ରାଉରକେଲା: ଆଜିର ଦିନରେ ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରି ନିଜ ଜନ୍ମ ମାଟି ପାଇଁ ଶହୀଦ ହୋଇଥିଲେ ମାଟିର ମଣିଷ ବୋଲାଉ ଥିବା ଆଦିବାସୀ ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀ ମାନେ । ଆଦିବାସୀ ଲୋକଙ୍କ ଉପରେ ବେଆଇନ ଭାବରେ ଶୋଷଣ କରିଥିଲା ବ୍ରିଟିଶ ସରକାର । ତେଣୁ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଶହୀଦ ହୋଇଥିଲେ ଆଦିବାସୀ ଲୋକେ । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ପାଳିତ ହୋଇଛି ଆମକୋ-ସିମକୋ ଶହୀଦ ଦିବସ ।
ସୁନ୍ଦରଗଡ଼ ଜିଲ୍ଲା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ କାଇଁ କେଉଁ କାଳରୁ ବସବାସ କରି ଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଅନ୍ତର୍ଗତ ସକମବାହଲ ଠାରେ ଅବସ୍ଥିତ ଅଛି ଆମକୋ-ସିମକୋ ସହିଦ ସ୍ମୃତି ପୀଠ । ଆଜିର ଦିନରେ ୧୯୩୯ ମସିହାରେ ବ୍ରିଟିଶ ଗୁଳିରେ ୪୯ ଜଣ ନିରୀହ ଆଦିବାସୀ ପ୍ରାଣ ହୋଇଥିଲେ । ସେମାନଙ୍କ ସମ୍ମାନର୍ଥେ ଜିଲ୍ଲା ପ୍ରଶାସନ ଏବଂ ଆମକୋ ସିମକୋ ସୃତି କମିଟି ପକ୍ଷରୁ ଆମକୋ-ସିମକୋ ପୀଠ ଠାରେ ପାଳନ ହୋଇଛି ଶହୀଦ ଦିବସ । ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସହିଦ ପରିବାରଙ୍କୁ ସମ୍ମାନିତ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ସୂଚନା ଅନୁସାରେ, ୧୯୩୯ ମସିହାରେ ବ୍ରିଟିଶ ଶାସନ ବହୁ ଉଗ୍ରରୂପ ଧାରଣ କରିଥିଲା । ବାଧ୍ୟତାମୂଳକ ଭାବରେ କର ଆଦାୟ କରୁଥିଲେ ବ୍ରିଟିଶ ସରକାର ଏବଂ କର ଆଦାୟ ନାମରେ ଆଦିବାସୀ ଲୋକଙ୍କୁ ଶୋଷଣ ଚାଲିଥିଲା । ତେବେ ଏହି ଶୋଷଣ ବିରୋଧରେ ଆଦିବାସୀ ଲୋକେ ସ୍ୱର ଉତ୍ତୋଳନ କରିଥିଲେ । ବ୍ରିଟିଶ ସରକାରଙ୍କ ବେଆଇନ କର ବିରୋଧରେ ଆଦିବାସୀ ମାନେ ମେଳି କରି ଆମକୋ ଏବଂ ସିମକୋ ଗ୍ରାମର ସମସ୍ତ ଆଦିବାସୀ ଭାଇ ମାନେ ଏକତ୍ର ହୋଇଥିଲେ । ଠିକ ଏହି ସମୟରେ ଲୋକେ ବ୍ରିଟିଶ ସରକାର ବିରୋଧରେ ମେଳି ବନ୍ଧୁଥିବା ଖବର ପାଇ ବ୍ରିଟିଶ ଫୌଜ ସେଠାରେ ପହଞ୍ଚି ଆଖି ବୁଜା ଗୁଳି ଚଳାଇଥିଲେ ଏବଂ ଏହାକୁ ଭୟଭୀତ ନହୋଇ ନିଜ ମାଆ ମାଟି ପାଇଁ ସେମାନେ ଲଢେଇ କରିଥିଲେ । ଏହି ଗୁଳିକାଣ୍ଡରେ ସେଦିନ ସହିଦ ହୋଇଥିଲେ ବହୁ ଆଦିବାସୀ । ତେବେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜିର ଦିନକୁ ଆମକୋ-ସିମକୋ ସହିଦ ଦିବସ ଭାବରେ ପାଳନ କରାଯାଏ ।
ଆମକୋ-ସୀମକୋ ଶହୀଦ ସ୍ଥଳକୁ ସରକାର ଏବେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ସେହିଦିନ ବ୍ରିଟିଶ ଗୁଳିରେ ସହିଦ ହୋଇଥିବା ଆଦିବାସୀ ମାନଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ମିଳିନାହିଁ କି ଏହି ସ୍ଥାନରେ ପ୍ରାଣ ହୋଇଥିବା ଆଦିବାସୀ ଲୋକଙ୍କୁ ଶହୀଦର ମାନ୍ୟତା ମିଳି ପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ସେମାନଙ୍କୁ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର ଶହୀଦ ବା ସ୍ୱାଧୀନତା ସଂଗ୍ରାମୀ ବୋଲି ଘୋଷଣା କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଗୁଣ୍ଡୁରିଆକୁ ଶହୀଦ ସ୍ଥଳ ମାନ୍ୟତା ଦିଆନ୍ତୁ ସରକାର: ଆଦିବାସୀ ସମ୍ପ୍ରଦାୟ
ଇଟିଭି ଭାରତ, ରାଉରକେଲା