ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ନୋ ଫ୍ଲାଇଂ ଜୋନରେ ଉଡିଲା ଡ୍ରୋନ୍ । ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଉଡିଲା ଡ୍ରୋନ୍ । ତେବେ ଡ୍ରୋନ ଉଡ଼ିବା ଘଟଣା ପୋଲିସ ଜାଣିବା ପରେ ଏହାକୁ ପିଛା କରିଥିଲେ ମଧ୍ୟ ଡ୍ରୋନଟି ଶ୍ରୀସେତୁ ପଟେ ଉଭାନ ହୋଇଯାଇଛି । ଏନେଇ ପୋଲିସ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହେଇଛି ।
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣା:
ଚଳିତ ମାସରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଏହା ତୃତୀୟ ଘଟଣା । ଶ୍ରୀମନ୍ଦିର ଉପରେ ବାରମ୍ବାର ଏଭଳି ଡ୍ରୋନ ଉଡୁଥିବାବେଳେ ପୋଲିସ ନିରବ ଦ୍ରଷ୍ଟା ସାଜିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣାକୁ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା ହେଉଥିବାବେଳେ ପୋଲିସ ପ୍ରଶାସନ ଓ ସରକାର ଚୁପ୍ ବସିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା'କୁ ନେଇ ଉଠିଛି ପ୍ରଶ୍ନ ? ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍ । ହେଲେ ଡ୍ରୋନ ଉଡାଣ ଉପରେ ରୋକ୍ ଲଗାଇବାରେ କୌଣସି ସ୍ଵତନ୍ତ୍ର ପଦକ୍ଷେପ ପୋଲିସ ପକ୍ଷରୁ ନିଆଯାଉନାହିଁ । ତୁରନ୍ତ ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ ।
ଚଳିତ ମାସରେ ୩ ଥର ଉଡ଼ିଲାଣି ଡ୍ରୋନ୍:
ପୂର୍ବରୁ ଗତ ୫ ତାରିଖ ସକାଳୁ ଶ୍ରୀମନ୍ଦିର ଉପରେ ଗୋଟିଏ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ସେହିପରି ଗତ ୨୦ ତାରିଖ ଦିନ ଶ୍ରୀମନ୍ଦିର ପାଖରେ ଜଣେ ବ୍ୟକ୍ତି ଡ୍ରୋନ ଉଡୋଉଥିବା ଦେଖି ପୋଲିସ ଉକ୍ତ ଡ୍ରୋନକୁ ଜବତ କରିଥିଲା । ପୁଣି ଗତକାଲି (ମଙ୍ଗଳବାର) ଆଉ ଏକ ଡ୍ରୋନ ଶ୍ରୀମନ୍ଦିର ଉପରେ ଉଡୁଥିବା ଘଟଣା ସାମ୍ନାକୁ ଆସିଥିଲା ।
ଚଳିତ ମାସ କେବେ କେବେ ଉଡିଛି ଡ୍ରୋନ ?
- ଜାନୁଆରୀ 5
- ଜାନୁଆରୀ 20
- ଜାନୁଆରୀ 28
ତଦନ୍ତ ଜାରି ରହିଛି: ପୁରୀ ଏସପି
ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଡ୍ରୋନ୍ ଉଡାଣ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ଶୀଘ୍ର ଅଭିଯୁକ୍ତକୁ ପୋଲିସ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସିସିଟିଭିକୁ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷିଦ୍ଧ ରହିଛି । ଶ୍ରୀମନ୍ଦିର ଭିତରେ ମୋବାଇଲ ନେବା ନିଷିଦ୍ଧ ରହିଛି । ଭକ୍ତମାନେ ଏହି ନିୟମ ପାଳନ ପାଇଁ ଆମେ ଅନୁରୋଧ କରୁଛୁ । ଯିଏ ନିୟମ ଉଲ୍ଲଘଂନ କରିବେ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । "
ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି," ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ । ଏହା ଶ୍ରୀମନ୍ଦିକ ସୁରକ୍ଷା ପାଇଁ ବିପଦ । ଅନେକ ବ୍ୟକ୍ତି ନିଜ ସୋସିଆଲ ମିଡିଆକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ଼ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବା ବେଳେ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେ ଏହା ମଧ୍ୟ କହିଛନ୍ତି," କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ନୋଟିସ୍ ଦିଆଯିବ । ଆଇନ ଅନୁଯାୟୀ ଥାନାରେ ମାମଲା କରାଯାଇ ଗିରଫ କରାଯିବ । ସୋସିଆଲ ମିଡ଼ିଆରୁ ଡ୍ରୋନ୍ ଫୁଟେଜ ତୁରନ୍ତ ହଟାଇବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯିବ । ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣକୁ କିଭଳି ରୋକି ହେବ ? ସେନେଇ ଯାହା ବୈଷୟିକ ଜ୍ଞାନ କୌଶଳ ଆବଶ୍ୟକ ରହିଛି । ତାହା କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ଜାରି ରହିଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ଡ୍ରୋନ୍ ନ ଉଡାଇବା ପାଇଁ ଅନୁରୋଧ କରୁଛି ।"
ଇଟିଭି ଭାରତ, ପୁରୀ