନାଲ ପଙ୍କରେ ପୋତି ହୋଇଥିବାରୁ ଏହା ଉପରେ ନିର୍ଭରଶୀଳ ଚାଷୀମାନେ ସମସ୍ୟା ଭୋଗୁଛନ୍ତି । ସହରର ମେଡ଼ିକାଲ ଛକ ନିକଟରେ ଥିବା ମହାଭୋଇ ପୋଖରୀକୁ ଯାଜପୁର କୁସୁମା ପୋଖରୀ ଭଳି କରିବାକୁ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ବି ଫଳପ୍ରଦ ହୋଇନି । ଏନେଇ କେନ୍ଦ୍ରାପଡ଼ା ବିଧାୟକ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସେପଟେ କେନ୍ଦ୍ରାପଡ଼ା ମ୍ୟୁନସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ କର କହିଛନ୍ତି, "ପୂର୍ବରୁ ଡ୍ରୋନ ସର୍ଭେ କରାଯାଇଥିଲା । ଖୁବଶୀଘ୍ର DPR ପ୍ରସ୍ତୁତ କରାଯାଇ କାମ ହେବ ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା