କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ ଡାକ୍ତରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଜିଲ୍ଲାର ସ୍ଥିତ ଏସସିବି ମେଡ଼ିକାଲ କଲେଜ ଟ୍ରମା କେୟାରର ଦାୟିତ୍ୱରେ ଥିବା ଏହି ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ଆହତଙ୍କ ଚିକିତ୍ସାରେ ବିଳମ୍ବ କରାଯିବା ସହ ଘରୋଇ ମେଡିକାଲକୁ ନେବାକୁ ଡାକ୍ତର ଜଣଙ୍କ କହୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଏସସିବି ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କଲେ ରୋଗୀଙ୍କ ସମ୍ପର୍କୀୟ ।
ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ଅଞ୍ଚଳର ସନ୍ତୋଷ ପାଢ଼ୀଙ୍କ ଘରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବଳରାମ ମିଶ୍ର ଛାତ କାଟୁଥିବା ବେଳେ ହଠାତ କଟର ବ୍ଲେଡ ଛିଟକି ପଡ଼ି ବଳରାମଙ୍କ ହାତରେ ବାଜିଥିଲା । ଏହାପରେ ବଳରାମଙ୍କ ପ୍ରବଳ ରକ୍ତସ୍ରାବ ହେବା ପରେ ଘର ମାଲିକ ସନ୍ତୋଷ ଓ ତାଙ୍କର ସହଯୋଗୀ ପ୍ରଥମେ ଭୁବନେଶ୍ୱର ଏକ ଡାକ୍ତରଖାନାକୁ ନେଇଥିଲେ । ପରେ ସେଠାରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବଳରାମଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପାଖାପାଖି ଦିନ ଦୁଇଟା ସମୟରେ ଏସସିବି ମେଡିକାଲରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କର କୌଣସି ଚିକିତ୍ସା କରାଯାଇନଥିଲା । ଏପରି ଦୁଇ ଘଣ୍ଟା ବିତିଯିବା ପରେ ମଧ୍ୟ ଦୁର୍ଘଟଣା ଜନିତ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ବାରମ୍ବାର ଆହତଙ୍କୁ ଘରୋଇ ମେଡିକାଲକୁ ନେବାପାଇଁ ପ୍ରବର୍ତ୍ତାଇ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....SCB ଅଗ୍ନି ନିରାପତ୍ତା ମାମଲା, ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ସେପଟେ ଘରୋଇ ମେଡିକାଲକୁ ନେବାପାଇଁ ପ୍ରବର୍ତ୍ତାଇବା ସହ ୫୦ ହଜାର ଟଙ୍କା ତୁରନ୍ତ ଦେଇ ନେବା ପାଇଁ ମଧ୍ୟ ବାରମ୍ବାର ବାଧ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଆହତଙ୍କୁ ନେଇ ମେଡ଼ିକାଲ ଆସିଥିବା ସନ୍ତୋଷ ପାଢ଼ୀ । କାଜୁଆଲିଟିରେ କାର୍ଯ୍ୟରତ ଉକ୍ତ ଡାକ୍ତର ଓ କିଛି ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହତଙ୍କ ସଂପର୍କୀୟ ଏସସିବି ଅଧିକ୍ଷକଙ୍କ ନିକଟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ହେବା ପରେ ଆହତଙ୍କର ରାତି ପ୍ରାୟ ଦୁଇଟା ବେଳେ ଅସ୍ତ୍ରୋପଚାର କରାଯାଇଥିଲା । ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଘଟଣାର ତଦନ୍ତ ହେବା ପରେ ନିଷ୍କର୍ଷ ସମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଏସସିବି ଅଧିକ୍ଷକ ।
ଇଟିଭି ଭାରତ, କଟକ