ବଲାଙ୍ଗୀର: ଖପ୍ରାଖୋଲ ପୋଲିସକୁ ସଫଳତା । ଚାରି ଚକିଆ ଗାଡି ଚୋରି ମାମଲାରେ 5 ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 4ଟି ଟ୍ରାକ୍ଟର ଓ ଗୋଟିଏ ପିକଅପ ଭ୍ୟାନ ସହ 10ଟି ଖାଲି ଗ୍ୟାସ ସିଲିଣ୍ଡର ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଏ ମାମଲାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଦୀର୍ଘ ଦିନ ହେବ ଚୋରିରେ ସାମିଲ ଥିଲେ ଏହି ଗ୍ୟାଙ୍ଗ୍ । ଚୋରି କରିବା ପରେ ରାଜ୍ୟ ବାହାରକୁ ପଠାଇ ଦେଉଥିଲେ ଚୋରୀ ସାମଗ୍ରୀ ।
ପୋଲିସ ଦେଇଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଗ୍ରାମର ହୃଦାନନ୍ଦ ସାହୁଙ୍କ ଏକ ଟ୍ରାକ୍ଟର ଘର ସମ୍ମୁଖରରୁ ଗତ 28 ତାରିଖରେ ଚୋରି ହୋଇଥିଲା । ଏନେଇ ଗାଡି ମାଲିକ ଖପ୍ରାଖୋଲ ଥାନାରେ ଏତଲା ରୁଜ୍ଜୁ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଚୋରି ହୋଇଥିବା ଟ୍ରାକ୍ଟରଟି ନୂଆପଡାରୁ ଛତିଶଗଡ଼ ରାଜ୍ୟ ରାୟପୁର ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ରାୟପୁରରୁ ଏହି ଟ୍ରାକ୍ଟରକୁ ଜବତ କରିବା ସହ ଏହି ମାମଲାରେ ସମ୍ପୃକ୍ତ ଏକ ଚୋରି ଗ୍ୟାଙ୍ଗର ମୁଖ୍ୟ ସହ ଏହାର 3 ଜଣ ସହଯୋଗୀ ଓ ଜଣଙ୍କୁ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ.. ନିଶାଡିଙ୍କୁ ସାହାଯ୍ୟ ଆଳରେ ବାଇକ ଚୋରି, ମାଷ୍ଟର କି’ରେ ଚୋରି କରୁଥିଲା ମୋମୋ ବିକାଳି
ସେପଟେ ଅଧିକ ତଦନ୍ତ ବେଳେ ଏହି କୁଖ୍ୟାତ ଚୋରମାନେ ଅନେକ ଗୁଡ଼ାଏ ଚୋରି ମାମଲାରେ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଥିଲା । ଲାଠୋର ଥାନା ଅନ୍ତର୍ଗତ ମସିଣା ଗାଁରେ ଚଢାଉ କରି ଆଉ ତିନୋଟି ଟ୍ରାକ୍ଟର ପୋଲିସ୍ ଜବତ କରିବାରେ ସଫଳ ହୋଇଛି । ସେହିପରି ଏମାନେ ବ୍ୟବହାର କରୁଥିବା ଏକ ପିକଅପ୍ ଭ୍ୟାନ ଓ ଗୋଟିଏ ବାଇକ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହି ଗ୍ୟାଙ୍ଗ ପାଖରୁ ଚୋରି ହୋଇଥିବା 10ଟି ଖାଲି ଖାଉଟି ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ ହୋଇଛି ।
ଏହାମଧ୍ୟ ପଢନ୍ତୁ..ପୋଲିସ ହାବୁଡରେ ମହିଳା ଚୋର, ଚାକରାଣୀ ସାଜି କରୁଥିଲା ଲୁଟ
ଗୁରୁବାର ଦିନ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିବା ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି । ସେହିପରି ଗିରଫ ସମସ୍ତ ଅଭିଯୁୁକ୍ତ ବଲାଙ୍ଗୀର ଜିଲ୍ଲାର ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର