ଭୁବନେଶ୍ବର: ବନ୍ୟପ୍ରାଣୀ ଆଇନର ଖୋଲା ଉଲ୍ଲଙ୍ଘନ କରୁଛନ୍ତି ସରକାରୀ ଅଧିକାରୀ । କେନ୍ଦୁଝର ଡିଏଫଓ ଆଇନ ଉଲ୍ଲଙ୍ଘନ କରି ବେଆଇନ ଭାବେ ଜାରି କରିଛନ୍ତି ସ୍ନେକ ହ୍ୟାଣ୍ଡଲର ସାର୍ଟିଫିକେଟ । ଏନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛି ସ୍ନେକ ହେଲ୍ପଲାଇନ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତୁତ ହେଉଛି ସ୍ନେକ ହେଲ୍ପଲାଇନ ସଦସ୍ୟ । ନହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ଅଗଷ୍ଟ ମାସ ୯ତାରିଖରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସାପ ଉଦ୍ଧାର ଓ ଥଇଥାନ ନିମନ୍ତେ ଏକ ଗାଇଡଲାଇନ ଜାରି କରାଯାଇଥିଲା । ସେଇ ଗାଇଡଲାଇନ ଅନୁସାରେ ବନଖଣ୍ଡ ଅଧିକାରୀ ବା ଡିଏଫଓ ମାନେ ବନ୍ୟପ୍ରାଣୀ ଆଇନର ଧାରା ୧୧ ଅନୁଯାୟୀ ସାପ ଧରାଳିଙ୍କୁ ସାର୍ଟିଫିକେଟ ଦେବେ ବୋଲି ଉଲ୍ଲେଖ ରହିଥିଲା । ତେବେ ସେଇ ଗାଇଡଲାଇନଟି ବନ୍ୟ ପ୍ରାଣୀ ଆଇନକୁ ଉଲଂଘନ କରୁଥିବା ଦର୍ଶାଇ ତତ୍କାଳୀନ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ସମ୍ପୃକ୍ତ ଗାଇଡଲାଇନରେ ଅନେକ ଗୁଡିଏ ଆଇନଗତ ତ୍ରୁଟି ରହିଥିଲା । ଯାହା ଫଳରେ ତାହା ସ୍ଵତ୍ତଃ ଅସିଦ୍ଧ ହୋଇଯାଇଥିଲା । କାରଣ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁସାରେ ସାପ ଉଦ୍ଧାର ପାଇଁ ଅନୁମତି ଦେବାର କ୍ଷମତା କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କର ଅଛି । ଏଣୁ କେନ୍ଦୁଝର ଡିଏଫଓ ନିଜର କ୍ଷମତା ବହିର୍ଭୂକ୍ତ କାର୍ଯ୍ୟ କରିଛନ୍ତି ।
ଗତ ବର୍ଷ ୧ ଏପ୍ରିଲରେ ସଂଶୋଧିତ ବନ୍ୟ ପ୍ରାଣୀ ଆଇନ ଲାଗୁ ହେବା ଦିନରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପଙ୍କୁ ତଫସିଲ ୧ ତାଲିକାରେ ରଖାଯାଇଛି । ଏମାନଙ୍କୁ ଉଦ୍ଧାର କରିବା ନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ ଆଇନରେ ପ୍ରାବଧାନ ରହିଛି । ତେବେ ଗୋଟିଏ ସ୍ଥାନରୁ ଏକ ବଣ୍ୟପ୍ରାଣୀକୁ ନେଇ ଅନ୍ୟ ଏକ ସ୍ଥାନରେ ଛାଡିବା କାମଟି ବନ୍ୟପ୍ରାଣୀ ଆଇନର ଧାରା ୧୧ ନୁହେଁ । ବରଂ ଧାରା ୧୨ର ଉପଧାରା (bb)ର (i) ଅନୁସାରେ ହିଁ ଦିଆଯିବାର ପ୍ରାବଧାନ ରହିଛି । ଏହି ଧାରା ୧୨ ଅନୁଯାୟୀ ଏହି ଅନୁମତି କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ପ୍ରଦାନ କରିପାରିବେ । ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା ୧୧ ର ପ୍ରୟୋଗ କରା ଯାଇଥାଏ । କିନ୍ତୁ କୌଣସି ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ପାଇଁ ଅନୁମତି ଦେବାର ପ୍ରାବଧାନ ଧାରା ୧୨ ଅନୁଯାୟୀ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ.....ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ, JTFକୁ ମିଳିଛି ଅଖଣ୍ଡ କ୍ଷମତା !
