ବାଲେଶ୍ବର: ଉଦଘାଟିତ ହେଲା 'ବାବା ଭୁଜାଖିଆ ପୀର'ଙ୍କ ୩ ଦିନିଆ ୮୦ ତମ ବାର୍ଷିକ ଉତ୍ସବ 'ଉର୍ସ ' । ବାଲେଶ୍ବରରେ ଅବସ୍ଥିତ ଏହି ପୀଠରେ ଚଳିତ ବର୍ଷ ଏପ୍ରିଲ ୨୪, ୨୫ ଏବଂ ୨୬ ତିନିଦିନ ଧରି ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀରବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ବାବାଙ୍କ ଉର୍ସ ଉତ୍ସବ ପାଳନ ହେଉଥିବା ବେଳେ ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ୍ ପାଠ, ମିଲାତ ସରିଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସକାଳୁ ସ୍ଥାନୀୟ ପରମିଟ ଘାଟରୁ ପାଣି ଆଣାଯାଇ ବାବାଙ୍କ ଆସ୍ଥାନକୁ ଗୋସାଲ କରାଯିବା ପରେ ଚାଦର ଚଢାଯିବା ସହ ସାମୂହିକ କୋରାନ୍ ପାଠ କରାଯାଇଥିଲା । ବିହାରର ଅମଜେର ସରିଫର ଧର୍ମଗୁରୁ ହଜରତ ସୟେଦ ଜମାଲୁଦ୍ଦିନ ଆବେଦୁଲ କାଦ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢାଇଥିଲେ । ତେବେ ଜନଗହଳି ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୀରବାବା ଶାନ୍ତି କମିଟି ଓ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରଯାଇଥିବା ଜଣାପଡ଼ିଛି । ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାବାଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇଥିବା ଦେଖିବାକୁ ମିଳିଥିଲା।
ବିଶେଷ କରି ପୀଠରେ ଭୁଜା, ଉଖୁଡ଼ା, ଲଡୁ, ଗଜା, କୋରା, ଖଜା ଇତ୍ୟାଦି ଶୁଖିଲା ମିଷ୍ଠାନ୍ନ ଭୋଗ ସ୍ବରୁପ ଲଗାଯିବାର ବିଧି ମଧ୍ୟ ରହିଛି । ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୁରା ହୋଇଥିବାର କହିଛନ୍ତି । ବାବାଙ୍କ ପ୍ରତି ମନରେ ଦୃଢ ବିଶ୍ବାସ ଥିବାରୁ ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଉର୍ସ ଉତ୍ସବର ଶେଷ ଦୁଇ ଦିନରେ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ଉପରେ ଚାଦର ଚଢାଇବା ଦେଖିବାକୁ ମିଳିଛି । ବାବା ଭୁଜାଖିଆ ପୀର ପୀଠ ପରିଚାଳନା କମିଟିର ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ଜହିରୁଦ୍ଦିନଙ୍କ ସମେତ ଶେଖ ଅବଦୁଲ ଲତିଫ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ବୁରହାନ, ଶେଖ ସାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦୁଲ କାମିଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର