ସମ୍ବଲପୁର: ସରକାର ଦୁର୍ନୀତି ରୋକିବାକୁ ଅନେକ ପଦକ୍ଷେପ ନେଉଛନ୍ତି । ଭିଜିଲାନ୍ସ ସପ୍ତାହ ମଧ୍ୟ ପାଳନ କରାଯାଉଛି । କିନ୍ତୁ ସରକାରୀ ଅର୍ଥ କିପରି ଭାବେ ହେର ଫେର ହେଉଛି ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ସ୍ଥିତ ମଡେଲ ଷ୍ଟଡ଼ିଜ ଆଣ୍ଡ ରିସର୍ଚ୍ଚ ଡିଭିଜନ (Model Studies and Research Division, Burla)ର ଡେପୁଟି ଡ଼ାଇରେକ୍ଟରଙ୍କ କାର୍ଯ୍ୟାଳୟରେ । ତେବେ କାର୍ଯ୍ୟାଳୟରେ କାର୍ଯ୍ୟରତ 3 ଜଣ କର୍ମଚାରୀ କାର୍ଯ୍ୟରେ ଅନୁପସ୍ଥିତ ଥାଇ ମଧ୍ୟ ତାଙ୍କୁ ସେହି ଦିନଗୁଡିକର ଦରମା ଦିଆଯାଇଥିବା ଜଣାପଡିଛି । କାର୍ଯ୍ୟାଳୟର ତତ୍କାଳୀନ ନିର୍ଦ୍ଦେଶକ ଏହି କର୍ମଚାରୀଙ୍କୁ ଅନୁପସ୍ଥିତ ଦର୍ଶାଇ ଥିବା ବେଳେ ମୁଖ୍ୟ କିରାଣୀ ଓ କ୍ୟାସିୟର ଚଞ୍ଚକତା କରି ଦରମା ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ଜରିଆରେ ଏହି ତଥ୍ୟ ପାଇଛନ୍ତି ଆଶିଷ ପାଣିଗ୍ରାହୀ ନାମକ ଜଣେ କର୍ମଚାରୀ ।
ତେବେ ସମ୍ବଲପୁର ବୁର୍ଲା ସ୍ଥିତ ମୋଡେଲ ଷ୍ଟଡ଼ିଜ ଆଣ୍ଡ ରିସର୍ଚ୍ଚ ଡିଭିଜନର ଡେପୁଟି ଡ଼ାଇରେକ୍ଟର ଅଫିସର 3 ଜଣ କର୍ମଚାରୀ କାମରେ ଅନୁପସ୍ଥିତ ଥିଲେ ମଧ୍ୟ ଉପରିସ୍ଥ କର୍ମଚାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନୁପସ୍ଥିତ ଦିନର ଦରମା ଦିଆଯାଇଥିବା ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟାଳୟର କିରାଣୀ ତଥା, କ୍ୟାସିୟର ଇନଚାର୍ଜ ହୃଦାନନ୍ଦ ସାହୁ 16.09.2019ରୁ 19.09.2019 ପର୍ଯ୍ୟନ୍ତ, ପିଅନ ପଦ୍ମନାଭ ବାରିକ 17.09.2019 ରୁ 19.09.2019 ପର୍ଯ୍ୟନ୍ତ ଓ ଚୌକିଦାର ପବିତ୍ର ମହାନନ୍ଦ 16.09.2019ରୁ 19.09.2019 ପର୍ଯ୍ୟନ୍ତ କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ତେଣୁ ତତ୍କାଳୀନ ନିର୍ଦ୍ଦେଶକ ରେଜିଷ୍ଟରରେ ସେମାନେ ଅନୁପସ୍ଥିତ ଥିବା ମାର୍କ କରିଥିଲେ । ତେବେ କ୍ୟାସିୟର ଇନଚାର୍ଜ ହୃଦାନନ୍ଦ ସାହୁ ଚଞ୍ଚକତା କରି ଏହି 3 କର୍ମଚାରୀଙ୍କ ଅନୁପସ୍ଥିତ ଦିନରେ ଦରମା ଦେଇଥିବା ସୂଚନା ମିଳିଛି । ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟାଳୟର କର୍ମଚାରୀ ଆଶିଷ ପାଣିଗ୍ରାହୀ ପାଇଛନ୍ତି ।