ଡିଏଫଓ ମାନଙ୍କର ଆଇନଗତ କ୍ଷମତା ନାହିଁ । ତେଣୁ ଗାଇଡଲାଇନଟି ଅସିଦ୍ଧ ହୋଇଥିଲେ ମଧ୍ୟ ପ୍ରଥମେ ଅନେକ ଡିଏଫଓ ଗଣମାଧ୍ୟମରେ ବିଜ୍ଞାପନ ଦେଇ ସରକାରୀ ଅର୍ଥକୁ ବେଆଇନ କାମରେ ବ୍ୟୟ କରିଥିଲେ । ନିୟମ ଦୃଷ୍ଟିରୁ ପ୍ରଥମେ ପୁରୁଣା ଗାଇଡଲାଇନରେ ସଂଶୋଧନ କରି ଡିଏଫଓ ସ୍ଥାନରେ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଏବଂ ବନ୍ୟପ୍ରାଣୀ ଆଇନର ଧାରା ୧୧ ବଦଳରେ ଧାରା ୧୨ ଅନୁଯାୟୀ ନୂତନ ଗାଇଡଲାଇନ ଜାରୀ କରି ଏହାକୁ କାର୍ଯ୍ୟକାରୀ କରିବା କଥା । ମାତ୍ର ଗତ ୧୩ ଫେବୃୟାରୀରେ କେଉଁଝର ଡିଏଫଓ ନିଜର ମେମୋ ନଂ ୧୩୦୬ରେ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କୁ ଚିଠି କରି ୨୩ ଜଣ ସାପ ଧରାଳୀଙ୍କୁ ନିଜର କ୍ଷମତା ବହିର୍ଭୂକ୍ତ ସ୍ନେକ ହ୍ୟାଣ୍ଡଲର ସାର୍ଟିଫିକେଟ ଜାରି କରିଥିବା ଅବଗତ କରେଇଛନ୍ତି । ସମ୍ପୃକ୍ତ ସାପ ଧରାଳୀଙ୍କୁ ବନ୍ୟପ୍ରାଣୀ ଆଇନର ପ୍ରାବଧାନ ଅନୁଯାୟୀ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେଇ ପାରିବେ ।
ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ଯେହେତୁ କୌଣସି ଗାଇଡଲାଇନ କେବେହେଲେ ବି ବୈଧାନିକ ପ୍ରାବଧାନ ଉପରକୁ ଯାଇ ପାରିବ ନାହିଁ । ତେଣୁ ଗାଇଡଲାଇନରେ ବନ୍ୟପ୍ରାଣୀ ଆଇନର ଉଲଂଘନ ହେଉଥିବା ତ୍ରୁଟିକୁ ସଂଶୋଧନ କରି ଏକ ନୂଆ ଗାଇଡଲାଇନ ଜାରୀ ହେବ ବୋଲି ଆମେ ଆଶାବାଦୀ ଥିଲୁ । କିନ୍ତୁ ଏହା ହୋଇନାହିଁ । କୌଣସି ଡିଏଫଓ ଆଇନର ଉର୍ଦ୍ଧ୍ବରେ ନୁହନ୍ତି । ତେଣୁ କେଉଁଝର ଡିଏଫଓଙ୍କ ବିରୁଦ୍ଧରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତାହା ଉପରେ ନଜର ରହିବ । ସେହିପରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ନହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଶୁଭେନ୍ଦୁଙ୍କ ଅଭିଯୋଗ ନେଇ ବନ ବିଭାଗ କିମ୍ବା କେନ୍ଦୁଝର ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର