ଭୁବନେଶ୍ବର: ମହିଳା କନେଷ୍ଟେବଳଙ୍କଠାରୁ ସୁନା ଚେନ୍ ଛିନତାଇ ଘଟଣା । କୁଖ୍ୟାତ ସ୍ନାଚର୍ ଚନ୍ଦନ ନାୟକକୁ ଜେଲ ଦଣ୍ଡ । ରାୟ ଶୁଣାଇଲେ ଭୁବନେଶ୍ବର JMFC 5 କୋର୍ଟ । ଗୋଟିଏ ପରେ ଗୋଟିଏ ମାମଲାର ଶେଷ ହେଉଛି ବିଚାର । ଭୁବନେଶ୍ବରରେ ଛିନତାଇର ଆତଙ୍କ ଖେଳାଇଥିବା କୁଖ୍ୟାତ ସ୍ନାଚର ଚନ୍ଦନ ନାୟକକୁ ଜେଲ ପଠାଇଛନ୍ତି କୋର୍ଟ । ଖଣ୍ଡଗିରିର ଏକ ଛିନତାଇ ମାମଲାରେ ଅଭିଯୁକ୍ତକୁ ମିଳିଛି ୩ ବର୍ଷ ଜେଲ ଦଣ୍ଡ । ମାମଲାର ବିଚାର କରି ରାୟ ଦେଇଛନ୍ତି ଭୁବନେଶ୍ବର JMFC 5 କୋର୍ଟର ବିଚାରପତି ଜଜ୍ ସବ୍ୟସାଚୀ ପଣ୍ଡା । ୬ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ ଆଧାରରେ ଦୋଷୀକୁ ମିଳିଛି ଦଣ୍ଡ ।
ଉଲ୍ଲେଖଯୋଗ୍ୟ, ଗତବର୍ଷ 28 ଏପ୍ରିଲରେ ଡିସିପି ଅଫିସରେ କାର୍ଯ୍ୟ କରୁଥିବା ଲେଡି ପୋଲିସ କନଷ୍ଟେବଳ ମିନତୀ ବାଳା ଦଳେଇ ନିଜର ଡ୍ୟୁଟି ସାରି ବରମୁଣ୍ଡାରୁ ନିଜ ଘରକୁ ସ୍କୁଟି ଯୋଗେ ଫେରୁଥିଲେ । ରାତି ପ୍ରାୟ ୯ଟା ସମୟରେ ଫେରୁଥିବାବେଳେ ଅଚାନକ ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁଇଜଣ ଏକ ମୋଟର ସାଇକେଲରେ ଆସି ମହିଳା କନେଷ୍ଟେବଳଙ୍କ ବେକରୁ ସୁନା ଚେନ ଝାମ୍ପିଥିଲେ । ଏମାନେ ଚେନ ଛିଣ୍ଡାଇ ନେଇଯିବା ପରେ ମହିଳା ପୋଲିସ ଜଣଙ୍କ ନିଜ ଗାଡ଼ିରୁ ତଳେ ପଡିଗଲେ ଓ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏହି ଘଟଣାର ଚାର୍ଜସିଟ ଦାଖଲ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ କୋର୍ଟରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ନିରଞ୍ଜନ ବେହେରା । ଧାରା 394 ଦଫାରେ କେସର ବିଚାର ହୋଇଥିଲା । ସମସ୍ତ ଘଟଣାକୁ ବିଚାରକୁ ନେଇ ଅଦାଲତ ଚନ୍ଦନ ନାୟକକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ପାଇଁ ରାୟ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ସୁନା ଚେନ ଲୁଟି ଫେରାର ହେଉଥିଲେ ଲୁଟେରା, କାବୁ କଲେ ସେନା କର୍ମଚାରୀ
ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅଲି ଆଜମ ଖାନ ମଧ୍ୟ ଜଣେ ଦୁର୍ଦ୍ଦାନ୍ତ ଚେନ ସ୍ନାଚର । ପୂର୍ବରୁ ଅଲି ଆଜମ ଖଣ୍ଡଗିରିରେ ଏକ ଭ୍ୟାନିଟ୍ ବ୍ୟାଗ ଝାମ୍ପିବା କେସରେ ଗିରଫ ହୋଇଥିଲା । ତାକୁ ମଧ୍ୟ ଦୁଇ ବର୍ଷ ଜେଲ ଦଣ୍ଡ ସହ ୧୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଥିଲେ । ଉଭୟ ଏବେ ଜେଲରେ ସଜ୍ଜା କାଟୁଛନ୍ତି । ଉଭୟଙ୍କ ନାଁରେ ଏକାଧିକ କେସ ରହିଛି । ଉଭୟ ଆଖି ପିଛୁଳାକେ ଆସି ଏକୁଟିଆ ଯାଉଥିବା ମହିଳା ବା ଯୁବତୀଙ୍କ ବ୍ୟାଗ ଝାମ୍ପିନେବା ବା ସୁନା ଚେନ ଛିଣ୍ଡାଇବା ଭଳି ଅପରାଧ ଘଟାଇଛନ୍ତି । ଧିରେ ଧିରେ ଏଭଳି ଅପରାଧୀଙ୍କ ବିରୋଧରେ ସଠିକ ସମୟରେ ସଠିକ ଦଣ୍ଡବିଧାନ ଯୋଗୁଁ ଅପରାଧୀଙ୍କ ମନରେ ଜେଲ ଦଣ୍ଡ ପ୍ରତି ଭୟ ବଢୁଛି ।
ଇଟିଭି ଭାରତ, ଭୁବନେଶ୍ବର