ଏନେଇ ମୁଖ୍ୟ କୁରାଣୀ ତୁଳସା ବତୀ ମାଝୀ କହିଛନ୍ତି, "ପେମେଣ୍ଟ ବାବଦରେ ମୁଁ କିଛି ଜାଣିନାହିଁ । ସେହି ସମୟରେ ମୁଁ ଛୁଟିରେ ଥିଲି । ସବୁ କିଛି କ୍ୟାସିୟର ହୃଦାନନ୍ଦ ସାହୁ କରିଛନ୍ତି । ମୋ ଅଜାଣତରେ ସବୁ ହୋଇଛି । ଆଟେନଡେନ୍ସ ରେଜିଷ୍ଟରରେ ଆବସେଣ୍ଟ ପଡିଛି । କ୍ୟାସିୟର ଓ ଡେପୁଟି ଡାଇରେକ୍ଟର ସବୁ କରିଛନ୍ତି "
ଅନ୍ୟପଟେ କ୍ୟାସିୟର ହୃଦାନନ୍ଦ ସାହୁ କହିଛନ୍ତି, "କେହି ବି ଆବସେଣ୍ଟ ନଥିଲେ । ସେ ସମୟରେ ବିଶ୍ଵକର୍ମା ପୂଜା ଥିଲା । ସବୁ ଷ୍ଟାଫ୍ ଆସିଥିଲେ, ଆମେ ବି ଆସିଥିଲୁ । ବ୍ୟସ୍ତତା ଭିତରେ ଆଟେଣ୍ଡେନ୍ସରେ ସାଇନ କରିନଥିଲୁ । ସେହି ସମୟରେ ଅଫିସର ପିଅନ ଆଶିଷ ପାଣିଗ୍ରାହୀ ଆଟେଣ୍ଡେନ୍ସ ରେଜିଷ୍ଟରକୁ ନେଇ ସ୍ଥାନୀୟ କାର୍ଯ୍ୟାଳୟ ନିର୍ଦ୍ଦେଶକଙ୍କୁ ଦେଇଥିଲେ । ନିର୍ଦ୍ଦେଶକ ମଧ୍ୟ ଆବସେଣ୍ଟ ମାର୍କ ପକେଇଥିଲେ । ତତ୍କାଳୀନ ଡେପୁଟି ଡ଼ାଇରେକ୍ଟର କୈଳାସ ସାହୁ ଜାଣିବା ପରେ ଆମକୁ ଏ ବିଷୟରେ ପଚାରିଥିଲେ l ଆମେ ମଧ୍ୟ ଡେପୁଟି ଡାଇରେକ୍ଟରଙ୍କୁ ଏ ବିଷୟରେ ଲେଖି ଦେବା ସହ ଏହାର ଏକ ନକଲ ନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଥିଲୁ । ନିର୍ଦ୍ଦେଶକଙ୍କୁ ଦେଇଥିବା ନକଲ କପି ସେ ପାଇଛନ୍ତି ନାଁ ନାହିଁ ଆମେ ଜାଣିନାହୁଁ l ନିର୍ଦ୍ଦେଶକଙ୍କ ପାଖରୁ ଆମ ପାଖକୁ କୌଣସି ଉତ୍ତର ମଧ୍ୟ ଆସିନାହିଁ । ପରେ ଡେପୁଟି ଡାଇରେକ୍ଟ ଆମକୁ ଦରମା ବିଲ କରିବାକୁ କହିବା ପରେ ଆମେ ଦରମା ପାଇଥିଲୁ ।"
ଅନ୍ୟପଟେ ଏନେଇ ବର୍ତ୍ତମାନର ଅତିରିକ୍ତ ନିର୍ଦ୍ଦେଶକ ବେନି ମାଧବ ଦାସ କହିଛନ୍ତି, "ଏହି ପେମେଣ୍ଟ ପାଇଁ DDO (Dwowing disposal Authority ) ଡେପୁଟି ଡାଇରେକ୍ଟରଙ୍କ କୌଣସି କ୍ଷମତା ନାହିଁ । ଘଟଣାର ଭିଜିଲାନ୍ସ ତଦନ୍ତ ହେଉ ଅଥବା ଆମ ବିଭାଗର ମୁଖ୍ୟ ସେକ୍ରେଟାରୀଙ୍କୁ ଜଣାଯାଉ । ସରକାରୀ ନିର୍ଦ୍ଦେଶ ଆସିଲେ ନିଶ୍ଚିତ ଭାବେ କାର୍ଯ୍ୟନୁଷ୍ଠାନ ନିଆଯିବ ଓ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନିଲମ୍ବନ କରାଯିବ ।"
ଇଟିଭି ଭାରତ, ସମ୍ବଲପୁର